Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାଂଲାଦେଶ ହାତରୁ ମ୍ୟାଚ ଛଡାଇ ଆଣିଲା ଭାରତ

    Share on :
    ajab-Image
    Date: Nov 3, 2022    Views: 4316

    ଆଡିଲେଡ୍‌ : ଆଡିଲେଡ୍‌ ଓଭାଲରେ ଭାରତୀୟ ବୋଲର ବାଂଲାଦେଶ ହାତରୁ ମ୍ୟାଚ ଛଡାଇ ଆଣିଛନ୍ତି । ବୁଧବାର ଖେଳାଯାଇଥିବା ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଗ୍ରୁପ-୨ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ଡକ୍‌ ୱଥ୍‌ ଲୁଇସ୍‌ ନିୟମ ଅନୁଯାୟୀ ବାଂଲାଦେଶକୁ ୫ରନରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୬ ପଏଣ୍ଟ ପାଇ ଗ୍ରୁପ ଶୀର୍ଷରେ ପହଞ୍ଚିବା ସହ ସେମିଫାଇନାଲ ଆଡକୁ ଅଗ୍ରସର ହୋଇଛି। ଭାରତ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୧୮୪ରନ କରିଥିଲା। ଜବାବରେ ବାଂଲାଦେଶ ଲିଟନ ଦାସଙ୍କ ବିସ୍ଫୋରକ ୬୦ରନ ସତ୍ତ୍ବେ ବିଜୟଠାରୁ ମାତ୍ର ୬ରନ ଦୂରରେ ରହିଯାଇଥିଲା।
    ବାଂଲାଦେଶ ୧୮୫ରନର ବିଜୟ ଲକ୍ଷ୍ୟକୁ ଦୃଢତାର ସହିତ ପିଛା କରିଥିଲା। ଦଳ ୭ ଓଭରରୁ ବିନା ୱିକେଟରେ ୬୬ରନ କରିଥିଲା। ବାଂଲାଦେଶର ଉକ୍ତ ରନ୍‌ ବର୍ଷାରେ ବର୍ଷା ପ୍ରତିବନ୍ଧକ ସାଜିଥିଲା। ବର୍ଷା ହେବାରୁ ମ୍ୟାଚ କିଛି ସମୟ ବାଧାପ୍ରାପ୍ତ ହୋଇଥିଲ। ବର୍ଷା ଛାଡ଼ିବା ପରେ ଡକ୍‌ ୱଥ ଲୁଇସ୍‌ ନିୟମ ଆଧାରରେ ବାଂଲାଦେଶକୁ ୧୬ ଓଭରରେ ୧୫୧ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା। ବାଂଲାଦେଶକୁ ୯ ଓଭରରେ ବିଜୟ ପାଇଁ ଆଉ ୮୫ରନ ଆବଶ୍ୟକତା ଥିବାବେଳେ ହାତରେ ୧୦ ୱିକେଟ ସୁରକ୍ଷିତ ରହିଥିଲା। ଏଭଳି ସ୍ଥିତିରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ସ୍କୋର ୬୮ରନ ଥିବାବେଳେ ଲିଟନ ଦାସ ରନଆଉଟ୍‌ ହୋଇଥିଲେ। ଲିଟନ ୨୭ଟି ବଲରୁ ୭ଟି ଚୌକା ଓ ୩ଟି ଛକା ସହ ୬୦ରନ କରି ଆଉଟ୍‌ ହୋଇଥିଲେ। ଲିଟନ ଆଉଟ୍‌ ହେବା ପରେ ଦଳ ଦ୍ରୁତ ଗତି​‌େ​‌ର ରନ କରିବାକୁ ଯାଇ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା। ନାଜମୁଲ ହୋସେନ ସାଣ୍ଟୋ ୨୧, ସାକିବ୍‌ ଉଲ୍‌ ହାସନ ୧୩ କରି ଆଉଟ୍‌ ହୋଇଥିଲେ। ବାଂଲାଦେଶକୁ ଶେଷ ଦୁଇ ଓଭରରେ ବିଜୟ ପାଇଁ ୩୦ରନ ଆବଶ୍ୟକ ଥିଲା। ୧୫ତମ ଓଭରରେ ହାର୍ଦିକ ପାଣ୍ଡ୍ୟା ୧୦ରନ ଦେଇଥିଲେ। ଶେଷ ଓଭରରେ ବାଂଲାଦେଶକୁ ଜିତିବା ଲାଗି ୨୦ରନ ଆବଶ୍ୟକ ଥିଲା। ଉକ୍ତ ଓଭରରେ ଅର୍ଶଦୀପ ୧୫ ରନ୍‌ ବ୍ୟୟ କରିଥିଲେ। ଫଳରେ ବାଂଲାଦେଶ ୨୦ ଓଭରରେ ୬ ୱିକେଟ ହରାଇ ୧୪୫ରନ କରିଥିବାବେଳେ ଭାରତ ମ୍ୟାଚକୁ ୫ରନରେ ଜିତିବାରେ ସଫଳ ହୋଇଥିଲ। ନୁରୁଲ ୨୫ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ୍‌ ସିଂହ ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ ମହମ୍ମଦ ସାମି ଗୋଟିଏ ୱିକେଟ ନେଇଥିଲେ।
    ବାଂଲାଦେଶ ଅଧିନାୟକ ସାକିବ୍‌ ଅଲ୍‌ ହାସନ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପ୍ରାରମ୍ଭରୁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ସ୍କୋର ୧୧ରନ ଥିବାବେଳେ ରୋହିତ ଶର୍ମା ୨ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଫର୍ମରେ ଥିବା ବିରାଟ କୋହଲି ଓ ଲୋକେଶ ରାହୁଲ ୬୭ରନ ସଂଗ୍ରହ କରିଥିଲେ। ସ୍କୋର ୭୮ରନ ଥିବାବେଳେ ରାହୁଲ ଆଉଟ୍‌ ହୋଇଥିଲେ। ରାହୁଲ ୩୨ଟି ବଲରୁ ୩ଟି ଚୌକା ଓ ୪ଟି ଛକା ସହ ୫୦ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ବିରାଟ ଓ ସୂର୍ୟ୍ୟକୁମାର ଯାଦବ ଦ୍ରୁତ ୩୮ରନ ସଂଗ୍ରହ କରିଥିଲେ। ୧୧୬ରନ ସ୍କୋର ଥିବାବେଳେ ସୂର୍ୟ୍ୟକୁମାର ୧୬ଟି ବଲରୁ ୪ଟି ଚୌକା ସହ ୩୦ରନ କରି ଆଉଟ୍‌ ହୋଇଥିଲେ। ସୂର୍ୟ୍ୟକୁମାରଙ୍କ ୱିକେଟ ପରେ ଭାରତ ରନ୍‌ ଗତି ହ୍ରାସ ପାଇବାରେ ଲାଗିଥିଲା। ଏକ ସମୟରେ ଭାରତ ୨୦୦ରନ ପାର କରିବା ନେଇ ଆଶା କରାଯାଉଥିଲେ ମଧ୍ୟ ହାର୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଓ ଦୀପକ ହୁଡାଙ୍କ ସ୍ଥାନରେ ଖେଳିଥିବା ଅକ୍ଷର ପଟେଲ ବିଫଳ ହୋଇଥିଲେ। ହାର୍ଦିକ ୫ . କାର୍ତ୍ତିକ ୭ ଓ ଅକ୍ଷର ୭ ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ବିରାଟ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଉପଯୋଗୀ ଇନିଂସ ବଳରେ ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ରନ କରିବାକୁ ସକ୍ଷମ ହୋଇଥିଲା। ବିରାଟ ୪୪ଟି ବଲରୁ ୮ଟି ଚୌକା ଓ ଗୋଟିଏ ଛକା ସହ ୬୪ ଓ ଅଶ୍ବିନ ୬ଟି ବଲରୁ ୧୩ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମ୍ମୁଦ ୩ଟି, ସାକିବ୍‌ ଅଲ୍‌ ହାସନ ୨ଟି ୱିକେଟ ନେଇଥିଲେ। ବିରାଟ କୋହଲି ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook