Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଡିସେମ୍ବର ୨୩ରେ ଆଇପିଏଲ୍‌ ନିଲାମୀ

    Share on :
    ajab-Image
    Date: Nov 10, 2022    Views: 4219

    ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୩ ସଂସ୍କରଣର ଖେଳାଳି ନିଲାମୀ ଆସନ୍ତା ଡିସେମ୍ବର ମାସ ୨୩ ତାରିଖ କୋଚିରେ ଆୟୋଜିତ ହେବ । ଏହାପୂର୍ବରୁ ୧୦ଟି ଫ୍ରାଞ୍ଚାଇଜ ଦଳରୁ କେଉଁ ଖେଳାଳିଙ୍କୁ ଛାଡ଼ିବେ ତାହାର ଏକ ତାଲିକା ବିସିସିଆଇକୁ ପ୍ରଦାନ କରିବେ । ପୂର୍ବ ସଂସ୍କରଣ ଭଳି ଏଥର ମେଗା ନିଲାମୀ ହେବ ନାହିଁ ।
    ଆଇପିଏଲ୍‌ର କଳେବର ବୃଦ୍ଧି ହୋଇ ଦଳ ସଂଖ୍ୟା ୧୦ ହୋଇଛି । ନିଲାମୀରେ ଦଳ ଗୁଡ଼ିକ ୯୦ କୋଟି ମଧ୍ୟରେ ଖେଳାଳି କ୍ରୟ କରିବାର ନିୟମ ରହିଥିଲା । କିନ୍ତୁ ଆଗାମୀ ସଂସ୍କରଣ ପାଇଁ ଏଥିରେ ଆଉ ୫ କୋଟି ଟଙ୍କା ବୃଦ୍ଧି କରିଛି ବିସିସିଆଇ । ଅର୍ଥାତ ଦଳ ଗୁଡ଼ିକ ମୋଟ୍‌ ୯୫ କୋଟି ଟଙ୍କା ମଧ୍ୟରେ ଦଳରେ ଖେଳାଳି ସାମିଲ କରିପାରିବେ ।
    ଗତ ସଂସ୍କରଣରେ ଦଳ କ୍ରୟ କରି ସାରିବା ପରେ ପଞ୍ଜାବ କିଙ୍ଗ୍‌ସ ପାଖରେ ଆଉ ୩.୪୫ କୋଟି ଟଙ୍କା ବଳକା ରହିଛି । ପୁଣି ସବୁ ଦଳର ୫ କୋଟି ଲେଖାଏଁ ବୃଦ୍ଧି ପାଇଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍‌ସ ପାଖରେ ୨.୯୫ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୧.୫୫ କୋଟି, ରାଜସ୍ଥାନ ରୟାଲ୍ସର ୦.୯୫ କୋଟି ଏବଂ କୋଲକାତା ନାଇଟ୍‌ ରାଇଡର୍ସ ପାଖରେ ରହିଛି ୦.୪୫ କୋଟି । ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ପାଖରେ ୧୫ ଲକ୍ଷ ଥିବାବେଳେ ମୁମ୍ବାଇ ଇଣ୍ଡ୍ରିଆନ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ମାତ୍ର ୧୦ ଲକ୍ଷ ଲେଖାଏଁ ରହିଛି ।
    ସୂଚନା ଅନୁସାରେ, ଚଳିତ ମାସ ୧୫ ତାରିଖ ସୁଦ୍ଧା ପ୍ରତ୍ୟେକ ଦଳ ସେମାନଙ୍କର ଖେଳାଳି ତାଲିକା ବିସିସିଆଇକୁ ପଠାଇବେ । ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଲାମୀ ପାଇଁ ଖେଳାଳି ପୁଲ୍‌ ଚୂଡାନ୍ତ ହେବ । ଚଳିତ ବର୍ଷ ଗତ ଫେବ୍ରୁଆରୀ ମାସରେ ମେଗା ନିଲାମୀ ହୋଇଥିଲା । ଏହା ଦୁଇ ଦିନ ଧରି ଚାଲିଥିଲା । କିନ୍ତୁ ମିନି ନିଲାମୀ ଗୋଟିଏ ଦିନରେ ଶେଷ ହେବ । ସାଧାରଣତଃ ମିନି ନିଲାମୀରେ ବିଦେଶୀ ଖେଳାଳିଙ୍କ ଅଧିକ ଚାହିଦା ରହିଥାଏ । ବେନ୍‌ ଷ୍ଟୋକ୍ସ, ସାମ କୁରାନ ଓ କାମେରନ ଗ୍ରୀନଙ୍କ ଭଳି ଖେଳାଳି ଏଥର ନିଲାମୀରେ ସାମିଲ ହୋଇପାରନ୍ତି । ସେମାନଙ୍କ ଚାହିଦା ଆକାଶ ଛୁଆଁ ହେବ ବୋଲି ଆଶା କରାଯାଉଛି ।

    ଗୋଟିଏ ଦଳରେ ଅନ୍ୟୂନ ୮ ଜଣ ବିଦେଶୀ ଖେଳାଳି ରହିବାର ନିୟମ ରହିଛି । କିନ୍ତୁ ପଞ୍ଜାବ, ଦିଲ୍ଲୀ ଓ ଲକ୍ଷ୍ନୌ ଦଳରେ ୭ ଜଣ ଲେଖାଏଁ ଅଛନ୍ତି । ତେଣୁ ଏହି ସବୁ ଦଳ ଆଗାମୀ ନିଲାମୀରେ ଆବଶ୍ୟକ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବେ।

    Maximum 500 characters

    ଖେଳ ଖବର View all

    Find Us on Facebook