Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

karnatak election

ମୁଖ୍ୟ ଖବର

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ : କମ୍ପୁଛି ପ୍ରଚାର ମଇଦାନ

    Share on :
    ajab-Image
    Date: May 3, 2023    Views: 4426

    ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୮ ଦିନ ପରେ ନିର୍ବାଚନ ଥିବାବେଳେ ସମସ୍ତ ଦଳର ବରିଷ୍ଠ ନେତାଗଣ ଏବେ ଜୋରଦାର ପ୍ରଚାର ଚଳାଇଛନ୍ତି। ଆଜି ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି କର୍ଣ୍ଣାଟକରେ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକରେ ବିଭିନ୍ନ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ବିଜୟନଗର ଜିଲ୍ଲାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି।

    କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଏହି ପ୍ରସଙ୍ଗ‌ରେ ମୋଦୀ କଂଗ୍ରେସ ଉପରକୁ ବର୍ଷିଛନ୍ତି। ‌ମୋଦୀ କହିଛନ୍ତି, କଂଗ୍ରେସ ପୁର୍ବରୁ ପ୍ରଭୁ ଶ୍ରୀରାମଙ୍କୁ ତାଲା ପକାଇ ରଖିଥିଲା ଏବଂ ଏବେ ଏହା ଜୟ ବଜରଙ୍ଗବଲି କହୁଥିବା ଲୋକଙ୍କୁ ତାଲା ପକାଇବାପାଇଁ ଚାହୁଛି। ମୋଦୀ କହିଛନ୍ତି, ପ୍ରଭୁ ହନୁମାନଙ୍କ ମାଟିକୁ ମୁଁ ଆସିଛି। ମୋର ସୌଭାଗ୍ୟ ଯେ ମୁଁ ହନୁମାନଙ୍କ ମାଟିରେ ପୂଜାର୍ଚ୍ଚନା କରିଛି। କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ହନୁମାନଙ୍କ ମାଟିକୁ ଆସିବା ଦିନ ହିଁ କଂଗ୍ରେସ ଏହାର ଇସ୍ତାହାରରେ ପ୍ରଭୁ ହନୁମାନଙ୍କୁ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ସେମାନେ ପ୍ରଭୁ ଶ୍ରୀରାମଙ୍କୁ ତାଲା ପକାଇଥିଲେ। ଏବେ ଜୟ ବଜରଙ୍ଗ ବଲି କହୁଥିବା ଲୋକଙ୍କୁ ସେମାନେ ତାଲା ପକାଇବାକୁ ଚାହୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି କର୍ଣ୍ଣାଟକ‌ରେ ନିର୍ବାଚନ ପ୍ରଚାର କରିଛନ୍ତି। ଶାହଙ୍କ ନେତୃତ୍ବରେ ଆଜି ବିଜେପିର ନିର୍ବାଚନ ବସ୍‌ ବରୁଣାରେ ପହଞ୍ଚିଥିଲା। ବରୁଣାର‌ ହୋସାକୋଟେରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଶାହ ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି।

    ବିଜେପି ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ)କୁ ନିଷିଦ୍ଧ କରିଥିବା କହି ଶାହ ଭୋଟରମାନଙ୍କୁ ‌ ଚେତାବନୀ ଦେଇ କହିଛନ୍ତି ଯେ କଂଗ୍ରେସ ଯଦି କ୍ଷମତାକୁ ଫେରିବ ତେବେ ଏହା ପିଏଫ୍‌ଆଇ ଉପରେ ଲାଗିଥିବା କଟକଣା ହଟାଇ ଦେବ। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଆଜି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିଛନ୍ତି। ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ମୋଦୀ କର୍ଣ୍ଣାଟକରେ କେବଳ ନିଜ କଥା କହନ୍ତି। ସେ ଅନ୍ୟ କାହା କଥା କିଛି କହନ୍ତିନି। ମୋଦୀ ଦୁର୍ନୀତି ପ୍ରସଙ୍ଗକୁ ନେଇ କାହିଁକି ନିରବ ଅଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲ କହିଛନ୍ତି, କର୍ଣ୍ଣାଟକରେ ମୁଁ ଦୁର୍ନୀତି ଅଭିଯୋଗ ଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କର ନାମ ନେଇଛି। କିନ୍ତୁ ମୋଦୀ କେବେ ବି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ନାମ ଦୁର୍ନୀତି ପ୍ରସଙ୍ଗରେ ନେଇନାହାନ୍ତି। କର୍ଣ୍ଣାଟକ ନିର୍ବାଚନ ରାଜ୍ୟର ପ୍ରସଙ୍ଗରେ ହେଉଛି ଏବଂ ଏହି ନିର୍ବାଚନ ମୋଦୀଙ୍କ ପାଇଁ ହେଉନାହିଁ ବୋଲି ସେ କହିଛନ୍ତି।

    Maximum 500 characters

    karnatak election View all

    Find Us on Facebook