ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇଛି ଶ୍ରୀଲଙ୍କା। ଆଜି ସ୍ପିନରଙ୍କ ଦମରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି। ଏଥିସହ ୩ ଟିକିଆ ଦନିକିଆ ସିରିଜକୁ ଘରୋଇ ଟିମ ୨-୦ରେ ଜିତି ନେଇଛି। ପ୍ରଥମ ଦିନିକିଆ ଟାଇ ହୋଇଥିଲା। ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବା ବେଳେ ନିକଟରେ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତ ଭଳି ଚାମ୍ପିୟନ ଟିମ ବିପକ୍ଷରେ ଶ୍ରୀଲଙ୍କା ୨୧ଶ ଶତାବ୍ବୀରେ କୌଣସି ସିରିଜ ଜିତିବାକୁ ସକ୍ଷମ ହୋଇଛି।
ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟିମ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଟିମ ଇଣ୍ଡିଆ ସହ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ଦଳ ତାଙ୍କ କୋଚିଂରେ ଶ୍ରୀଲଙ୍କାକୁ ଟି-୨୦ରେ ସିରିଜରେ ମୂଳପୋଛ କରି ଦେଇଥିଲା।
ହେଲେ ଦିନିକିଆ ସିରିଜରେ ଦଳ ମାଟି କାମୁଡ଼ିଛି। ୧୯୯୭ରେ ଶେଷଥର ପାଇଁ ଶ୍ରୀଲଙ୍କା ୩-୦ରେ ଭାରତକୁ ଦିନିକିଆ ସିରିଜରେ ହରାଇଥିଲା। ଏହାପରେ ଖେଳା ଯାଇଥିବା ପ୍ରାୟ ୧୧ଟି ଦ୍ୱିପାକ୍ଷିକ ସିରିଜରେ ଭାରତ ସବୁବେଳେ ବିଜୟୀ ହୋଇ ଆସୁଥିଲା। କିନ୍ତୁ ଏଥର ଶ୍ରୀଲଙ୍କା ମାଟିରେ ଭାରତ ସିରିଜ ପରାଜୟର ଲଜ୍ଜା ମୁଣ୍ଡାଇଛି।
ସେହିପରି ଚରିତ ଅସଲଙ୍କା ଶ୍ରୀଲଙ୍କାର ନୂଆ କ୍ୟାପ୍ଟେନ ଭାବେ ଦିନିକିଆ ସିରିଜର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପ୍ରଥମ ସିରିଜ ଖେଳିବା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।
Comments ସମସ୍ତ ମତାମତ