ମୁଖ୍ୟ ଖବର
ଭୁବନେଶ୍ବର: ୨୦୧୧ ଜନଗଣନା ଅନୁଯାୟୀ, ସର୍ବଶେଷ ଉପଲବ୍ଧ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଅନୁସୂଚିତ ଜନଜାତି (ST) ମୋଟ ସଂଖ୍ୟା ୯୫,୯୦,୭୫୬ ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଏବଂ ବିକାଶ ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ଯୋଜନାରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଏ। କେଉଁ ଯୋଜନାରେ କେତେ ଅନୁଦାନ ଦିଆଯାଇଛି ତାହାର ସୂଚନା ଦେଇଥିଲେ।
ଧରତ୍ରିଆବା ଜନଜାତି ଗ୍ରାମ ଉତ୍କଷ ଅଭିଯାନର ଲକ୍ଷ୍ୟ ହେଉଛି ୬୩,୮୪୩ ଗ୍ରାମରେ ଭିତ୍ତିଭୂମିଗତ ଅଭାବ ପୂରଣ କରିବା, ସ୍ୱାସ୍ଥ୍ୟ, ଶିକ୍ଷା, ଅଙ୍ଗନୱାଡି ସୁବିଧା ଉପଲବ୍ଧତାରେ ଉନ୍ନତି ଆଣିବା । ଏହି ଅଭିଯାନର ମୋଟ ବଜେଟ ବ୍ୟୟବରାଦ ୭୯,୧୫୬ କୋଟି ଟଙ୍କା ରହିଛି। ଓଡିଶାକୁ ଏଥିରେ ୨୦୨୪-୨୫ରେ ୧୭୪.୨୩ କୋଟି ଏବଂ ୨୦୨୫-୨୬ରେ ୧୨.୫୪ କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତୁ।
ସେହିପରି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପ୍ରଧାନମନ୍ତ୍ରୀ ଜନମାନ) ମିଶନର ଲକ୍ଷ୍ୟ ହେଉଛି PVTG ପରିବାର ଏବଂ ବସତିଗୁଡ଼ିକୁ ସୁରକ୍ଷିତ ଗୃହ, ସ୍ୱଚ୍ଛ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଇ ଦେବା। ଏହି ଯୋଜନାରେ ୨୦୨୪-୨୫ ରେ ୨୩.୯୨ କୋଟି ଟଙ୍କା ଏବଂ ୨୦୨୫-୨୬ ରେ ୧.୪୫ କୋଟି ଟଙ୍କା ମିଳିଛି। ପ୍ରଧାନମନ୍ତ୍ରୀ ଜନଜାତି ବିକାଶ ମିଶନ (PMJVM)ରେ ୨୦୨୫-୨୬ରେ ୦.୪୨ କୋଟି ଟଙ୍କା ଦିଆଯାଇଛି।
ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ନିଜ ପରିବେଶରେ ନବୋଦୟ ବିଦ୍ୟାଳୟ ସହିତ ସମକକ୍ଷ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୮-୧୯ ବର୍ଷରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ଆରମ୍ଭ କରାଯାଇଥିଲା। ନୂତନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଓଡିଶାକୁ ୨୦୨୪-୨୫ରେ ୬୪୯.୬୫ କୋଟି ଟଙ୍କା ଏବଂ ୨୦୨୫-୨୬ରେ ୫୧୯.୧୬ କୋଟି ଟଙ୍କା ଦିଆଯାଇଛି।
ସମ୍ବିଧାନର ଧାରା ୨୭୫(୧) ଅନୁଯାୟୀ, ଅନୁସୂଚିତ ଅଞ୍ଚଳରେ ପ୍ରଶାସନର ସ୍ତର ବୃଦ୍ଧି କରିବା ଏବଂ ଆଦିବାସୀ ଲୋକଙ୍କ କଲ୍ୟାଣ ପାଇଁ ଅନୁସୂଚିତ ଜନଜାତି ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଏ। ଏହି ଯୋଜନାରେ ଓଡିଶାକୁ ୨୦୨୪-୨୫ ରେ ୧୦୧.୦୮ କୋଟି ଟଙ୍କା ଏବଂ ୨୦୨୫-୨୬ରେ ୧୦୯.୭୬ କୋଟି ଟଙ୍କା ମିଳିଛି। ସେହିପରି ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଓଡିଶା ପାଇଁ ୨୦୨୪-୨୫ରେ ୨୮.୮୫ କୋଟି ଏବଂ ୨୫-୨୬ରେ ୨୫.୮୬ କୋଟି ଟଙ୍କା ମିଳିଛି।
ଏସଟି ଛାତ୍ରଛାତ୍ରୀମାନଙ୍କୁ ପ୍ରାକ-ମାଟ୍ରିକ୍ ସ୍କଲାରସିପ୍ ଯୋଜନାରେ ୨୦୨୪-୨୫ ୨୯.୫୦ କୋଟି ଏବଂ ୨୦୨୫-୨୬ ୪୩.୫୫ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ମାଟ୍ରିକ୍ ପରବର୍ତ୍ତୀ ଅନୁସୂଚିତ ଜନଜାତି ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପାଇଁ ୨୦୨୫-୨୬ରେ ୪୦୭.୩୯ କୋଟି ଟଙ୍କା ମିଳିଛି। ସେହିପରି ଅନୁସୂଚିତ ଜନଜାତିର ଆର୍ଥିକ ବିକାଶ ପାଇଁ ଅନୁସୂଚିତ ଜନଜାତି ଆର୍ଥିକ ଏବଂ ବିକାଶ (NSTFDC) ଯୋଜନାରେ .୦୭ କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
Comments ସମସ୍ତ ମତାମତ