ମୁଖ୍ୟ ଖବର
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୬ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ୟ୍ୟାୟରେ ଈଶାନ୍ କିଷନ ସନ୍ରାଇଜର୍ସ ହାଇଦରାବାଦ ଦଳର ନେତୃତ୍ବ ନେବେ। ବୁଧବାର ସନ୍ରାଇଜର୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ସନ୍ରାଇଜର୍ସର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆହତ ଥିବାରୁ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ୟ୍ୟାୟରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଈଶାନ୍ କିଷନ ଦଳର ନେତୃତ୍ବ ନେବେ। ବିସ୍ଫୋରକ ଓପ୍ନର ଅଭିଷେକ ଶର୍ମା ଦଳର ଉପଅଧିନାୟକ ଦାୟିତ୍ବ ସମ୍ଭାଳିବେ। ମାର୍ଚ୍ଚ ୨୮ରେ ଗତବର୍ଷର ଚମ୍ପିଆନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ବିପକ୍ଷରେ ସନ୍ରାଇଜର୍ସ ପ୍ରଥମ ମ୍ୟାଚ୍ ଖେଳିବ। ଆହତ ଥିବାରୁ ପ୍ୟାଟ୍ କମିନ୍ସ ଗତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଖେଳିନଥିଲେ। କମିନ୍ସଙ୍କ ସହ ଚେନ୍ନଇ ସୁପର କିଙ୍ଗ୍ସ ଦଳରେ ଥିବା ଅନ୍ୟ ଅଷ୍ଟ୍ରେଲୀୟ ପେସ୍ ବୋଲର ଜୋସ୍ ହାଜେଲ୍ଉଡ୍ ମଧ୍ୟ ଆହତ ଅଛନ୍ତି।
ଅନୁମାନ କରାଯାଉଛି ଯେ କ୍ରିକେଟ୍ ଅଷ୍ଟ୍ରେଲିଆଠାରୁ ଅନୁମତି ପାଇବା ପରେ ପ୍ୟାଟ୍ କମିନ୍ସ ଚଳିତମାସର ଶେଷଆଡ଼କୁ ସନ୍ରାଇଜର୍ସ ଦଳରେ ଯୋଗ ଦେଇପାରନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥହୋଇ ମ୍ୟାଚ୍ ଖେଳିବା ଲାଗି ପ୍ରସ୍ତୁତ ହେବା ପାଇଁ ତାଙ୍କ କିଛିଦିନ ଲାଗିବ। ସେ ପର୍ୟ୍ୟନ୍ତ ଝାଡ଼ଖଣ୍ଡର ୱିକେଟ୍ ରକ୍ଷକ ତଥା ବାମହାତି ବ୍ୟାଟ୍ସମ୍ୟାନ ଈଶାନ୍ କିଷନ ପୂର୍ବତନ ଚମ୍ପିଆନ୍ ସନ୍ରାଇଜର୍ସ ହାଇଦରାବାଦ ଦଳର ନେତୃତ୍ବ ନେବେ। ବେଶ୍ କିଛିଦିନ ହେଲା ପ୍ୟାଟ୍ କମିନ୍ସ ପିଠି ଆଘାତ ଯୋଗୁଁ ନିୟମିତ ଖେଳିନାହାନ୍ତି। ଗତ ଆସେସ୍ ଶୃଙ୍ଖଳାରେ କମିନ୍ସ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ। ଉକ୍ତ ମ୍ୟାଚ୍ରେ କମିନ୍ସ ମୋଟ ୬ଟି ୱିକେଟ୍ ନେଇଥିଲେ ଏବଂ ଅଷ୍ଟ୍ରେଲିଆ ଏହାକୁ ଜିତି ୩-୦ରେ ଆଗୁଆ ହୋଇ ଆସେସ୍ ବଜାୟ ରଖିଥିଲା। ଦୁଇ ବାମହାତି ବ୍ୟାଟ୍ସମ୍ୟାନ ଈଶାନ୍ କିଷନ ଓ ଅଭିଷେକ ଶର୍ମା ଟ୍ବେଣ୍ଟି୨୦ ବିଶ୍ବକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଦୁହେଁ ଉକ୍ତ ବିଶ୍ବକପ୍ରେ ଭଲ ପ୍ରଦର୍ଶନ କରିଥିଲେ। ୨୦୨୫ ଆଇପିଏଲ୍ ପୂର୍ବରୁ ନିଲାମରେ କିଷନ୍ଙ୍କୁ ୧୧.୨୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା ସନ୍ରାଇଜର୍ସ ହାଇଦରାବାଦ। ସେ ୧୫୨.୫୮ ଷ୍ଟ୍ରାଇକ୍ ରେଟ୍ରେ ୩୫୪ ରନ୍ କରିଥିଲେ। ଫଳରେ ୨୦୨୬ ସଂସ୍କରଣ ପାଇ କିଷନ୍ଙ୍କୁ ଦଳରେ ରଖିଥିଲା ସନ୍ରାଇଜର୍ସ। ସନ୍ରାଇଜର୍ସ ପାଇଁ ପଦାର୍ପଣ ମ୍ୟାଚ୍ରେ କିଷନ୍ ଅପରାଜିତ ଶତକ ହାସଲ କରିଥିବା ବେଳେ ଅପରାଜିତା ୯୪ ରନ୍ର ଏକ ଇନିଂସ ମଧ୍ୟ ଖେଳିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଭାରତୀୟ ଟ୍ବେଣ୍ଟି୨୦ ଦଳକୁ ଫେରିବା ପରେ ଈଶାନ କିଷନ ୧୩ଟି ମ୍ୟାଚ୍ରୁ ୨୦୭ ଷ୍ଟ୍ରାଇକ୍ରେଟ୍ ଓ ୪୧ ଆଭ୍ରେଜରେ ୫୩୨ ରନ୍କରି ଚମତ୍କାର ଫର୍ମରେ ଅଛନ୍ତି। ଗତ ବିଶ୍ବକପ୍ରେ ସେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଉଭୟ କିଷନ ଓ ଅଭିଷେକ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ।
Comments ସମସ୍ତ ମତାମତ