ଭୁବନେଶ୍ବର: ମୁହାଁମୁହିଁ ହେଲେ ବିଜେଡି ସାଂସଦ ମୁନ୍ନା ଖାନ ଏବଂ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ମୁନ୍ନା ଖାନଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଲା ବିଜେପି । ୨୦୨୯ ଯାଏଁ ବିଜେଡି ଓଡ଼ିଶାରେ ରହିବ ନାହିଁ । ବିଜେଡିର ଆୟୁଷ ବହୁତ କ୍ଷୀଣ ବୋଲି ଜୟନାରାୟଣ କହିଛନ୍ତି ।
ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗଟ କରି କହିଛନ୍ତି, "ମୋର ସନ୍ଦେହ ହେଉଛି ୨୯ ପର୍ୟ୍ୟନ୍ତ ବିଜେଡି ରହିବ ନାହିଁ । ବିଜେଡିର ଆୟୁଷ ବହୁତ କ୍ଷୀଣ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଆମ ସହ ଯୋଗାଯୋଗବେଳେ ବହୁତ ନେତା ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡିଥିବା କହୁଛନ୍ତି । ବିଜେଡିରେ ନେତୃତ୍ୱ ସଙ୍କଟ ଦେଖା ଦେଇଛି । କିଏ ଲଢେଇ କରିବ ? କିଏ ନେତୃତ୍ୱ ନେବ ? ଏସବୁକୁ ନେଇ ବିଜେଡି ନେତାମାନେ ଚିନ୍ତିତ । ବିଜେଡିର ଅସ୍ଥିତ୍ୱ ପ୍ରତି ସନ୍ଦେହ ଜାତ ହେଉଛି ।" ସେ ଆହୁରି ମଧ୍ୟ କହିଛନ୍ତି,"ତାଙ୍କ ଦଳର ମୁଖିଆ ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜରେ ଦେଇ ଦେଇଥିଲେ । ସେଥିପାଇଁ ଏଭଳି ପରିସ୍ଥିତି । ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହିପାରୁନାହାନ୍ତି । ତାଙ୍କ ଭିତରେ କ'ଣ ବାୟୋଲୋଜି ଓ କେମେଷ୍ଟ୍ରି ଅଛି କେଜାଣି । ଏବେବି ସବୁବେଳେ ନବୀନ ନିବାସରେ ରହୁଛନ୍ତି ପାଣ୍ଡିଆନ । ମୁନ୍ନା ଖାନ ତ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । କୁଆଡ଼େ ଯିବେ ଚିନ୍ତା କରୁଛନ୍ତି । ତେଣୁ ମୁନ୍ନା କ'ଣ ବା କହିବେ । ୧୪ ଜଣ ଗଲେ ତାଙ୍କର ଟୁ-ଥାର୍ଡ ହେଉଛି କି ? ଯିଏ କହୁଛନ୍ତି ଏମିତି ତାଙ୍କୁ ଗଣିତ ଜଣାନାହିଁ । ଦଳ ବଦଳ ପାଇଁ ଅତି କମରେ ଟୁ-ଥାର୍ଡ ମେଜରିଟି ହେବା କଥା । ଯିଏ ରାଜନୀତି ଗଣିତ ବୁଝିନାହିଁ ସେ ଏମିତି ସବୁ କୁହନ୍ତି । ବିଜେଡି ହେଉଛି ଗୋଟେ ଦାସତ୍ୱ ପାର୍ଟି । ସେ ଦଳର ନେତାମାନେ ଜରି ପକେଇବା ଚେୟାର ବୋହିବା କାମ କରିବା ଲୋକ । ତାହା ନକରି କାହିଁକି ରାଜନୈତିକ ବିବୃତ୍ତି ଦେଉଛନ୍ତି ।"
ବୁଧବାର ନବରଙ୍ଗପୁରରେ ଆୟୋଜିତ ବିଜେଡିର ପଦଯାତ୍ରା କାର୍ୟ୍ୟକ୍ରମରେ ଯୋଗଦେଇ ମୁନ୍ନା ଖାନ କହିଥିଲେ,"ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ । ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ଜଣ ନେତା ବିଜେପିରେ ଯୋଗ ଦେଇଥିଲେ । ଆଉ ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ଜଣ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ, ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି ।"
Comments ସମସ୍ତ ମତାମତ