Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    କର୍ଣ୍ଣାଟକ ନିର୍ବାଚନ: ପୂର୍ବଥର ଭଳି ଏଥର ମଧ୍ୟ ଝୁଲା ବିଧାନସଭା

    Share on :
    ajab-Image
    Date: May 11, 2023    Views: 3960

    ବେଙ୍ଗାଲୁରୁ : ବହୁପ୍ରତୀକ୍ଷିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବୁଧବାର ଦିନ ଶେଷ ହେବା ପରେ ରାଜ୍ୟରେ କିଏ ସରକାର ଗଢ଼ିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କ୍ଷମତାସୀନ ବିଜେପି ଏଥର ମଧ୍ୟ କଂଗ୍ରେସ ଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିବାରୁ ଏଭଳି ଚର୍ଚ୍ଚା ହେବା ସ୍ବାଭାବିକ। ତେବେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍‌ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ସର୍ଭେରୁ ଜଣାପଡ଼ୁଛି ଯେ ରାଜ୍ୟରେ ଏଥର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ।

    ଅର୍ଥାତ ପୂର୍ବଥର ଭଳି ଏଥର ମଧ୍ୟ ଝୁଲା ବିଧାନସଭା ହେବ। କିନ୍ତୁ ଏଥର ଅଧିକ ଆସନ କଂଗ୍ରେସକୁ ମିଳିବ ଏବଂ କ୍ଷମତାସୀନ ବିଜେପି ଦୁଇ ନମ୍ବରକୁ ଖସି ଆସିବ ବୋଲି ସର୍ଭେ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ୧୦ଟି ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ମଧ୍ୟରୁ ୮ଟି ସଂସ୍ଥା କଂଗ୍ରେସ ସପକ୍ଷରେ ରିପୋର୍ଟ ଦେଇଥିବା ବେଳେ ଦୁଇଟି ସଂସ୍ଥା ବିଜେପି ଅଧିକ ଆସନ ପାଇବ ବୋଲି କହିଛନ୍ତି। ତେ‌ବେ ସମସ୍ତଙ୍କର ଗୋଟିଏ ମତ ହେଉଛି ଯେ ଜେଡିଏସ୍ ୨୨ଟି ଆସନ ପାଇ କିଙ୍ଗ୍‌ମେକରର ଭୂମିକା ଗ୍ରହଣ କରିବ। ତେବେ ଆସନ୍ତା ୧୩ ତାରିଖରେ ଭୋଟ୍‌ ଗଣତି ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।

    ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୧୩ଟି ଆସନ ଦରକାର। ପୋଲ୍ ଅଫ୍ ଦି ପୋଲ୍ସ ଆକଳନ କହୁଛି କଂଗ୍ରେସକୁ ସର୍ବାଧିକ ୧୦୯, ବିଜେପିକୁ ୯୧ ଏବଂ ଜେଡିଏସକୁ ୨୨ଟି ଆସନ ମିଳିପାରେ। ଅନ୍ୟପକ୍ଷରେ ୩ ସଂସ୍ଥା କଂଗ୍ରେସକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ମଧ୍ୟ ଆକଳନ କରିଛନ୍ତି। ଅଧିକା˚ଶ ସ˚ସ୍ଥାଙ୍କ ରିପୋର୍ଟ ଅନୁଯାୟୀ କଂଗ୍ରେସ ସର୍ବାଧିକ ଆସନ ହାସଲ କରିବ ବୋଲି କୁହାଯାଇଥିବାରୁ କଂଗ୍ରେସ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଝୁଲା ବିଧାନସଭା ସମ୍ଭାବନା ମଧ୍ୟ ରହିଥିବାରୁ ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି।

    ଇଣ୍ଡିଆ ଟୁଡେ-ଏକ୍ସସ ମାଇଁ ଇଣ୍ଡିଆ ଏକ୍‌ଜିଟ ପୋଲ୍‌ ଅନୁଯାୟୀ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବ। ଏହି ସଂସ୍ଥା କଂଗ୍ରେସକୁ ୧୨୨ରୁ ୧୪୦ ଆସନ ମିଳିବ ବୋଲି ଅନୁମାନ କରିଥିବା ବେଳେ ବିଜେପିକୁ ୬୨-୮୦ ଆସନ ଏବଂ ଜେଡିସକୁ ୨୧ରୁ ୨୯ ଆସନ ମିଳିପାରେ ବୋଲି ଦର୍ଶାଇଛି। ସେହିଭଳି ଜି ନ୍ୟୁଜ୍‌-ମାଟ୍ରିଜ୍‌ ସଂସ୍ଥା କଂଗ୍ରେସ ସର୍ବାଧିକ ୧୧୮ ଆସନ ପାଇବ ବୋଲି ଦର୍ଶାଇଥିବା ବେଳେ ଆଉ ଦୁଇଟି ସଂସ୍ଥା କଂଗ୍ରେସ ୧୧୪ରୁ ୧୧୭ ଆସନ ପର୍ଯ୍ୟନ୍ତ ପାଇପାରେ ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ନ୍ୟୁଜ୍‌ ନେସନ-ସିଜିଏସ୍‌ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ବିଜେପି ୧୧୪ ଆସନ, କଂଗ୍ରେସ ୮୬ ଏବଂ ଜେଡିଏସ୍‌ ୨୧ ଆସନ ହାସଲ କରିବା ସମ୍ଭାବନା ରହିଛି । ଟିଭି-୯ ଭାରତବର୍ଷ-ପୋଲ୍‌ଷ୍ଟାର୍ଟର ସର୍ଭେ ମୁତାବକ ବିଜେପିକୁ ୮୮ରୁ ୮୯ ଆସନ, କଂଗ୍ରେସକୁ ୯୯ରୁ ୧୦୯ ଆସନ ଏବଂ ଜେଡିଏସ୍‌କୁ ୨୧ରୁ ୨୬ ଆସନ ମିଳିବ ବୋଲି କୁହାଯାଇଛି । ନ୍ୟୁଜ୍‌ ୨୪-ଟୁଡେଜ୍‌ ଚାଣକ୍ୟ କଂଗ୍ରେସକୁ ୧୨୦ ଆସନ ମିଳିବ ବୋଲି ଆକଳନ କରିଥିବା ବେଳେ ବିଜେପି ୯୨ ଏବଂ ଜେଡିଏସ୍‌କୁ ୧୨ ଆସନ ମିଳିବ ବୋଲି ଦର୍ଶାଇଛି।

    Maximum 500 characters

    karnatak election View all

    Find Us on Facebook