ମୁଖ୍ୟ ଖବର
ଭୁବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍ ଇଣ୍ଟେଲିଜେନ୍ସ (ISI)କୁ ଓଟିପି ସେୟାରିଂ ମାମଲାରେ 7 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ଗତକାଲି(ବୁଧବାର) ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କୁ 3 ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଓଡ଼ିଶାରେ ରହି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲେ । ପାକିସ୍ତାନକୁ ଓଟିପି ପଠାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (STF) ଦ୍ବାରା ଗିରଫ ହୋଇଥିଲେ ।
ସମସ୍ତ ଦୋଷୀଙ୍କୁ ୩ ବର୍ଷ ଲେଖାଏ ଜେଲଦଣ୍ଡ ହୋଇଛି । ୩୨ ହଜାର ଲେଖାଏ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଜରିମାନା ଅନାଦେୟ ଅଧିକ ମାସେ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ବିଚାରପତି ଅମିତ କୁମାର ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ମାମଲା ଅନୁଯାୟୀ, ଅଭିଜିତ ଏହି କ୍ରାଇମ ନେଟୱର୍କର ମାଷ୍ଟର ମାଇଣ୍ଡ ଥିଲା । ସେ ଇକବାଲ ସହ ମିଶି ଏହି କାରବାର କରୁଥିଲା । ଯାହା ଦ୍ୱାରା ଦେଶ ବିଦେଶରେ କୋଟି କୋଟି ଟଙ୍କାର ସାଇବର ଠକେଇ ହେଉଥିଲା । ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅଫିସର ଅବଦୁଲ ହମିଦ ଓରଫ ଖୁରାମ ସହ ଲିଙ୍କରେ ଅଭିଯୁକ୍ତମାନେ ରହି ଓଡ଼ିଶା ସମେତ ଅନ୍ୟ ରାଜ୍ୟର ସହଯୋଗୀଙ୍କ ମିଶି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିଲେ ।ହ୍ଵାଟ୍ସଆପ, ଟେଲିଗ୍ରାମ, ଫେସବୁକ, ଏକ୍ସ (ପୂର୍ବରୁ ଟ୍ବିଟର), ଇନଷ୍ଟାଗ୍ରାମ ଆଦିରେ ଯୋଡି ହେଉଥିଲେ । ଫେକ୍ ପ୍ରିଆକ୍ଟିଭେଟେଡ୍ ସିମ୍ ଓ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟରୁ ଓଟିପି ସେୟାର କରୁଥିଲେ । ଏହା କରି ଅଭିଯୁକ୍ତମାନେ ମାସକୁ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ ।କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଏନେଇ ୨୦୨୩ ମେ' ୧୨ରେ ମାମଲା (ନଂ.୧୦/୨୦୨୩) ରୁଜୁ କରିଥିଲା। ପର୍ଯ୍ୟାୟକ୍ରମେ ଅଭିଯୁକ୍ତମାନଙ୍କୁ ଏସଟିଏଫ ଗିରଫ କରିଥିଲା । ୧୧ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଆଧାରରେ କୋର୍ଟ ରାୟ ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପରସିକ୍ୟୁଟର ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ ।
ଏନେଇ ରଶ୍ମିରଞ୍ଜନ ବ୍ରହ୍ମ କହିଛନ୍ତି, ‘ଇକବାଲ ଓ ଅଭିଜିତ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ସିଧାସଳଖ ସମ୍ପର୍କରେ ରହୁଥିଲେ । ପାକିସ୍ତାନୀ ଏଜେଣ୍ଟ ଦାନିଶ ଅଲ୍ଲୀ ଓ ପାକିସ୍ତାନୀ ଗୁଇନ୍ଦାର ଅଧିକାରୀ ଅବଦୁଲ ହମିଦ୍ ସହ ଇକବାଲ ଓ ଅଭିଜିତର ସମ୍ପର୍କ ରହିଥିଲା । ଏମିତି ଏକାଧିକ ଘଟଣାରେ ପାକିସ୍ତାନ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣା ଗୁଡ଼ିକରେ ଇଣ୍ଟରପୋଲର ସହାୟତା ନେଇଥିଲା କ୍ରାଇମ୍ବ୍ରାଞ୍ଚ । ମାତ୍ର ପାକିସ୍ତାନ ପକ୍ଷରୁ କିଛି ବି ତଥ୍ୟ ପ୍ରଦାନ କରାଯାଇନଥିଲା ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ