Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୯ ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନଡ୍ଡା

    Share on :
    ajab-Image
    Date: Sep 20, 2022    Views: 2927

    ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ବିଜେପି ନିଜର ପ୍ରସ୍ତୁତି ଜୋରଦାର କରିଛି ।ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା  ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରୀୟ ସଭାପତି ହେବା ପରେ ଶ୍ରୀ ନଡ୍ଡାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଦଳ ପକ୍ଷରୁ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
    ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଜର ଦୁଇଦିନିଆ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ନଡ୍ଡା ଭୁବନେଶ୍ୱର, କଟକ ଓ ପୁରୀ ଗସ୍ତରେ ଯିବେ । ଭୁବନେଶ୍ୱରରେ ସେ ଏକ ବିଶାଳ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳର ବରିଷ୍ଠ ନେତାମାନଙ୍କ ସହ ରଣନୀତି ପ୍ରସ୍ତୁତ କରିବେ । ଶ୍ରୀ ନଡ୍ଡା ତାଙ୍କ ଗସ୍ତ କାଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି । ବିଜେପି ଏବେବି ଓଡ଼ିଶାରେ ନିଜର ‘ମିଶନ-୧୨୦’କୁ ଫଳପ୍ରଦ କରିବା ନିମନ୍ତେ ରଣନୀତିରେ ଲାଗିଛି ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ଆସିବା ପରେ ଏହି ମିଶନକୁ ସଫଳ କରିବା ନିମନ୍ତେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

    ସୂଚନାଯୋଗ୍ୟ, ଅଗଷ୍ଟ ୮ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସି ସମୟ ଅପଚୟ ନକରି ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେବାକୁ ଦଳର ନେତାମାନଙ୍କୁ ପରାମର୍ଶ ଦେଇଥିଲେ । ସେ ଦଳର ବୁଥକମିଟିକୁ ସୁଦୃଢ଼ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଆଉ ଶ୍ରୀ ଶାହଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ ମିଳିଛି । ଶ୍ରୀ ବଂଶଲ ବିଜେପିକୁ ୨୦୧୭ ଓ ୨୦୨୨ ମସିହାରେ ଉତ୍ତରପ୍ରଦେଶରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook