Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚୌଦ୍ୱାର ଜେଲ୍‌ରୁ ୨ ଅପରାଧୀ ଫେରାର; ୨ କର୍ମଚାରୀ ନିଲମ୍ବିତ

    Share on :
    ajab-Image
    Date: Oct 3, 2025    Views: 2573

    କଟକ: କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରୁ ଗୁରୁବାର ବିଳମ୍ବିତ ରାତିରେ ୨ ଜଣ ଅପରାଧୀ ଫେରାର ହୋଇଯାଇଛନ୍ତି। ସେମାନେ ବିହାରର ବାସିନ୍ଦା। ସେମାନଙ୍କ ନାଁ ରାଜା ସାହାଣୀ ଓ ମଧୁକାନ୍ତ ରାଣା। ଅନ୍ୟପକ୍ଷରେ ଏହି ଘଟଣା ପରେ କାର୍ୟ୍ୟରେ ଅବହେଳା ପାଇଁ ଚୌଦ୍ୱାର ସର୍କଲ ଜେଲର ଚିଫ୍‌ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିନ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି। ତା’ ସହିତ ଘଟଣାର ତଦନ୍ତ କରାଯାଉଛି। ଫେରାର ଅପରାଧୀ ଦ୍ୱୟଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି କମିଶନରେଟ ପୁଲିସ ଘୋଷଣା କରିଛି।   ଗତକାଲି ଦଶହରା ଥିଲା। ଚୌଦ୍ୱାର ଜେଲ୍‌ରେ ପୂଜାର୍ଚ୍ଚନା କରାଯାଇଥିଲା। ଜେଲ୍‌ ଅଧିକାରୀ ଓ କର୍ମଚାରୀ ଦଶହରା ପାଳନରେ ମସଗୁଲ ଥିବା ବେଳେ ଫେରାର ହେବା ଯୋଜନାକୁ ଅନ୍ତିମ ରୂପ ଦେଉଥିଲେ ରାଜା ଓ ମଧୁକାନ୍ତି। ରାତି ପ୍ରାୟ ଗୋଟାଏ ବେଳେ ଜେଲରୁ ଚମ୍ପଟ ମାରିଥିଲେ ଉଭୟେ। ସେମାନଙ୍କୁ ଅଲଗା ଅଲଗା ସେଲ୍‌ରେ ରଖାଯାଇଥିଲା। ସେମାନେ ସେଲ୍‌ର ଲୁହା ରଡ୍‌ କାଟି ବାହାରିଥିଲେ। ତା’ପରେ କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ସେମାନେ ଜେଲ୍‌ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ। କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରିବା ପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତି କରି ରଖିଥିଲେ ବୋଲି ସ୍ପଷ୍ଟ ଜଣାପଡ଼ୁଛି। କମ୍ବଳକୁ ଲମ୍ବା ଲମ୍ବା କରି କଟାଯାଇ ପରସ୍ପର ସହିତ ବନ୍ଧା ଯାଇଥିଲା। ଏହାର ମଝିରେ ମଝିରେ ଅତିରିକ୍ତ ଗଣ୍ଠି ପକାଯାଇଥିଲା, ଯେମିତି ସୁବିଧାରେ ସେଥିରେ ଚଢ଼ି ହେବ ଓ ହାତଗୋଡ଼ ନଖସିବ। ଚୌଦ୍ୱାର ସର୍କଲ ଜେଲ୍‌ରୁ ଏମିତି ଢଙ୍ଗରେ ଦୁଇ ଜଣ ଅପରାଧୀ ଫେରାର ହୋଇଯିବା ଘଟଣାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି। କୌଣସି ଜେଲ କର୍ମଚାରୀଙ୍କ ସହାୟତା ବିନା ଏହା ସମ୍ଭବ ନୁହେଁ ବୋଲି କୁହାଯାଉଛି। ପୁଣି ଜେଲ୍‌ ଭିତରେ ସେମାନଙ୍କ କାର୍ୟ୍ୟକଳାପ ସନ୍ଦେହଜନକ ରହିଥିଲା। ୩ ମାସ ତଳେ ଉଭୟଙ୍କଠାରୁ ଆରିପାତ ଓ ବ୍ଲେଡ୍‌ ମିଳିଥିଲା। ତେଣୁ ସେବଠାରୁ ସେମାନେ ଫେରାର ହେବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିସାରିଥିଲା। ଏହା ଜାଣି ସୁଦ୍ଧା ଜେଲ୍‌ କର୍ତ୍ତୃପକ୍ଷ କାହିଁକି ସେମାନଙ୍କ ଉପରେ ଅଧିକ ସତର୍କ ଦୃଷ୍ଟି ରଖିନଥିଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଯଦି ସତର୍କ ଦୃଷ୍ଟି ରଖାଯାଇଥିଲା, ତା’ହେଲେ ଏ ଘଟଣା ଘଟିଲା କେମିତି?ଘଟଣା ସଂପର୍କରେ ଅଭିଯୋଗ ପାଇବା ପରେ ଚୌଦ୍ୱାର ଥାନା ପୁଲିସ, କଟକ ଡିସିପି ଓ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ପ୍ରମୁଖ ପହଞ୍ଚି ଛାନଭିନ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍ ଓ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଛି।
    ଜେଲ ଡିଜି ସୁଶାନ୍ତ କୁମାର ନାଥ କହିଛନ୍ତି, ଏହି ଘଟଣା ନେଇ ଅଭିଯୋଗ କରାଯିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ଡିଆଇଜି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ତା’ପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମ ଷ୍ଟାଫ ହୁଅନ୍ତୁ ବା ବାହାରର ଷ୍ଟାଫ ହୁଅନ୍ତୁ, ଯଦି କାହାର ସଂପୃକ୍ତି ଥିବା ନେଇ ତଦନ୍ତରୁ ଜଣାପଡ଼ିବ, ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ। ତେବେ କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲର ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook