ମୁଖ୍ୟ ଖବର
ନୂଆଦିଲ୍ଲୀ: ଥମୁନି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ କନ୍ଦଳ । ଏହା ମଧ୍ୟରେ ଆମେରିକାର ଟ୍ରେଜେରୀ ବିଭାଗ ପକ୍ଷରୁ ଆସିଛି ଏକ ବଡ଼ ଖବର । ଋଷିଆଠାରୁ ଆଗାମୀ 30 ଦିନ ପର୍ଯ୍ୟନ୍ତ ତୈଳ କ୍ରୟ କରିବାକୁ ଭାରତକୁ ଆମେରିକୀୟ ଟ୍ରେଜେରୀ ବିଭାଗ ରିହାତି ପ୍ରଦାନ କରିଛି । ସାରା ବିଶ୍ବରେ ତୈଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
"ରାଷ୍ଟ୍ରପତି ଟ୍ରମ୍ପଙ୍କ ଶକ୍ତି ଓ ରଣନୀତି ଫଳରେ ତୈଳ ଏବଂ ଗ୍ୟାସ ଉତ୍ପାଦନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବିଶ୍ୱ ବଜାରରେ ତେଲ ପ୍ରବାହ ଜାରି ରଖିବା ପାଇଁ, ଟ୍ରେଜେରୀ ବିଭାଗ ଭାରତୀୟ ରିଫାଇନାରିଗୁଡ଼ିକୁ ରୁଷୀୟ ତେଲ କ୍ରୟ କରିବାକୁ ଅନୁମତି ଦେବା ପାଇଁ ଏକ ଅସ୍ଥାୟୀ 30 ଦିନିଆ ରିହାତି ଜାରି କରିଛି ।" ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ ଗୁରୁବାର ଦିନ Xରେ ଏହି ପୋଷ୍ଟ କରିଛନ୍ତି ।
ଏହା ଏକ କ୍ଷଣସ୍ଥାୟୀ ପଦକ୍ଷେପ ଅଟେ । ଏହା ଋଷିଆ ସରକାରଙ୍କୁ ମନଲାଖି ଅର୍ଥନୈତିକ ଲାଭ ପ୍ରଦାନ କରିବ ନାହିଁ । ଋଷିଆର ସମୁଦ୍ରରେ ଅପେକ୍ଷାରତ ତୈଳ ଜାହାଜ ସହିତ ଏହି ବ୍ୟାପାର ହେବ । "ଭାରତ ଆମେରିକାର ଏକ ଗୁରୁତ୍ବପୂର୍ଣ୍ଣ ବନ୍ଧୁ । ଆମେ ପୂର୍ଣ୍ଣ ଆଶା କରୁଛୁ ଯେ, ନୂଆଦିଲ୍ଲୀ ଆମେରିକୀୟ ତୈଳ କ୍ରୟ ବୃଦ୍ଧି କରିବ । ଏହି ପଦକ୍ଷେପ ଇରାନର ବିଶ୍ୱରେ ଶକ୍ତି ସଙ୍କଟ ସୃଷ୍ଟି କରିବାର ପ୍ରୟାସ ଯୋଗୁଁ ସୃଷ୍ଟି ହୋଇଥିବା ଚାପକୁ ହ୍ରାସ କରିବ", ବୋଲି ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ।
ଋଷିଆଠାରୁ ଭାରତ ତୈଳ କିଣୁଥିବା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 25 ପ୍ରତିଶତ ଟାରିଫ ଲଗାଇଥିଲେ । ଋଷିଆରୁ ତୈଳ କିଣିବା ଦ୍ବାରା ଭାରତ ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧକୁ ଆର୍ଥିକ ସାହାଯ୍ୟ କରୁଥିଲା ବୋଲି ଆମେରିକା ପ୍ରଶାସନ ଅଭିଯୋଗ ଆଣିଥିଲା । ଗତ ମାସ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ବସିଥିବା ଅନ୍ତରୀଣ ବୈଠକରେ ଟ୍ରମ୍ପ ଭାରତ ଉପରେ ଜାରି କରଯାଇଥିବା 25 ପ୍ରତିଶତ ଟାରିଫ୍କୁ ହଟାଇଥିଲେ । ଏହା ପରିବର୍ତ୍ତେ ଭାରତ ଋଷିଆଠାରୁ ତୈଳ କିଣିବା ନାହିଁ ଏବଂ ଆମେରିକାଠାରୁ ଆମଦାନୀ ବୃଦ୍ଧି କରିବ ବୋଲି ସର୍ତ୍ତ ରଖିଥିଲେ ।
ଆମେରିକୀୟ ଟ୍ରେଜେରୀ ବିଭାଗ ଦ୍ବାରା ଜାରି କରାଯାଇଥିବା ବିବୃତି ଅନୁଯାୟୀ, ରୁଷିଆରୁ ପୂର୍ବରୁ ଜାହାଜରେ ଥିବା ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ମାର୍ଚ୍ଚ 5 ରୁ ଏପ୍ରିଲ 4 ପର୍ଯ୍ୟନ୍ତ ଭାରତରେ ଅନଲୋଡ୍ କରାଯାଇ ପାରିବ । ଏହା ବ୍ୟତୀତ ଅନ୍ୟାନ୍ୟ କାରବାର ଉପରେ ରୋକ୍ ପୂର୍ବ ଭଳି ଲାଗି ରହିବ । ମାର୍ଚ୍ଚ 5 ତାରିଖ ଦିନ 12ଟା ସମୟରୁ ଆସନ୍ତା ଏପ୍ରିଲ 4, 2026 ଦିବା 12ଟା ପର୍ଯ୍ୟନ୍ତ ଏହି କାରବାରକୁ ଅନୁମତି ଦିଆଯାଇଛି ।
Comments ସମସ୍ତ ମତାମତ