Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କଙ୍ଗାରୁ କୋର୍ଟରେ ହଳ ବୁଲାଇଲେ ପ୍ରେମୀ ଯୁଗଳ

    Share on :
    ajab-Image
    Date: Jul 11, 2025    Views: 2646

    ରାୟଗଡା: ପୁଣି ଥରେ କଙ୍ଗାରୁ କୋର୍ଟ ନାମରେ ଲଜ୍ୟା । ଗାଁରେ ପ୍ରେମୀଯୁଗଳଙ୍କୁ ଅକଥନୀୟ ଦଣ୍ଡ ଦେଲେ ଗ୍ରାମବାସୀ । ଅବୈଧ ପ୍ରେମକୁ ନେଇ ଗାଁରେ ବସିଲା କଙ୍ଗାରୁ କୋର୍ଟ । ହଳ ବୁଲାଇଲେ ପ୍ରେମୀ ଯୁଗଳ । ଗାଁ ଲୋକେ ଦେଖୁଥିଲେ ବି ଜଣେ କେହି ପ୍ରତିବାଦ କରିନଥିଲେ । ଓଲଟା ଅବୈଧ ପ୍ରେମକୁ ବରଦାସ୍ତ କରାଯିବନି ବୋଲି ରୋକଠୋକ କହିଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାରେ ଦେଖାଦେଇଛି ଏମିତି ଅଭାବନୀୟ ଘଟଣା । କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକୋରପାଇ ପଞ୍ଚାୟତର କଂଜମ ଯୋଡି ଗ୍ରାମରେ ଏଭଳି ଘଟଣା ଘଟିଛି ।

    ପିଉସୀଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଏଭଳି ଦଣ୍ଡ ଦେଇଛନ୍ତି । ଉଭୟଙ୍କୁ ପ୍ରଥମେ ଗାଧୋଇବା ପରେ ସେମାନଙ୍କୁ ଚାଷଜମିକୁ ନେଇଯାଇଥିଲେ ସମ୍ପର୍କୀୟ । ଏହାପରେ ସେମାନଙ୍କ ବେକରେ ଲଙ୍ଗଳ ଜୁଆଳି ପକାଇ ହଳ ବୁଲାଇଥିଲେ । ପୁତୁରା ଲାକ ସାରାକା ଏବଂ ପିଉସିଙ୍କୁ ଏଭଳି ଅଭାବନୀୟ ଦଣ୍ଡ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

    ଜଣେ ଗ୍ରାମବାସୀ କୁହନ୍ତି ‘‘ଆମ ଗାଁରେ ଅଧିକାଂଶ ଲୋକ ଆଦିବାସୀ ଅଟନ୍ତି । ଆମ ପରମ୍ପରା ଅନୁସାରେ ସେମାନଙ୍କ ସହ ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ପିଉସୀ ମା’ ସମାନ । କିନ୍ତୁ ଯୁବକ ଜଣକ ଏଭଳି ଘୃଣ୍ୟ କାମ କରିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି’’ ।

    ଏକ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ପରେ ଲୋକଲୋଚନକୁ ଆସିଛି । ଉଭୟଙ୍କୁ ଚାଷ ଜମିରେ ବଳଦ ବଦଳରେ ଚାଷ କରିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ। ଏହି ମାମଲାରେ ରାୟଗଡ଼ା ଏସଡିପିଓ ଗୈ।ରହରି ସାହୁଙ୍କ କହିବା ଅନୁଯାୟୀ ‘‘ଗାଁର ଜନୈକ ବ୍ୟକ୍ତିଙ୍କ ଅଭିଯୋଗ ପ୍ରକାରେ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି । ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।

    ‘‘ଆମ ପରମ୍ପରାରେ ଗୋଟିଏ ବଂଶରେ ବିବାହ କରିବା କଥା ନୁହେଁ । ଆମେ ତାଙ୍କୁ ବାହାରେ ରହିବା ପାଇଁ କହିଛୁ । ସେମାନେ ମଧ୍ୟ ଆମ କଥାରେ ରାଜି ହେଲେ । କିନ୍ତୁ ପରମ୍ପରା ଅନୁଯାୟୀ ସେମାନଙ୍କ ବିବାହ ପାଇଁ ଗାଁରେ ବର୍ଷା ହେବ ନାହଁ । ଯେଉଁଥିପାଇଁ ଆମେ ତାଙ୍କ ଦ୍ବାରା ନୂଆ ଲଙ୍ଗଳରେ ହଳ ବୁଲାଇଛୁ । ଏଥିରେ କୌଣସି ଭୁଲ କରିନାହୁଁ’’ ବୋଲି ଆଉ ଜଣେ ଗ୍ରାମବାସୀ କହିଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook