ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟର ଏକ ପ୍ରତିଷ୍ଠିତ ରେସ୍ତୋରାଁ ପ୍ରତିଷ୍ଠାନରେ ଆୟକର ବିଭାଗ ପଞ୍ଝା ପକାଇଛି । ଆୟକର ଅଧିକାରୀମାନେ ରାଜଧାନୀ ସମେତ ୩ଟି ସହରର ୬ଟି ରେସ୍ତୋରାଁରେ ଯାଞ୍ଚ କରୁଛନ୍ତି । କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ଉ ଚାଲିଥିବା ଆୟକର ବିଭାଗ ଦର୍ଶାଇଛି । ରେସ୍ତୋରାଁ ଗ୍ରୁପ୍ର ନାଁ ହେଉଛି ‘ତନ୍ଦୁରୀବାଲା’ । ରେସ୍ତୋରାଁ ମାଲିକ ହେଉଛନ୍ତି ଅଭୟ କୁମାର ନାୟକ । ଭୁବନେଶ୍ୱରରେ ୩ଟି ରେସ୍ତୋରାଁର ମାଲିକ ସେ । ଚନ୍ଦ୍ରଶେଖରପୁରରେ ‘ଏକ୍ସପ୍ରେସ ଲାଉଁଜ’, ଇନ୍ଫୋସିଟିରେ ‘ତନ୍ଦୁରୀବାଲା’ ଓ ପଟିଆରେ ‘ମୈଶୁର ଏକ୍ସପ୍ରେସ’ର ବେଶ୍ ଡିମାଣ୍ଡ ଅଛି ।
ଏହାଛଡ଼ା ସେ ପୁରୀରେ ‘ସ୍ପାଇସ୍ ଭିଲେଜ’ ଓ କଟରରେ ‘ତନ୍ଦୁରୀବାଲା’ର ଆଉ ଏକ ରେସ୍ତୋରାଁ ଖୋଲିଛନ୍ତି । ଆୟକର ଅଧିକାରୀମାନେ ଭୁବନେଶ୍ୱର ରଘୁନାଥପୁରସ୍ଥିତ ଅଭୟଙ୍କ ବାସସ୍ଥାନ ସହ ୫ଟି ରେସ୍ତୋରାଁରେ ଯାଞ୍ଚ ଆରମ୍ଭ କରିଛନ୍ତି । ଗତ ୫ ବର୍ଷରେ ରେସ୍ତୋରାଁର ରୋଜଗାର ସମେତ ଅନ୍ୟ ଟଙ୍କା ନେଣଦେଣ ନେଇ ଟିକିନିଖି ତଥ୍ୟ ସଂଗ୍ରହ କରାଯାଉଛି । ବାସଭବନରୁ ଅନେକ ସନ୍ଦିଗ୍ଧ କାଗଜପତ୍ର ଜବତ ହୋଇଛି । ଏଥିରୁ ବଡ଼ଧରଣର ଟିକସ ଫାଙ୍କିବାର ଗନ୍ଧ ବାରିଛି ଆୟକର ବିଭାଗ ।
Comments ସମସ୍ତ ମତାମତ