Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

    Share on :
    ajab-Image
    Date: Jul 27, 2026    Views: 2656

    ଭୁବନେଶ୍ୱର: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତବିଶେଷ ପହଞ୍ଚି ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ତାଙ୍କର ଏହି ବିଜୟ ପାଇଁ ସେ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି।ସୋନି ଏଣ୍ଟରଟେନମେଣ୍ଟ୍‌ ଟେଲିଭିଜନ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଲୋକପ୍ରିୟ ସଙ୍ଗୀତ ରିୟାଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୬’ରେ ଚମକିଛନ୍ତି ଓଡ଼ିଶାର ପ୍ରତିଭାବାନ ଗାୟିକା ଜ୍ୟୋତିର୍ମୟୀ। ଶୋ’ର ଗ୍ରାଣ୍ଡ୍‌ ଫିନାଲେରେ ସେ ବିଜେତା ଘୋଷିତ ହୋଇ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଛନ୍ତି। ଏହି ସଫଳତା ସହ ସେ ଓଡ଼ିଶାର ଗର୍ବକୁ ଜାତୀୟ ସ୍ତରରେ ଆହୁରି ଉଚ୍ଚକୁ ନେଇଛନ୍ତି।
    ପ୍ରାୟ ୧୦ ମାସ ଧରି ଚାଲିଥିବା ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟୀ ନିଜର ସୁମଧୁର କଣ୍ଠ, ସଙ୍ଗୀତ ପ୍ରତି ସମର୍ପଣ ଓ ନିରନ୍ତର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ବିଚାରକ ଏବଂ ଦର୍ଶକଙ୍କ ହୃଦୟ ଜିତିଥିଲେ। ସେହିପରି ଗ୍ରାଣ୍ଡ୍‌ ଫିନାଲେରେ ଅଂଶିକା ଚୋଙ୍କର, ଜ୍ୟୋତିର୍ମୟୀ ନାୟକ, ମନରାଜ ବୀର ସିଂହ, ମାଇସ୍ମେ ବସୁ, ସୁହୈଲ ସୁଫି ଏବଂ ତନିଷ୍କ ଶୁକ୍ଳା ଟ୍ରଫି ପାଇଁ ମୁହାଁମୁହିଁ ହୋଇଥିଲାବେଳେ ଜବଲପୁରର ତନିଷ୍କ ଶୁକ୍ଳା ପ୍ରଥମ ରନର୍‌ ଅପ୍‌ ହୋଇଥିଲେ। ଏଥର ସିଜନ୍‌ର ବିଚାରକ ଭାବେ ଶ୍ରେୟା ଘୋଷାଲ, ବିଶାଲ ଦଦ୍‌ଲାନି ଓ ବାଦ୍‌ଶା ଦାୟିତ୍ୱ ତୁଲାଇଥିବାବେଳେ, ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍‌ ଦର୍ଶକଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ପାଇଥିଲା। ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଶୋ’ର ସମୟସୀମାକୁ ୨ଥର ବଢ଼ାଯାଇଥିଲା। ବିଜେତା ହେବା ପରେ ଜ୍ୟୋତିର୍ମୟୀ କହିଛନ୍ତି, ସେ ଏହି ସଫଳତାର ଶ୍ରେୟ ସଙ୍ଗୀତ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀମାନଙ୍କୁ ଦେଉଛନ୍ତି। ତାଙ୍କ କହିବାନୁସାରେ, ପ୍ରାୟ ୧ ବର୍ଷର ଏହି ଯାତ୍ରା ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ଅଧ୍ୟାୟ ଥିଲା। ସେ ୧୪ ସେପ୍ଟେମ୍ବର ୨୦୨୫ରେ ମୁମ୍ବାଇ ପହଞ୍ଚିଥିଲେ ଏବଂ ସେହି ଦିନଠାରୁ ଆରମ୍ଭ ହୋଇଥିବା ଯାତ୍ରା ଶେଷରେ ବିଜୟରେ ପରିଣତ ହୋଇଛି। ଜ୍ୟୋତିର୍ମୟୀ କହିଛନ୍ତି, ଶୋ’ରେ ଅଂଶଗ୍ରହଣ ସମୟରେ ସେ କେବେ ପୁରସ୍କାର ରାଶି ବିଷୟରେ ଚିନ୍ତା କରି ନ ଥିଲେ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ପ୍ରତିଟି ମଞ୍ଚରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ବିଚାରକଙ୍କ ପ୍ରଶଂସା ଅର୍ଜନ କରିବା। ବିଜୟ ପରେ ମିଳିଥିବା ପୁରସ୍କାର ରାଶିକୁ କିଭଳି ବ୍ୟବହାର କରିବେ, ସେନେଇ ଏବେ ଚିନ୍ତା କରିବେ ବୋଲି ସେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜ୍ୟୋତିର୍ମୟୀଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବାଉଁଶନାଳ।

    Maximum 500 characters

    ଘରକରଣ View all

    Find Us on Facebook