ମୁଖ୍ୟ ଖବର
ନୂଆଦିଲ୍ଲୀ : ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୋମବାର କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏହି ପ୍ରସଙ୍ଗରେ ଇସିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିବା ବେଳେ ବିରୋଧୀ ଦଳର ନେତାଙ୍କୁ ସମାଲୋଚନା କରିଛନ୍ତି।
ଲୋକସଭାରେ ବିରୋଧୀ ଦଳ ନେତା କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ନଡ୍ଡା କହିଥିଲେ ମିଛ କଥା ବାରମ୍ବାର କହିଲେ ତାହା ସତ ହୋଇଯିବ ନାହିଁ। ରାହୁଲ ବାରମ୍ବାର ନିଜ ମିଥ୍ୟା ତଥ୍ୟକୁ ସତ୍ୟ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି। ରାହୁଲଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ଏମାନେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ନଡ୍ଡା ରାହୁଲ, କେଜ୍ରିୱାଲ, ଅଖିଳେଶ ଓ ମମତାଙ୍କୁ ସମାଲୋଚନା କରି କହିଥିଲେ ଏମାନେ ଦେଶର ବିକାଶକୁ ରୋକିବାକୁ ପ୍ରତିଦିନ ନୂଆନୂଆ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। ଏଥିସହ ଏଭଳି ବ୍ୟକ୍ତି ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି। ଅଯଥାରେ ବିବାଦ ସୃଷ୍ଟି କରିବା ବିରୋଧୀ ଦଳ ନେତାଙ୍କ ଅଭ୍ୟାସରେ ପରିଣତ ହୋଇ ଗଲାଣି। ଜାତୀୟ ସୁରକ୍ଷା, ଜନସାଧାରଣଙ୍କ ଉନ୍ନତି, ଦେଶର ସମ୍ମାନକୁ ଏମାନେ ଆଦୌ ଗୁରୁତ୍ବ ଦେଉ ନାହାନ୍ତି। ଏସବୁ ନେତା କେବଳ କ୍ଷମତାକୁ ଫେରିବାକୁ ଚାହୁଁଛନ୍ତି। କ୍ଷମତାକୁ ଫେରି ଜନସେବା ଅପେକ୍ଷା ନିଜସ୍ବ ଫାଇଦା ହାସଲ ଲକ୍ଷ୍ୟରେ ଏମାନେ ରହିଛନ୍ତି। ଏଭଳି ନେତାଙ୍କୁ ଭୋଟର ପୂର୍ବରୁ ଉଚିତ୍ ଜବାବ ଦେଇଥିବା ବେଳେ ଆଗାମୀଦିନରେ ମଧ୍ୟ କଡ଼ା ଜବାବ ଦେବେ ବୋଲି ନଡ୍ଡା ଆଶାବ୍ୟକ୍ତ କରିଛନ୍ତି। ଏସ୍ଆଇଆର ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ତରଫରୁ ସ୍ପଷ୍ଟୀକରଣ ପ୍ରଦାନ ପରେ ମଧ୍ୟ ଏସବୁ ନେତା ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ଦେଶବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିରୋଧୀ ଦଳ ନକାରାତ୍ମକ ରାଜନୀତି କରି ଦେଶର ବିକାଶକୁ ପ୍ରତିହତ କରିବାକୁ ପ୍ରୟାସ କରୁଛି। ବିରୋଧୀ ଦଳ ନେତାଙ୍କ ମନୋଭାବ ଦେଶ ପାଇଁ ଅହିତକର ବୋଲି ନଡ୍ଡା କହିଛନ୍ତି। ବିରୋଧୀ ଦଳଗୁଡ଼ିକ ନିକଟରେ ଦେଶର ଉନ୍ନତି ପାଇଁ କୌଣସି ଯୋଜନା ଓ ଦୂରଦୃଷ୍ଟି ନ ଥିବା ବେଳେ ସେମାନେ ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରି ଦେଶବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଥିବା ନଡ୍ଡା ଅଭିଯୋଗ କରିଛନ୍ତି।
Comments ସମସ୍ତ ମତାମତ