ମୁଖ୍ୟ ଖବର
ପୁରୀ: ଆମେ କେନ୍ଦ୍ରରେ ଆସିଗଲୁଣି। ଆଉଥରେ ମୋଦିଜୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ। ତେଣୁ ଏବେ ଆମର ବଦଲା ନେବାର ସମୟ ଆସିଛି। ବିଚାରଧାରା ଆଧାରରେ ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ବିଜେଡି ସହ ୯ ବର୍ଷ ଶାସନରେ ଥିଲୁ। ଆମେ ବିଜେଡି ସହ ମିଶି ମିଳିତ ସରକାର କରିଥିଲୁ। ସେମାନେ ଡୁବି ଯାଉଥିବା ବେଳେ ୧୯୯୭-୯୮ରେ ଶାସନରେ ବସାଇଥିଲୁ। ତାଙ୍କୁ ପୁଣି ଥରେ ପୁରୀ ସମୁଦ୍ରକୁ ପେଲି ଦେବୁ। ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ କାର୍ୟ୍ୟକ୍ରମ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଏହା କହିଛନ୍ତି। ଶ୍ରୀଓରାମଙ୍କ ଏଭଳି ପ୍ରତିକ୍ରିୟା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି। କାରଣ ୨୦୨୪ ନିର୍ବାଚନ ପାଇଁ ବିଜେପି ଏବେ ଫୁଲ୍ ଦମ୍ରେ ଥିବା ଦେଖାଯାଉଛି।
ଶାହଙ୍କ ମିଶନ ୧୨୦ ପ୍ଳସ୍ ହାସଲ ପାଇଁ ବିଜେପି ଆରମ୍ଭ କରିଛି ଗ୍ରାଉଣ୍ଡ ଓ୍ୱାର୍କ। ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ପୁରୀରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର। ପ୍ରଥମ ଦିନରେ ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, କାର୍ୟ୍ୟକାରିଣୀ ସଦସ୍ୟଙ୍କ ସହ ସବୁ ଜିଲ୍ଲା ସଭାପତି, ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଦଳକୁ ଜିତାଇବାକୁ ହେଲେ କରିବାକୁ ଥିବା କାମ ବିଷୟରେ ଶିକ୍ଷା ନେଇଛନ୍ତି।
ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରୟାସ। ସୋସିଆଲ ମିଡିଆ ଷ୍ଟ୍ରାଟେଜିକୁ ଗୁରୁତ୍ୱ ଦେଉଛି ଦଳ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ତଳ ସ୍ତର ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କୁ ସଚେତନ କରିବାକୁ ପ୍ରତ୍ୟେକ କାର୍ୟ୍ୟକର୍ତ୍ତାଙ୍କୁ ଶିଖାଯାଉଛି କୌଶଳ। ଏହାସହ କାର୍ୟ୍ୟକର୍ତ୍ତା ଓ ନେତାଙ୍କ ମନରେ ଥିବା ଅନେକ ଦ୍ୱନ୍ଦ୍ୱକୁ ସାମ୍ନା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ।
Comments ସମସ୍ତ ମତାମତ