Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପଞ୍ଜାବ କିଙ୍ଗ୍‌ସ ହାତରୁ ମ୍ୟାଚ୍‌ ଛଡ଼ାଇନେଲା ;ଦିଲ୍ଲୀ କ୍ୟାପିଟାଲ୍‌ସ

    Share on :
    ajab-Image
    Date: May 12, 2026    Views: 2858

    ଧର୍ମଶାଳା : ସୋମବାର ଚଳିତ ଆଇପିଏଲ୍‌ରେ ଏକ ରୋମାଞ୍ଚକର ମ୍ୟାଚ୍‌ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ପଞ୍ଜାବ କିଙ୍ଗ୍‌ସ ହାତରୁ ମ୍ୟାଚ୍‌ ଛଡ଼ାଇନେଇ ୩ ୱିକେଟ୍‌ରେ ଜିତି ଦିଲ୍ଲୀ ପ୍ଲେଅଫ୍‌ ଖେଳିବା ଆଶା ବଜାୟ ରଖିଛି। ୩୦ ବଲ୍‌ରୁ ଦିଲ୍ଲୀ ୬୮ ରନ୍‌ ଆବଶ୍ୟକ କରୁଥିବା ବେଳେ ୨୪ ବଲ୍‌ରୁ ଅବିଶ୍ବସନୀୟ ୭୩ ରନ୍‌ କରି ଜିତିଥିଲା। ପ୍ରିନ୍‌ସ ଆର୍ୟ୍ୟ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ କିଙ୍ଗ୍‌ସ ୬ ୱିକେଟ୍‌ରେ ୨୧୦ ରନ୍‌ କରିଥିଲା। ପରେ ଅକ୍ଷର ପଟେଲ ଓ ଡେଭିଡ୍‌ ମିଲରଙ୍କ ଅର୍ଦ୍ଧଶତକ ସହ ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ୬ଟି ବଲ୍‌ ବାକିଥାଇ ୭ ୱିକେଟ୍‌ ହରାଇ ଦିଲ୍ଲୀ ଜିତି ନେଇଥିଲା। ଏହି ମ୍ୟାଚ୍‌ ହାରିଥିଲେ ଦିଲ୍ଲୀ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିଥାଆନ୍ତା। ୧୨ଶ ମ୍ୟାଚ୍‌ରେ ୫ମ ବିଜୟ ପ​‌େ​‌ର ଦିଲ୍ଲୀ ୭ମ ସ୍ଥାନରେ ରହିଛି। ୧୧ଶ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗି ପଞ୍ଜାବ ୪ର୍ଥ ସ୍ଥାନରେ ରହିଛି।

    ଦିଲ୍ଲୀ କ୍ୟାପିଟାଲ୍‌ସ ବିପର୍ୟ୍ୟୟ ସହ ୨୧୧ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୨ୟ ଓଭରରେ ୫ ରନ୍‌କରି ଅଭିଷେକ ପୋରେଲ ଆଉଟ୍‌ ହୋଇଥିଲେ। ୩ୟ ଓଭରରେ ଫର୍ମରେ ଥିବା କେ.ଏଲ୍‌. ରାହୁଲ ୯ ରନ୍‌କରି ବିଦାୟ ନେଇଥିଲେ। ସାହିଲ ପରଖ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ଦିଲ୍ଲୀ ୩୩ ରନ୍‌ରେ ୩ଟି ୱିକେଟ୍‌ ହରାଇବା ପ​‌​‌ର ଟ୍ରିଷ୍ଟାନ୍‌ ଷ୍ଟବ୍‌ସ ଓ ଅଧିନାୟକ ଅକ୍ଷର ପଟେଲ ୪୧ ରନ୍‌ ଯୋଡ଼ିଥିଲେ। ଷ୍ଟବ୍‌ସ ୧୭ ବଲ୍‌ରୁ ମାତ୍ର ୧୨ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ୯ ଓଭରରେ ଦିଲ୍ଲୀ ୭୬ ରନ୍‌କରି ୪ଟି ୱିକେଟ୍‌ ହରାଇଥିଲା। ପରେ ଅକ୍ଷର ଓ ଡେଭିଡ୍‌ ମିଲର ଆକ୍ରମଣ କରିଥିଲେ। ୨୮ ବଲ୍‌ରୁ ଅକ୍ଷର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବାମହାତି ବିସ୍ଫୋରକ ବ୍ୟାଟିଂକରି ୩୩ ବଲ୍‌ରୁ ୬୪ ରନ୍‌ ଯୋଡ଼ିଥିଲେ। ଅକ୍ଷର ପଟେଲ ୩୦ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୫୬ ରନ୍‌କରି ଆଉଟ୍‌ ହୋଇଥିଲେ। ୨୭ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବାର ପର ବଲ୍‌ରେ ମିଲର ଆଉଟ୍‌ ହୋଇ ଯାଇଥିଲେ। ଡେଭିଡ୍‌ ମିଲର ୨୮ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୫୧ ରନ୍‌ କରିଥିଲେ। ଆଶୁତୋଷ ଶର୍ମା ୧୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍‌ କରିଥିଲେ। ମାଧବ ତିୱାରୀ ୮ ବଲ୍‌ରୁ ୧୮ ଏବଂ ଆକିବ୍‌ ନବି ୨ ବଲ୍‌ରୁ ୧୦ ରନ୍‌କରି ଅପରାଜିତ ଥିଲେ। ଅର୍ଶଦୀପ ସିଂହ ଓ ଯଶ ଠାକୁର ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।
    ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ କରିଥିଲା। ମିଚେଲ ଷ୍ଟାର୍କଙ୍କୁ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଛକାମାରି ପଞ୍ଜାବ କିଙ୍ଗ୍‌ସର ଓପ୍‌ନର ପ୍ରିୟାଂଶ ଆର୍ୟ୍ୟ ଇନିଂସ ଆରମ୍ଭ କରିଥିଲେ। ପ୍ରିୟାଂଶ ଆରମ୍ଭରୁ ବାଉଣ୍ଡରୀ ବର୍ଷା କରିଥିବା ବେଳେ ଅନ୍ୟ ଓପ୍‌ନର ପ୍ରଭସିମ୍ରନ୍ ସିଂହ ଦର୍ଶକ ସାଜିଥିଲେ। ପ୍ରଥମ ୩ ଓଭରରେ ପଞ୍ଜାବ ୫୧ ରନ୍‌ କରିଥିଲା। ୬ଷ୍ଠ ଓଭରରେ ମାତ୍ର ୨୪ ବଲ୍‌ରୁ ପ୍ରିୟାଂଶ ଆର୍ୟ୍ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୭ମ ଓଭରରେ ୭୮ ରନ୍‌ର ଓପ୍‌ନିଂ ଭାଗୀଦାରି ପରେ ପଞ୍ଜାବ ପ୍ରଥମ ୱିକେଟ୍‌ ହରାଇଥିଲା। ପ୍ରଭସିମ୍ରନ୍‌ ସିଂହ ୧୫ ବଲ୍‌ରୁ ମାତ୍ର ୧୮ ରନ୍‌ କରିଥିଲେ। ପ୍ରିୟାଂଶ ଆର୍ୟ୍ୟ ୩୩ ବଲ୍‌ରୁ ୬ଟି ଛକା ଓ ୨ଟି ଚୌକା ସହ ୫୬ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଶ୍ରେୟସ ଆୟର ଓ କୁପର କନୋଲି ତୃତୀୟ ୱିକେଟ୍‌ ପାଇଁ ୫୧ ବଲ୍‌ରୁ ୮୩ ରନ୍‌ ଯୋଡ଼ିଥିଲେ। ଅଷ୍ଟ୍ରେଲିଆର କନୋଲି ୨୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଷ ୪ ଓଭରରୁ ୪୨ ରନ୍‌ ହେବାରୁ ପଞ୍ଜାବ ଦୁଇ ଶହ ରନ୍‌ ଅତିକ୍ରମ କରିଥିଲା। କ୍ରମାଗତ ୨ଟି ବଲ୍‌ରେ ପଞ୍ଜାବର ମାର୍କସ ଷ୍ଟଇନିସ୍‌ (୧) ଓ ଶଶାଙ୍କ ସିଂହ (୦) ଆଉଟ୍‌ ହୋଇ ଯାଇଥିଲେ। ଶ୍ରେୟସ ଆୟର ୩୬ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୯ ରନ୍‌କରି ଅପରାଜିତ ଥିଲେ। ସୂର୍ୟ୍ୟାଂଶ ସେଡ୍‌ଗେ ୮ଟି ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ମିଚେଲ ଷ୍ଟାର୍କ ଓ ମାଧବ ତିୱାରୀ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ମାଧବ ତିୱାରୀ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook