ମୁଖ୍ୟ ଖବର
ନୂଆଦିଲ୍ଲୀ: ବିଦାୟୀ ବର୍ଷ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଯୁଦ୍ଧବିରତି ପରେ ଏବେ ସ୍ଥିତି ଶାନ୍ତ ପଡ଼ିଛି ସତ । କିନ୍ତୁ ମୁହାଁମୁହିଁ ସଂଘର୍ଷ ଭୟ ସମ୍ପୂର୍ଣ୍ଣ ଟଳିନାହିଁ । ନୂଆବର୍ଷ ୨୦୨୬ରେ ମଧ୍ୟ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବଡ଼ ବିବାଦ ମୁଣ୍ଡ ଟେକିବ । ଯାହା ଉଭୟଙ୍କୁ ଯୁଦ୍ଧ ଆଡ଼କୁ ଟାଣିନେବ । ଏଥର ମଧ୍ୟ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ହିଁ ସମ୍ଭାବ୍ୟ ଯୁଦ୍ଧର ମୁଖ୍ୟ କାରଣ ସାଜିବ ।ଆମେରିକାର ପ୍ରମୁଖ ଥିଙ୍କ୍ଟ୍ୟାଙ୍କ୍ ‘କାଉନ୍ସିଲ୍ ଅନ୍ ଫରେନ୍ ରିଲେସନ୍ସ (ସିଏଫ୍ଆର୍)’ ଏହି ପୂର୍ବାନୁମାନ କରିଛି । ସିଏଫ୍ଆର୍ ରିପୋର୍ଟ ‘କନ୍ଫ୍ଲିକ୍ଟସ ଟୁ ୱାଚ୍ ଇନ୍ ୨୦୨୬’ ଦର୍ଶାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ, ତେବେ ଏହାର ପ୍ରଭାବ ଆମେରିକା ଉପରେ ପଡ଼ିବ । ତେବେ ଜମ୍ମୁକାଶ୍ମୀରରେ ବର୍ତ୍ତମାନ କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ । କିନ୍ତୁ ୨୦୨୬ରେ ସମ୍ଭାବ୍ୟ ଆତଙ୍କବାଦୀ ହମଲାକୁ ଏଡ଼ାଇ ଦିଆଯାଇ ନ ପାରେ । କାରଣ ଜମ୍ମୁ କ୍ଷେତ୍ରରେ ୩୦ରୁ ଅଧିକ ପାକିସ୍ତାନୀ ଆତଙ୍କୀ ସକ୍ରିୟ ଥିବା ଗୁଇନ୍ଦା ଏଜେନ୍ସିଗୁଡ଼ିକ ନିକଟରେ ଦର୍ଶାଇଥିଲେ । ରିପୋର୍ଟ କହିଛି, ୨୦୨୫ ମେ’ ୧୦ରେ ଯୁଦ୍ଧବିରତି ହେବା ପରେ ଦୁଇ ଦେଶ ଅସ୍ତ୍ରଶସ୍ତ୍ର କ୍ରୟ ପରିମାଣ ବଢ଼ାଇଛନ୍ତି । ନିଜ ନିଜ ସହଯୋଗୀ ଦେଶଗୁଡ଼ିକ ସହ ନୂଆ ପ୍ରତିରକ୍ଷା ଚୁକ୍ତି କରି ଅଧିକରୁ ଅଧିକ ଯୁଦ୍ଧାସ୍ତ୍ର ଠୁଳ କରୁଛନ୍ତି । ନିୟମିତ ଯୁଦ୍ଧାଭ୍ୟାସ ବି ଚଳାଇଛନ୍ତି ।
ସଦ୍ୟ ଘଟଣାରେ ଭାରତର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୭୯ ହଜାର କୋଟି ଟଙ୍କାର ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏଥିରେ ଡ୍ରୋନ୍, ଏୟାର-ଟୁ-ଏୟାର ମିସାଇଲ ଏବଂ ଗାଇଡେଡ୍ ବୋମା ଆଦି ଅନ୍ତର୍ଭୁକ୍ତ । ପାକିସ୍ତାନ ବି ତୁର୍କୀ ଏବଂ ଚୀନ୍ ଠାରୁ ନୂଆ ଡ୍ରୋନ୍ ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କିଣିବା ପାଇଁ ଆଲୋଚନା ଆରମ୍ଭ କରିଦେଇଛି । ‘ଅପରେସନ ସିନ୍ଦୂର’ ବେଳେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା, ତାହାର ଭରଣା ସକାଶେ ପାକ୍ ସେନା ଏବେଠାରୁ ଅଣ୍ଟା ଭିଡ଼ିଛି । ଚୀନ୍ଠାରୁ ଅଧିକ ଡ୍ରୋନ୍ ଓ ମିସାଇଲ୍ ହାସଲ ପାଇଁ ପାକିସ୍ତାନ ଉଦ୍ୟମ ଚଳାଇଛି । ବିଦାୟୀ ବର୍ଷ ଏପ୍ରିଲ ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ପହଲଗାମ୍ସ୍ଥିତ ବୈସରନ ଘାଟିରେ ୨୭ ପର୍ୟ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ମେ ୭ରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଶିବିରକୁ ଛାରଖାର କରିଦେଇଥିଲା । ଜବାବରେ ପାକ୍ ସେନା ଆକ୍ରମଣ କରିବାରୁ ଭାରତର ‘ଅପରେସନ ସିନ୍ଦୂର’ ଆହୁରି ପ୍ରଚଣ୍ଡ ହୋଇଥିଲା । ଶେଷରେ ଭାରତର ଭୀଷଣ ପ୍ରହାରରେ ପାକିସ୍ତାନ ମାଟି କାମୁଡ଼ିଥିଲା । ନେହୁରା ହୋଇ ମେ ୧୦ରେ ଯୁଦ୍ଧବିରତି କରିଥିଲା ।
‘ଅପରେସନ ସିନ୍ଦୂର’ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଆହୁରି ବଢ଼ିଛି । ଦୁଇଦେଶ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି । ସେପଟେ ପାକିସ୍ତାନ ଏହାର ସେନା ମୁଖ୍ୟ ଅସିମ ମୁନିରଙ୍କୁ ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ (ସିଡିଏଫ୍) ପଦକୁ ପଦୋନ୍ନତି ଦେଇ ଅଧିକ କ୍ଷମତାଶାଳୀ କରିଦେଇଛି । ତାଙ୍କ ନେତୃତ୍ୱରେ ପାକ୍ ସେନା ଶକ୍ତିଶାଳୀ ହୋଇ ଭାରତକୁ ଦୃଢ଼ ଜବାବ ଦେବ ବୋଲି ସେଠାକାର ସରକାର କହୁଛନ୍ତି । ମୁନିର ବି ଧମକାଇବା ଛାଡ଼ୁନାହାନ୍ତି । ‘ସିଏଫ୍ଆର୍’ର ରିପୋର୍ଟରେ ଆଫଗାନିସ୍ତାନି ଓ ପାକିସ୍ତାନ ମଧ୍ୟରେ ବଡ଼ ଯୁଦ୍ଧର ସୂତ୍ରପାତ ହେବା କଥା ବି କୁହାଯାଇଛି । ଏହା ମୁତାବକ, ୨୦୨୬ରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସଶସ୍ତ୍ର ସଂଘର୍ଷ ହୋଇପାରେ । ତେବେ ଏହାର ପ୍ରଭାବ ଆମେରିକାର ହିତ ଉପରେ କମ୍ ମାତ୍ରାରେ ପଡ଼ିବ ।
ବିଦାୟୀ ବର୍ଷର ଅକ୍ଟୋବରରେ ୨୬୦୦ କିଲୋମିଟର ଲମ୍ବା ଡୁରାଣ୍ଡ ଲାଇନ୍ରେ ପାକ୍ ଏବଂ ତାଲିବାନ ଶାସିତ ଆଫଗାନିସ୍ତାନ ମଧ୍ୟରେ ଭୀଷଣ ମୁହାଁମୁହିଁ ହୋଇଥିଲା । ଉଭୟ ଦେଶର ସେନା ଅନେକ ଅଞ୍ଚଳରେ ପରସ୍ପର ଉପରେ ଗୁଳିଗୋଳା ମାଡ଼ କରିଥିଲେ । ପରସ୍ପରର ସୀମାବର୍ତ୍ତୀ ପୋଷ୍ଟଗୁଡ଼ିକୁ ଧ୍ୱଂସ କରିଦେଇଥିଲେ । ଏହାବ୍ୟତୀତ ରୁଷ-ୟୁକ୍ରେନ୍ ଯୁଦ୍ଧ ସମେତ ଆଉ ୪ଟି ବଡ଼ ବିପଦ ନେଇ ବି ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ଅନୁସାରେ, ୨୦୨୬ରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆହୁରି ଭୀଷଣ ହୋଇପାରେ । ଉଭୟ ଦେଶ ପରସ୍ପରର ସହର ଓ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚା ଉପରେ ଆକ୍ରମଣ ବଢ଼ାଇବା ଆଶଙ୍କା ରହିଛି । ଏହାଦ୍ୱାରା ୟୁରୋପର ସୁରକ୍ଷା ଉପରେ ପ୍ରଭାବ ପଡ଼ିବ ଏବଂ ଆମେରିକା ସିଧାସଳଖ ଭାବେ ଦଖଲ ଦେବା ଆଶଙ୍କା ବି ଦେଖାଦେବ । ଇସ୍ରାଏଲ୍ ଏବଂ ପାଲେଷ୍ଟିନୀୟଙ୍କ ମଧ୍ୟରେ ଗାଜା ପଟ୍ଟି ଓ ୱେଷ୍ଟ ବ୍ୟାଙ୍କରେ ସଂଘର୍ଷ ବଢ଼ିବା ଆଶଙ୍କା ରହିଛି । ହମାସ ଏବଂ ଇସ୍ରାଏଲୀ ସେନା ମଧ୍ୟରେ ମୁହାଁମୁହିଁ ସଂଘର୍ଷ କାରଣରୁ ମାନବ ସଂକଟ ଆହୁରି ଘନୀଭୂତ ହେବ । ଏହାଦ୍ୱାରା ସମଗ୍ର ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇପଡ଼ିବ । ଚୀନ୍ ଏବେ ତାଇୱାନକୁ ୫ ପଟୁ ଘେରି ଭୟଙ୍କର ଯୁଦ୍ଧାଭ୍ୟାସ ଜାରି ରଖିଛି ।
ପ୍ରଥମ ଥର ପାଇଁ ଏହା ବଡ଼ଧରଣର ଯୁଦ୍ଧାଭ୍ୟାସ କରୁଥିବାରୁ ସମ୍ପୃକ୍ତ ଅଞ୍ଚଳ ଅଶାନ୍ତ ହୋଇପଡ଼ିଛି । ଏହାଦ୍ୱାରା ୨୦୨୬ରେ ବିବାଦ ଆହୁରି ବଢ଼ିବା ଆଶଙ୍କା ରହିଛି । ସିଏଫ୍ଆର୍ ରିପୋର୍ଟ ମୁତାବକ, ଚୀନ୍ ଓ ତାଇୱାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆମେରିକା ଓ ଏହାର ସହଯୋଗୀ ଦେଶକୁ ବି ଟାଣିପାରେ । ଆମେରିକା ବହୁ ବାର ଚୀନ୍କୁ ତାଗିଦ୍ କରିଛି । ଯୁଦ୍ଧ ହେଲେ ଏହା ତାଇୱାନକୁ ସମର୍ଥନ ଦେବା କଥା କହିଛି । ଇରାନ୍ର ପରମାଣୁ କାର୍ୟ୍ୟକ୍ରମ ଏବଂ ତାହାର ସମର୍ଥିତ ସଂଗଠନଗୁଡ଼ିକ ଯୋଗୁ ଇସ୍ରାଏଲ୍ ସହ ଭୟଙ୍କର ବିବାଦ ଦେଖାଦେଇପାରେ । ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ବଡ଼ ଯୁଦ୍ଧ ହେବା ଆଶଙ୍କା ରହିଛି । ସିଏଫ୍ଆର୍ ରିପୋର୍ଟ ମୁତାବକ, ଏହି ସମ୍ଭାବ୍ୟ ସଂଘର୍ଷ ସମଗ୍ର ପଶ୍ଚିମ ଏସିଆକୁ ଅଶାନ୍ତ କରି ପକାଇବ । ଆମେରିକୀୟ ହିତ ଉପରେ ଏହା ଗମ୍ଭୀର ପ୍ରଭାବ ପକାଇବା ଆଶଙ୍କା ରହିଛି ।
Comments ସମସ୍ତ ମତାମତ