ମୁଖ୍ୟ ଖବର
ନୂଆଦିଲ୍ଲୀ: ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ସିଜିନ ୧୭ । ଆଇପିଏଲର ପ୍ରଥମ ମୁକାବିଲାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରୀଡାପ୍ରେମୀ । ଉଦଘାଟନୀ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ମୁହାଁମୁହିଁ ହେବେ ଆରସିବି ଓ ଗତ ଥରର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ । ପ୍ରଥମ ମ୍ୟାଚ ଖେଳି ବିଜୟ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ପୁରା ପ୍ରସ୍ତୁତି ଚଳାଇଛନ୍ତି । ନଜର ପକାନ୍ତୁ ଚଳିତ ବର୍ଷ ଆଇପିଏଲ ସିଜିନର ମ୍ୟାଚ ଓ ଉଦଘାଟନୀ ଉତ୍ସବ ଉପରେ ।
ଚଳିତ ଆଇପିଏଲ ସଂସ୍କରଣରେ ମୋଟ ୧୦ଟି ଦଳ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜୁରାଟ ଟାଇଟନ୍ସ, କୋଲକାତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ ରାଇଜର୍ସ ହାଇଦ୍ରାବାଦ । ଚଳିତ ବର୍ଷ ମୋଟ ୭୪ଟି ମ୍ୟାଚ ଖେଳାଯିବ । ୧୦ ଦଳ ମଧ୍ୟରେ ୭୦ଟି ମ୍ୟାଚ ଖେଳାଯିବ । ପ୍ରତିଟି ଟିମ ୧୪ଟି ଲେଖାଏଁ ମ୍ୟାଚ ଖେଳିବେ । ସେହିପରି ୨ଟି କ୍ବାଲିଫାୟର, ଗୋଟିଏ ଏଲିମିନେଟର ଓ ଶେଷରେ ଫାଇନାଲ ମ୍ୟାଚ । ଗତକାଲି ଠାରୁ ଆରମ୍ଭ ହୋଇ ମେ ୨୬ ପର୍ୟ୍ୟନ୍ତ ମ୍ୟାଚ ଖେଳାଯିବ । ଚଳିତ ବର୍ଷ ଦେଶରେ ନିର୍ବାଚନ ଥିବାରୁ ଆଇପିଏଲର ପ୍ରଥମ କାର୍ୟ୍ୟସୂଚୀ ତାଲିକା ଘୋଷଣା ହୋଇଥିଲା । ବର୍ତ୍ତମାନ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ବଳକା ତାଲିକା ଖୁବଶୀଘ୍ର ଘୋଷଣା ହେବ ।ଚଳିତ ସିଜିନରେ ୫ଟି ଦଳର ଅଧିନାୟକ ପରିବର୍ତ୍ତନ ହୋଇଛନ୍ତି । ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେଉଛନ୍ତି ଶୁବମନ ଗିଲ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ହେଉଛନ୍ତି ପ୍ୟାଟ କମିନ୍ସ, କୋଲକାତା ନାଇଟ ରାଇଡର୍ସର ଅଧିନାୟକ ହେଉଛନ୍ତି ଶ୍ରେୟସ ଆୟର, ଦିଲ୍ଲୀ କ୍ୟାପିଟାଲ୍ସର ଋଷଭ ପନ୍ତ ।ଗତ ଥର ପରି ଚଳିତ ବର୍ଷ ମଧ୍ୟ ୨ଟି ସମୟରେ ମ୍ୟାଚ ଖେଳାଯିବ । କେବଳ ଉଦଘାଟନୀ ମୁକାବିଲା ରାତି ୮ଟାରେ ଖେଳାଯିବ । ଏହାପର ଦିନ ଥିବା ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ ଓ ରାତି ୭ଟା ୩୦ ମଧ୍ୟରେ ଖେଳାଯିବ । ଷ୍ଟାର ସ୍ପୋର୍ଟ୍ସରେ ମ୍ୟାଚର ସିଧାପ୍ରସାରଣ କରାଯିବ । ସେହିପରି ଜିଓ ସିନେମାରେ ମଧ୍ୟ ଉପଲବ୍ଧ ରହିବ ।ଚଳିତ ସଂସ୍କରଣରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହେବ ଉଦଘାଟନୀ ଉତ୍ସବ । ଏଥି ପାଇଁ ରଙ୍ଗା ରଙ୍ଗ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି । ଉଦଘାଟନୀ ଉତ୍ସବରେ ଚାରଚାନ୍ଦ ଲଗାଇବା ପାଇଁ ବଲିଉଡ କଳାକାର ସାମିଲ ହେବେ । ଅଭିନେତା ଅକ୍ଷୟ କୁମାର, ଟାଇଗର ସ୍ରଫ, ସୋନୁ ନିଗମ ଓ ଏଆର ରେହମାନ ସାମିଲ ହେବେ ।
Comments ସମସ୍ତ ମତାମତ