ମୁଖ୍ୟ ଖବର
ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ନୂଆ ଆୟକର ନିୟମର ଡ୍ରାଫ୍ଟ ଜାରି ହୋଇଛି । ନୂଆ ନିୟମ ଆସନ୍ତା ଆର୍ଥିକ ବର୍ଷ ବା ଏପ୍ରିଲ ପହିଲାରୁ କାର୍ୟ୍ୟକାରୀ ହେବ । ଟିକସ ଫାଇଲିଂ ପ୍ରକ୍ରିୟାକୁ ସରଳ କରିବା ଏବଂ ସାଧାରଣ ଟିକସଦାତାଙ୍କ ଲାଗି ନିୟମକୁ ବୋଧଗମ୍ୟ ହେବା ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆ ପ୍ରସ୍ତାବିତ ଡ୍ରାଫ୍ଟରେ ନିୟମ ଏବଂ ଫର୍ମ ସଂଖ୍ୟାରେ ହ୍ରାସ କରାଯାଇଛି । ବର୍ତ୍ତମାନ ଜାରି ରହିଥିବା ଆୟକର ନିୟମ ୧୯୬୨ର ଆଇନ ଆଧାରରେ ରହିଛି । ଏଥିରେ ନିୟମ ସଂଖ୍ୟା ୫୧୧ ରହିଛି । ଯାହାକୁ ଡ୍ରାଫ୍ଟରେ ୩୩୩କୁ ହ୍ରାସ କରାଯାଇଛି । ସେହିଭଳି ଫର୍ମ ସଂଖ୍ୟା ୩୯୯ ରହିଥିଲା । ନୂଆ ଡ୍ରାଫ୍ଟରେ ଏହା ୧୯୦କୁ ହ୍ରାସ ହୋଇଛି । ଆବଶ୍ୟକ ନ ଥିବା ନିୟମ ଗୁଡ଼ିକୁ ହଟାଇ ଦିଆଯାଇଛି । ସେହିଭଳି ମେଳ ଖାଉଥିବା ନିୟମଗୁଡ଼ିକୁ ଯୋଡ଼ି ଦିଆଯାଇଛି । ଫଳରେ ଟିକସ ବ୍ୟବସ୍ଥାର ଜଟିଳତା କମିବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ କହିଥିଲେ, ସାଧାରଣ ଲୋକଙ୍କ ସୁବିଧା ଲାଗି ଆୟକର ନିୟମକୁ ସରଳ କରାଯିବ । ନୂଆ ଡ୍ରାଫ୍ଟ ଫର୍ମକୁ ପୁଣି ଥରେ ଡିଜାଇନ କରାଯିବ । ବିଶେଷଜ୍ଞ କହିଛନ୍ତି, ଫର୍ମରେ ବ୍ୟବହାର ହେଉଥିବା ଶବ୍ଦକୁ ଆହୁରି ୟୁଜର ଫ୍ରେଣ୍ଡ୍ଲି ଭାବେ ପ୍ରସ୍ତୁତ କରାଯିବ । ଫଳରେ ଆଇନର ଅବମାନନା କମ୍ ହେବ । ସେହିଭଳି ଫର୍ମ ସହ ଆସୁଥିବା ଗାଇଡ୍ଲାଇନକୁ ମଧ୍ୟ ସରଳ କରାଯିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସବୋର୍ଡ (ସିବିଡିଟି) ଡ୍ରାଫ୍ଟକୁ ଲୋକଙ୍କ ମତାମତ ଲାଗି ପ୍ରଦାନ କରିଛି । ବ୍ୟକ୍ତିବିଶେଷ ଏବଂ ଅଂଶଦାର ଏହା ଉପରେ ୨୨ ଫେବ୍ରୁଆରି ମଧ୍ୟରେ ନିଜର ମତାମତ ଦେଇ ପାରିବେ । ଲୋକଙ୍କ ମତାମତ ଆଧାରରେ ନିୟମକୁ ଆହୁରି ପ୍ରଭାବୀ ଏବଂ ସମାବେଶୀ କରାଯିବ । ଏହା ପରେ ଚୂଡାନ୍ତ ନିୟମ ଜାରି କରାଯିବ । ଇନକମ୍ ଟାକ୍ସ ବିଲ୍ ଜରିଆରେ ଆସେସ୍ମେଣ୍ଟ ବର୍ଷକୁ ଟିକସ ବର୍ଷ ଭାବେ ପରିବର୍ତ୍ତନ କରାଯାଇଛି । ଏହି ବିଲ୍ରେ ୨୩ଟି ଚାପ୍ଟର ରହିଛି । ସେକ୍ସନକୁ ୨୯୮ରୁ ବଢ଼ାଇ ୫୩୬ ଏବଂ ସୂଚୀକୁ ୧୪ରୁ ୧୬କୁ ବଢ଼ାଯାଇଛି । କ୍ରିପ୍ଟୋ ଆସେଟ୍କୁ ଅଣସୂଚୀଭୁକ୍ତ ଆୟ ଭାବେ ବିଚାର କରାଯିବ । ବିଲ୍ରେ ରହିଛି ଟିକସଦାତାଙ୍କ ଚାର୍ଟର । ଏଥିରେ ଟିକସଦାତାଙ୍କ ହିତରକ୍ଷା ଏବଂ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରାଯାଇଛି ।
Comments ସମସ୍ତ ମତାମତ