Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଭାରତ-ଇଂଲଣ୍ଡ ୪ର୍ଥ ଟ୍ବେଣ୍ଟି୨୦

    Share on :
    ajab-Image
    Date: Jan 31, 2025    Views: 2806

    ପୁଣେ : ଆଜି ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଇଂଲଣ୍ଡର ପେସ୍‌ ଓ ଭାରତର ସ୍ପିନ୍‌ ବୋଲିଂ ମଧ୍ୟରେ ମୁକାବିଲା ହେବ। ୨-୧ରେ ଆଗୁଆ ଥିବା ଭାରତ ପାଖରେ ଶୃଙ୍ଖଳା ଜିତିବାର ଆଉ ଏକ ସୁଯୋଗ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ କ୍ରମାଗତ ୨ୟ ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ନିର୍ଣ୍ଣାୟକ ସ୍ଥିତିକୁ ନେବାର ଲକ୍ଷ୍ୟ ରଖିଛି। ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳ। ଏହା ବାଜ୍‌ବଲ୍‌ ବା ଆକ୍ରମଣାତ୍ମକ ବ୍ୟାଟିଂରେ ବିଶ୍ବାସ କରିଥାଏ। ଗତ ୩ଟିଯାକ ମ୍ୟାଚ୍‌ରେ ଇଂଲଣ୍ଡ ଏହିପରି ବ୍ୟାଟିଂ କରିଛି। ହେଲେ ଇଂଲଣ୍ଡ ପ୍ରଥମ ୨ଟି ମ୍ୟାଚ୍‌ରେ ଆରମ୍ଭରୁ ଜଲ୍‌ଦି ୱିକେଟ୍‌ ହରାଇବା ଯୋଗୁଁ ବଡ଼ ସ୍କୋର୍‌ କରି ପାରିନଥିଲା। ଅନ୍ୟପକ୍ଷରେ ସାମୂହିକ ଭାବେ ଭାରତର ବ୍ୟାଟିଂ ସଫଳ ହୋଇନାହିଁ। ପ୍ରଥମ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ୨ୟ ମ୍ୟାଚ୍‌ରେ ତିଳକ ବର୍ମା ବଡ଼ ସ୍କୋର୍‌କରି ଦଳକୁ ଜିତାଇଥିଲେ। ୩ୟ ମ୍ୟାଚ୍‌ରେ ଭାରତର କେହି ବଡ଼ ସ୍କୋର୍‌ କରି ପାରିନଥିଲେ। ହାର୍ଦିକ ପାଣ୍ଡ୍ୟା ୪୦ ରନ୍‌ କରିଥିଲେ ହେଁ ୩୫ ବଲ୍‌ ଖେଳିଥିଲେ। ସନ୍ଧ୍ୟାର ମ୍ୟାଚ୍‌ରେ କାକରର ପ୍ରଭାବ ରହୁଥିବାରୁ ଉଭୟ ଦଳ ପ୍ରଥମେ ଫିଲ୍‌ଡିଂ କରିବାକୁ ଚାହିଁବେ। ହେଲେ ୩ଟିଯାକ ମ୍ୟାଚ୍‌ରେ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ଦେଇଛି। ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତକୁ ଏହାର ଫାଇଦା ମିଳିଛି। ହେଲେ ୩ୟ ମ୍ୟାଚ୍‌ରେ ଇଂଲଣ୍ଡ ଆକ୍ରମଣାତ୍ମକ ବ୍ୟାଟିଂକରି ଭାରତକୁ ଚାପରେ ପକାଇ ପାରିଥିଲା। ୩ଟିଯାକ ମ୍ୟାଚ୍‌ରେ ଲେଗ୍‌ସ୍ପିନର ଆଦିଲ ରସିଦ୍‌ ଚମତ୍କାର ବୋଲିଂ କରିଛନ୍ତି। ଆକ୍ରମଣାତ୍ମକ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ସମ୍ମୁଖରେ ୩ୟ ମ୍ୟାଚ୍‌ରେ ରସିଦ୍‌ ମାତ୍ର ୧୫ ରନ୍‌ ଦେଇ ଏକ ଚମତ୍କାର ବଲ୍‌ରେ ତିଳକ ବର୍ମାଙ୍କୁ ବୋଲ୍‌ଡ କରିଥିଲେ। ତେବେ ୩ୟ ମ୍ୟାଚ୍‌ରେ ଇଂଲଣ୍ଡର ପେସ୍‌ ବୋଲର ୮ଟି ୱିକେଟ୍‌ ନେବା ଦଳକୁ ଉତ୍ସାହିତ କରିଛି। ଫିଲ୍‌ ସଲ୍‌ଟ ଓ ହ୍ୟାରି ବ୍ରୁକ୍‌ଙ୍କୁ ଛାଡ଼ି ଇଂଲଣ୍ଡର ଅନ୍ୟ ବ୍ୟାଟ୍‌ସମ୍ୟାନ୍ ରନ୍‌ କରିଛନ୍ତି। ଗତ ମ୍ୟାଚ୍‌ରେ ଓପ୍‌ନର ବେନ୍ ଡକେଟ୍‌ଙ୍କ ବିସ୍ପୋରକ ବ୍ୟାଟିଂ ଯୋଗୁଁ ଇଂଲଣ୍ଡ ବଡ଼ ସ୍କୋର୍‌ କରି ପାରିଥିଲା। ତେବେ ଇଂଲଣ୍ଡର ଫିଲ୍‌ ସଲ୍‌ଟ ଓ ଭାରତର ସଞ୍ଜୁ ସାମ୍‌ସନ ରନ୍‌ କରିନାହାନ୍ତି। ରବି ବିଷ୍ଣୋଇ ଅଧିକ ରନ୍‌ ଦେବା ଭାରତକୁ ଚିନ୍ତାରେ ପକାଇଛି। ତେବେ ଭାରତର ବୋଲିଂ ହିରୋ ହେଉଛନ୍ତି ବରୁଣ ଚକ୍ରବର୍ତ୍ତୀ। ୩ଟି ମ୍ୟାଚ୍‌ରୁ ସେ ୧୦ଟି ୱିକେଟ୍‌ ନେଇ ସାରିଲେଣି। ଗତ ମ୍ୟାଚ୍‌ରେ ବରୁଣ ୫ଟି ୱିକେଟ୍‌ ନେଇଥିଲେ। ହେଲେ ଅନ୍ୟ ସ୍ପିନର ସେପରି ପ୍ରଭାବଶାଳୀ ହୋଇ ପାରିନାହାନ୍ତି। ତେଣୁ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ ରମଣଦୀପ ସିଂହ କିମ୍ବା ବାମହାତି ପେସ୍‌ ବୋଲର ଅର୍ଶଦୀପ ସିଂହ ଖେଳିପାରନ୍ତି। ପ୍ରଥମ ୨ଟି ମ୍ୟାଚ୍‌ରେ ଅର୍ଶଦୀପ ଚମତ୍କାର ବୋଲିଂ କରିଥିଲେ। ରିଙ୍କୁ ସିଂହ ଫିଟ୍‌ ଘୋଷିତ ହେବା ଭାରତକୁ ଉତ୍ସାହିତ କରିଛି। ଧ୍ରୁବ ଜୁରେଲଙ୍କ ସ୍ଥାନରେ ରିଙ୍କୁ ଖେଳିପାରନ୍ତି। ମହମ୍ମଦ ସାମି ୩ୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିନ ଥିଲେ ହେଁ ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଇଂଲଣ୍ଡ ଦଳ ଜେମି ସ୍ମିଥ୍‌ଙ୍କ ସ୍ଥାନରେ ଜାକବ୍‌ ବିଥେଲଙ୍କୁ ଖେଳାଇପାରେ।

    Maximum 500 characters

    ଖେଳ ଖବର View all

    Find Us on Facebook