Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ହାତରୁ ଗଲା ‘ଝାରଖଣ୍ଡ’

    Share on :
    ajab-Image
    Date: Dec 23, 2019    Views: 6357

    ରାଂଚି : ଝାରଖଣ୍ଡରେ ଓଲଟ ପବନ ବହିଛି  । ୨୦୧୯ ସାଧାରଣ ନିର୍ବାଚନରେ ଏନଡ଼ିଏ ଦମଦାର ପ୍ରଦର୍ଶନ କରିଥିବାବେଳେ ମାଟି କାମୁଡ଼ିଥିଲା କଂଗ୍ରେସ-ଜେଏମଏମ ଓ ଆରଜେଡ଼ି ମେଂଟ  । କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନ କିନ୍ତୁ ବିଜେପିର ସବୁ ଆକଳନକୁ ଓଲଟପାଲଟ କରିଦେଇଛି  । ବିଜେପିକୁ ଶକ୍ତ ଧକ୍କା ଲାଗିଛି  । ମହାରାଷ୍ଟ୍ର ପରେ ଝାରଖଣ୍ଡ ବି ବିଜେପି ହାତରୁ ଖସିଯାଇଛି  । ଗତ ବିଧାନସଭା ନିର୍ବାଚନରେ ବିଜେପି ମେଂଟ ୪୨ ଆସନ ହାତେଇ ନେଇଥିବାବେଳେ ପରବର୍ତୀ ସମୟରେ ଜେଭିଏମର ୬ ବିଧାୟକ ବି ବିଜେପିରେ ସାମିଲ ହୋଇଥିଲେ  । ଫଳରେ ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ସୁରୁଖୁରରେ ପାଂଚ ବର୍ଷ ପାର କରିଦେଇଥିଲା  । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ରଘୁବର ଦାସ ଝାରଖଣ୍ଡରେ ୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ କରିବାରେ ସମର୍ଥ ହୋଇଥିଲେ  । ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ବି ଏକପାଖିଆ ଭାବେ ଏନଡ଼ିଏ ସପକ୍ଷରେ ଯାଇଥିଲା  । କିନ୍ତୁ ଆଜିର ଭୋଟଗଣତିର ଫଳାଫଳ ବିଜେପିକୁ ଚକିତ କରିଦେଇଛି  । ଖୋଦ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ନିଜ ଜାମସେଦପୁର ପୂର୍ବ ନିର୍ବାଚନମଣ୍ଡଳୀରୁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି  ।

    ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବାରୁ ଅଳ୍ପକେ ବଂଚିତ ହେବା ପରେ ଝାରଖଣ୍ଡକୁ ନିଜ କରାୟତରେ ରଖିବାକୁ ଯୋଜନା କରିଥିଲା  । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ହାତରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ପଳାଇଥିବାବେଳେ ଝାରଖଣ୍ଡ ନିର୍ବାଚନ ବିଜେପି ପାଇଁ ଅନେକ ମହତ୍ୱ ରଖିଥିଲା  । ଯେଉଁଥିପାଇଁ ସମସ୍ତଙ୍କ ନଜର ରହିଥିଲା ଝାରଖଣ୍ଡ ଉପରେ  । ତେବେ ସକାଳୁ ସକାଳୁ ଭୋଟ ଗଣତି ଆରମ୍ଭ ହେବା ବେଳଠାରୁ ବିଜେପିର ଅବସ୍ଥା କ’ଣ ହେବ ଜଣାପଡ଼ିଯାଇଥିଲା  । କିଛି ସମୟ ପାଇଁ ବିଜେପି ଆଶା ସଂଚାରିତ କରିଥିଲେବି ଗଣତି ଆଗକୁ ବଢ଼ିବା ସହ ବିଜେପିର ପାଦ ଖସିଖସି ଯାଇଥିଲା  । ବିଶେଷକରି ରଘୁବର ଦାସ ଗତ ନିର୍ବାଚନରେ ପ୍ରାୟ ୭୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ  । କିନ୍ତୁ ଚଳିତ ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି  । ଯାହାକି ବିଜେପି ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି  ।

    ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ବିଜେପି ୪ ଆସନରେ ବିଜୟୀ ହୋଇଥିବାବେଳେ ୨୧ ଆସନରେ ଆଗୁଆ ରହିଛି  । ବହୁମତ ପାଇଁ ୪୧ ଆସନ ଆବଶ୍ୟକ ଥିବାବେଳେ ବିଜେପି ଢେ଼ର ପଛରେ ପଡ଼ିଯାଇଛି  । ଏମିତିକି ରାତିଅଧିଆ ମିଶନ ପାଇଁ ବି ଅବସର ସୃଷ୍ଟି ହୋଇନାହିଁ  । ଅପରପକ୍ଷରେ କଂଗ୍ରେସ, ଜେଏମଏମ ଓ ଆରଜେଡ଼ି ମେଂଟ ଦମଦାର ପ୍ରଦର୍ଶନ କରିଛନ୍ତି  । କଂଗ୍ରେସ ୩ ଆସନରେ ବିଜୟୀ ହୋଇଥିବାବେଳେ ୧୨ ଆସନରେ ଆଗୁଆ ରହିଛି  । ସେହିପରି ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ୪ ଆସନରେ ବିଜୟ ଲାଭ କରିଥିବାବେଳେ ୨୬ ଆସନରେ ଅଗ୍ରଣୀ ରହିଛି  । ଅପରପକ୍ଷରେ ଗୋଟିଏ ଆସନରେ ଆଗୁଆ ରହିଛି ରାଷ୍ଟ୍ରୀୟ ଜନତା ଦଳ  । ନାସନାଲ କଂଗ୍ରେସ ପାର୍ଟି ବି ଗୋଟିଏ ଆସନରେ ଆଗୁଆ ରହିଛି । ଫଳରେ ଉପା ମେଂଟର ପଲା ଢେ଼ର ଭାରି ରହିଛି  । ଏହାଛଡ଼ା ସିପିଆଇଏମଏଲ ଗୋଟିଏ ଆସନରେ ଅଗ୍ରଣୀ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ଅଛନ୍ତି  । ବିଗତ ଦିନରେ ବିଜେପି ସହ ମେଂଟରେ ଥିବା ଏଜେଏସୟୂ ପାର୍ଟି ଏକାକୀ ଲଢ଼ି ୩ ଆସନରେ ଜିତିବାର ସମ୍ଭାବନା ସୃଷ୍ଟି କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook