Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୨୯ରେ ଓଡ଼ିଶା ବିଧାନସଭା ଘେରାଉ କରିବ ଇଣ୍ଡିଆ ବ୍ଲକ୍‌

    Share on :
    ajab-Image
    Date: Aug 27, 2026    Views: 2287

     ଭୁବନେଶ୍ବର: ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ ନେଇ ପୁଣି ତୀବ୍ର ହେଉଛି ରାଜନୈତିକ ଲଢ଼େଇ । ଏମ୍‌ଏମ୍‌ଡିଆର୍ ସଂଶୋଧନ ଆଇନ (MMDR Amendment Act) ୨୦୨୬କୁ ରଦ୍ଦ କରିବା ଦାବିରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଘୋଷଣା କରିଛି ଇଣ୍ଡିଆ ବ୍ଲକ୍‌ । ବୁଧବାର ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଳିତ ବୈଠକରେ ଆଗାମୀ ଆନ୍ଦୋଳନର ରୂପରେଖ ସ୍ଥିର ହୋଇଛି । ବିରୋଧୀ ଦଳଗୁଡ଼ିକର ଅଭିଯୋଗ ଯେ, ଏହି ସଂଶୋଧନ ରାଜ୍ୟର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଏବଂ ଖଣି ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ଉପରେ ପ୍ରଭାବ ପକାଇପାରେ । ବିଶେଷକରି ଆଦିବାସୀ ଓ ଖଣି ଅଞ୍ଚଳର ଲୋକଙ୍କ ଅଧିକାରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ଇଣ୍ଡିଆ ବ୍ଲକ୍‌ ।

    ପୂର୍ବରୁ ଅଗଷ୍ଟ ୨୩ରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ, ୨୪ରେ ଜନଜାଗରଣ ଅଭିଯାନ ଏବଂ ୨୫ ଅଗଷ୍ଟରେ ରାଜ୍ୟବ୍ୟାପୀ ପ୍ରତିରୋଧ ଦିବସ ପାଳନ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ଖଣି ଅଞ୍ଚଳକୁ ଆନ୍ଦୋଳନର କେନ୍ଦ୍ରବିନ୍ଦୁ କରିବାକୁ ଯୋଜନା ହୋଇଛି ବୋଲି ଇଣ୍ଡିଆ ବ୍ଲକ ବୈଠକ ପରେ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି ।
    ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, "ସେପ୍ଟେମ୍ବର ୮ ତାରିଖରେ ଭୁବନେଶ୍ବରରେ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଦଳର ମିଳିତ କନ୍‌ଭେନସନ ହେବ । ପରେ ଆଉ ୪ଟି ଜିଲ୍ଲାରେ ୪ଟି ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ରାଜ୍ୟବାସୀଙ୍କୁ ଅନୁରୋଧ କରୁଛୁ । ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭା ଘେରାଉ କରାଯିବ ।"
    ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଓଡ଼ିଶାର ବିକାଶ ଏବଂ ଜନକଲ୍ୟାଣରେ ବ୍ୟବହାର ହେବା ଦରକାର ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ, ରାଜ୍ୟର ଖଣିଜ ସମ୍ପଦ ଉପରେ କୌଣସି ପ୍ରକାରର କେନ୍ଦ୍ରୀକୃତ ନିୟନ୍ତ୍ରଣ କିମ୍ବା କର୍ପୋରେଟ୍ ସ୍ୱାର୍ଥକୁ ସୁଯୋଗ ଦିଆଯିବ ନାହିଁ । ଏହି ଆନ୍ଦୋଳନ କେବଳ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସୀମିତ ନରହି, ଖଣି ଶ୍ରମିକ, କୃଷକ, ଆଦିବାସୀ, ଯୁବ, ମହିଳା, ଟ୍ରାନ୍ସପୋର୍ଟ ୟୁନିଅନ୍ ଏବଂ ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିଙ୍କୁ ସାମିଲ କରି ବ୍ୟାପକ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ ଦିଆଯାଇଛି ।

    ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍‌ଏଲ୍) ଲିବରେସନ୍, ଫରୱାର୍ଡ ବ୍ଲକ୍, ଏନ୍‌ସିପି, ସମାଜବାଦୀ ପାର୍ଟି ଓ ଆର୍‌ଜେଡିର ନେତାମାନେ ଯୋଗଦେଇଥିଲେ । ଖଣିଜ ସମ୍ପଦ, ରାଜ୍ୟର ଅଧିକାର ଓ ରାଜସ୍ୱ ଭାଗବଣ୍ଟାକୁ ନେଇ ଆଗକୁ ରାଜନୈତିକ ଲଢ଼େଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook