ମୁଖ୍ୟ ଖବର
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ବିଜାପାଲି ଗୁଣି ଗାରେଡ଼ିକୁ ନେଇ ହତ୍ୟା ମାମଲାରେ ଆସିଲା କୋର୍ଟଙ୍କ ରାୟ । ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଦୌରା ଜଜ। ଅନ୍ଧବିଶ୍ୱାସର କରୁଣ ପରିଣତି ଯୋଗୁଁ ଯାଇଥିଲା ଜଣେ କକେଜ ଛାତ୍ରୀର ଜୀବନ । ୨୦୧୭ ମାର୍ଚ୍ଚ ୨ତାରିଖରେ ଘଟିଥିଲା ଏହି ଚାଞ୍ଚଲ୍ୟକର ଘଟଣା।ସୂଚନାଥାଉକି, ଲଖନପୁର ବ୍ଲକ ବିଜାପାଲି ଗାଁରେ ରହୁଥିବା ସଂଯୁକ୍ତା ଜୟପୁରିଆ ନାମକ ଛାତ୍ରୀଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କ ବାପା-ମା ଘରକୁ ଶିବଗୁରୁ ପୂଜା କରୁଥିବା ଜଣେ ଗୁଣିଆକୁ ଡାକିଥିଲେ। ସନ୍ଧ୍ୟାରେ ପୂଜା ଆରମ୍ଭ ହୋଇଥିଲା । ସଂଯୁକ୍ତାଙ୍କ ଦେହ ଭଲ କରିବା ପାଇଁ ପୂଜା କରି ତା ଉପରେ ତାଣ୍ଡବ ନୃତ୍ୟ କରାଯାଇଥିଲା । ଏମିତିକି ସଂଯୁକ୍ତାର ମୁଣ୍ଡ କେଶକୁ କାଟି ପୋଡ଼ିବା ସହ ଶରୀରରେ ନିଆଁ ଚେଙ୍କ ଦିଆଯାଇଥିଲା । ଏହି ଘଟଣାରେ ଯୁବତୀ ସଂଯୁକ୍ତା ଜୟପୂରିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ତେବେ ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବାବେଳେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଶିବ ତାଣ୍ଡବ କରିଥିବା ୨ ଯୁବତୀ, ତାଙ୍କର ୩ ସହଯୋଗୀ ଓ ଛାତ୍ରୀଙ୍କ ବାପା-ମାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା । ଆଉ ଝାରସୁଗୁଡ଼ା ଏଡିଜେ କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଉକ୍ତ ୨ ଯୁବତୀଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଛାତ୍ରୀଙ୍କ ବାପା-ମା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ସୌଦାମିନୀ ଜୟପୁରିଆ(୨୨), ସନ୍ତୋଷିନି ଜୟପୁରିଆ(୨୩), ପତ୍ରମାଲ୍ ନବୀନ ଭୋଇ(୨୨), ସହଦେବ ଜୟପୁରିଆ(୧୯), ଅକ୍ଷୟ ଜୟପୁରିଆ(୧୯)।
Comments ସମସ୍ତ ମତାମତ