ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର୍ ବ୍ୟାଟିଂ ପରେ ବୋଲିଂରେ ଘାଇଲା କରିଥିଲେ କୁଳଦୀପ ଯାଦବ ଓ ଅକ୍ଷର ପଟେଲ। ଫଳରେ ଇଂଲିଶ ବାହିନୀ ଟାର୍ଗେଟ ପୂରା କରିବାରେ ଅସମର୍ଥ ହୋଇଥିଲା। ୧୬.୧ ଓଭରରେ ୧୦୩ ରନରେ କରି ଅଲ୍ ଆଉଟ୍ ହୋଇଯାଇଥିଲା ଇଂଲଣ୍ଡ।
ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଇଂଲଣ୍ଡ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସାମ୍ନା କରିଥିଲା ଟିମ୍ ଇଣ୍ଡିଆ। ଦଳୀୟ ସ୍କୋର୍ ମାତ୍ର ୧୯ ହୋଇଥିବା ବେଳେ ବିରାଟ କୋହଲିଙ୍କ ମୂଲ୍ୟବାନ ୱିକେଟ୍ ହରାଇଥିଲା ଦଳ। ଋଷବ ପନ୍ତ ମଧ୍ୟ ୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ।ଏହାପରେ ଦମ୍ ଦେଖାଇଥିଲେ ରୋହିତ ଶର୍ମା, ସୂର୍ୟ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା। ବିସ୍ଫୋରକ ବ୍ୟାଟିଂ କରି ରୋହିତ ଶର୍ମା ୩୯ ବଲରେ ୫୭ ରନର ଭାଗିଦାରୀ ଯୋଡ଼ିଥିଲେ। ସେହିପରି ସୂର୍ୟ୍ୟକୁମାର ଓ ହାର୍ଦ୍ଦିକ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ସୂର୍ୟ୍ୟକୁମାର ୪୭(୩୬) ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୩ ବଲରେ ୨୩ ରନ୍ ସଂଗ୍ରହ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଅପରାଜିତ ରହି ୧୭(୯) ରନ୍ କରିଥିବା ବେଳେ ଅକ୍ସର ପଟେଲ ୧୦(୬), ଅର୍ଷଦୀପ ସିଂହ ଗୋଟିଏ ରନ୍ ଏବଂ ଶିବମ ଦୁବେ ଖାତା ଖୋଲି ପାରିନଥିଲେ। ନିର୍ଦ୍ଧାରିତ ଓଭରରେ ଇଣ୍ଡିଆ ୭ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା।୧୭୨ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଡିଫେଣ୍ଡିଂ ଚାମ୍ପିଅନ ଟିମ୍ ଭାରତୀୟ ବୋଲଙ୍କ ଆଗରେ ଘାଇଲା ହୋଇ ଯାଇଥିଲେ। କୁଳଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ଯାଦୁଗରୀ ସ୍ପିନରେ ଭୁଶୁଡି ପଡ଼ିଥିଲା ଇଂଲଣ୍ଡର ବ୍ୟାଟିଂ ଅର୍ଡର। ଉଭୟ ୩ଟି ଲେଖାଏ ୱିକେଟ ନେଇ ଥିବାବେଳେ ବୁମରା ନେଇଥିଲେ ୨ଟି ୱିକେଟ। ଫଳରେ ମାତ୍ର ୧୬ ଓଭର୍ ଖେଳିବାକୁ ସକ୍ଷମ ହୋଇଥିଲା ଇଂଲଣ୍ଡ ବାହିନୀ।
Comments ସମସ୍ତ ମତାମତ