ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶାକୁ ମିଳିଛି ନୂଆ ମୁଖିଆ । ବିଜେପି ବିଧାୟକ ଦଳ ବୈଠକ ଶେଷ ହେବା ପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଆଦିବାସୀ ନେତା ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ୨ଜଣଙ୍କ ନାଁ ଘୋଷଣା ହୋଇଛି । ନିମାପଡ଼ାରୁ ନିର୍ବାଚନ ଲଢି ପ୍ରଥମ ଥର ପାଇଁ ବିଧାୟିକା ହୋଇଥିବା ପ୍ରଭାତୀ ପରିଡ଼ା ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରେସ୍ରୁ ଆଉଟ୍ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ପାଟଣାଗଡ଼ର ୬ଥରର ବିଧାୟକ କନକ ବର୍ଦ୍ଧନ ସିଂହଦେଓ ।
ବଲାଙ୍ଗୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ତଥା ପାଟଣା ମହାରାଜା କନକ ବର୍ଦ୍ଧନ ସିଂହଦେଓ ହେବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ । ପାଟଣାଗଡ ଆସନରୁ ଲଗାତାର ଭାବେ ଜିତି ଆସୁଥିବା କେଭି ସିଂହଦେଓ ୧୯୯୫ ସହିତ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ୧୯୯୫ ମସିହାରେ ସେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଏହାପରେ ଲଗାତାର ଭାବେ ସେ ପାଟଣାଗଡ ଆସନରୁ ଜିତି ଆସୁଛନ୍ତି । ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବି କେଭିଙ୍କ ଗଡ଼ ହୋଇ ରହିଛି ପାଟଣାଗଡ ବିଧାନସଭା ଆସନ ।୧୯୯୫ରୁ ୨୦୧୪ରୁ ପାଟଣାଗଡ଼ରୁ ଜିତିଆସୁଥିବା କେଭି ୨୦୧୯ରେ ପରାଜିତ ହୋଇଥିଲେ । ବିଜେଡି ନେତା ସରୋଜ ମେହେର ତାଙ୍କୁ ପ୍ରଥମ ଥର ପରାଜୟ ଦେଖାଇଥିଲେ । ୨୦୧୯ରେ ହାରିବା ପରେ ବି ୨୦୨୪ରେ ପୁଣି ସେହି ଆସନରୁ ବିଜୟ ହାସଲ କରିଥିଲେ କେଭି ସିଂହଦେଓ । ଆଉ ଏଥର ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା । ଯାହା ପରେ ବିଧାୟକ ଦଳ ବୈଠକରେ କେଭି ସିଂହଦେଓ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଇଛନ୍ତି ।
ଓଡ଼ିଶାର ନୂଆ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କନକ ବର୍ଦ୍ଧନ ସିଂହଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାଟଣା ମହାରାଜ ଆର.ଏନ ସିଂହଦେଓଙ୍କ ନାତି । ସେହିପରି ତାଙ୍କ ବାପା ସ୍ବର୍ଗତ ମହାରାଜ ଆର.ଆର ସିଂହଦେଓଙ୍କ ପରେ ପୁରୁଣା ରାଜା ମହାରାଜାଙ୍କ ନୀତି ନିୟମ ଅନୁସାରେ ସେ ଏଠିକାର ମହାରାଜା ଭାବରେ ପରିଚିତ । ତେବେ ଆଜି ବି ଏଠି ରାଜା ମହାରାଜା ପରମ୍ପରା ଅଛି । ଲୋକେ ତାଙ୍କୁ ଆଜି ବି ନିଜର ମହାରାଜା ଭାବରେ ମାନି ଆସୁଛନ୍ତି ।
କନକ ବର୍ଦ୍ଧନ ସିଂହ ଦେଓ ଜଣେ ସାଧାରଣ ମଣିଷ ଭଳି ଲୋକଙ୍କ ସହିତ ମିଳାମିଶା କରନ୍ତି । ଲୋକଙ୍କ ସୁଖ ଦୁଃଖରେ ସବୁ ବେଳେ ଛିଡା ହୁଅନ୍ତି । ତେବେ ସେ କ୍ଷମତା ଥିଲେ କିମ୍ବା ନ ଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଓ ଅଧିକାର ପାଇଁ ଲଢେଇ କରି ଆସିଛନ୍ତି । ଏପରିକି ଦିନ ରାତି ଅହରହ ଧାରଣା ଅନଶନ କରିବା ବର୍ଷାରେ ଭିଜି ଭିଜି ଲୋକଙ୍କ ପାଇଁ ଲଢେଇ କରିବା ଭଳି ଅନେକ ଘଟଣା ଏଠି ତାଙ୍କୁ ଲୋକପ୍ରିୟତା ପ୍ରଦାନ କରିଛି। ସେହିପରି ତାଙ୍କ ସ୍ତ୍ରୀ ମହାରାଣୀ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ ବଲାଙ୍ଗୀରରୁ ୫ଥର ସାଂସଦ ହୋଇଛନ୍ତି ।
Comments ସମସ୍ତ ମତାମତ