Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଇସ୍ରୋ ପରିଦର୍ଶନ କରିବେ 30 ଓଡ଼ିଆ ଯୁବ ବୈଜ୍ଞାନିକ

    Share on :
    ajab-Image
    Date: Dec 14, 2025    Views: 3278

    ଭୁବନେଶ୍ବର: ଇସ୍ରୋ ଯିବେ ରାଜ୍ୟର ୩୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ଅବସର । ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନୀ ଓ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ରୁଚି ରଖୁଥିବା ଏହି ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ କରିଛନ୍ତି । ଏନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁବ ଉତ୍ସାହ ରହିଛି ।
    "ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ଗ୍ରାଣ୍ଡ ଫିନାଲେରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ସେମାନେ ଜଣେ ଜଣେ ବିଶିଷ୍ଟ ମହାକାଶ ବିଜ୍ଞାନୀ ହେବେ ବୋଲି ଆଶା କରୁଛି । ୟାଟସ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସ୍କୁଲ ପିଲାମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଉତ୍ସାହ ଭରୁଥିବା ପାଇଁ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଉଛି । ଏହି ଯୁବ ପ୍ରତିଭାମାନେ ନିଶ୍ଚିନ୍ତଭାବେ ଏ କ୍ଷେତ୍ରରେ ବହୁ ଆଗକୁ ଯିବେ ଓ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ । ଏବେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନବୃତ୍ତି ଜାଗୃତ ହେଉଛି" ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
    ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,"ରାଜ୍ୟରେ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢିବା କରିବା ପାଇଁ ଭୁବନେଶ୍ୱରରେ ସାଇନ୍ସ ସିଟିର ବ୍ୟବସ୍ଥା କରାଯାଉଛି । ଚନ୍ଦକାରେ 100 ଏକର ସ୍ଥାନରେ ଏହାକୁ କରିବା ପାଇଁ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ସାଇନ୍ସ ସିଟିର କାମ ଆରମ୍ଭ କରାଯିବ । ଏହା ସହିତ ରାଜ୍ୟରେ ଅନେକ ଜିଲ୍ଲାରେ ପ୍ଳାନେଟୋରିୟମ କରାଯିବାର ଯୋଜନା ରହିଛି । ତାହା ମଧ୍ୟରୁ ଖଣ୍ଡପଡାରେ ଅର୍ଥାତ ପଠାଣିସାମନ୍ତଙ୍କ ଜନ୍ମ ମାଟିରେ ଏକ ପ୍ଳାନେଟୋରିୟମର ନିର୍ମାଣ କରାଯିବ । ଆସନ୍ତାମାସ 30 ତାରିଖରେ ଏହାର ଶୁଭ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ 5ରୁ 6ଟି ପ୍ଳାନେଟୋରିୟମ ନିର୍ମାଣ ଚାଲିଥିବା ବେଳେ ଆଉ 3-4ଟି ତିଆରି ଚାଲିଛି । ବ୍ରଜରାଜ ନଗର, ଖଣ୍ଡପଡା ଓ ଢେଙ୍କାନାଲରେ ଏହାର ପ୍ରତିଷ୍ଠା କରାଯିବା ନେଇ ଯୋଜନା ରହିଛି ।"

    ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନଟାରିୟମ୍‌ର ଅଧ୍ୟକ୍ଷା ଚିତ୍ରା ଅରୁମୁଗମ କହିଛନ୍ତି,"ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ) ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେଉଛି । ରାଜ୍ୟ ସରକାର ଓ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ହେଉଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ବିଜ୍ଞାନ ପ୍ରତିରୁଚି ଓ ଆଗ୍ରହ ରହିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ବିଶେଷ ସୁଯୋଗ । ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଯୁବ ପ୍ରତିଭାମାନେ ଭବିଷ୍ୟତରେ ଯେଉଁ କ୍ଷେତ୍ରରେ ବି ରହିଲେ ସେମାନେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ । ଆଜିର ୩୦ ବିଜୟୀ ଛାତ୍ରଛାତ୍ରୀମାନେ ଇସ୍ରୋ ସଂସ୍ଥାନ ପରିଦର୍ଶନ କରିବା ସହ ମହାକାଶ ବିଜ୍ଞାନ ସମ୍ପର୍କରେ ଅନେକ କିଛି ଜାଣିବାର ସୁଯୋଗ ପାଇବେ ।"

    ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ୍ ସର୍ଭିସେସ) ଡି ବି ସୁନ୍ଦର ରମମ କହିଛନ୍ତି,"ଯୁବ ଜ୍ୟୋତିର୍ବିଜ୍ଞାନୀମାନଙ୍କ ମଧ୍ୟରେ ବିଜ୍ଞାନକୁ ନେଇ ଆଗ୍ରହ ସୃଷ୍ଟି କରିବା ପାଇଁ କମ୍ପାନୀର ରହିଥିବା ଦୀର୍ଘକାଳୀନ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ୟାଟ୍‌ସ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ମହାକାଶ ବିଜ୍ଞାନ ପ୍ରତି ପଠାଣିସାମନ୍ତଙ୍କ ମହାନ ଅବଦାନ ପ୍ରତି ଶ୍ରଦ୍ଧାଞ୍ଜଳି । “ୟାଟ୍‌ସ”, ଅନ୍ତରୀକ୍ଷ ସମ୍ପର୍କରେ ଅନ୍ୱେଷଣ କରିବାକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ସେମାନଙ୍କୁ ପ୍ରେରଣା ଦେଉଛି । "
    ଗ୍ରାଣ୍ଡ ଫିନାଲେରେ ସାମିଲ ହୋଇଥିବା ୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ଜଣ ବିଜୟୀ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ମାନିତ କରିଛନ୍ତି । ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ରାଜ୍ୟର ସମସ୍ତ ଜିଲାରୁ ୭୬,୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ୨୦୦୭ ମସିହାରେ ୟାଟ୍‌ସ ଶୁଭାରମ୍ଭ ପରଠାରୁ ଏଥିରେ ୪.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡି ହୋଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook