ମୁଖ୍ୟ ଖବର
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଅଦାଲତ ୧୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । 'ତୋଷାଖାନା-୨' ମାମଲାରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିର ଏକ ସ୍ୱତନ୍ତ୍ର କୋର୍ଟ ଇମ୍ରାନ ଓ ତାଙ୍କ ପତ୍ନୀଙ୍କୁ ଏହି ସଜା ପ୍ରଦାନ କରିଛନ୍ତି । ରାୱଲପିଣ୍ଡିର ଆଡିଆଲା ଜେଲରେ ଅନୁଷ୍ଠିତ ଶୁଣାଣି ସମୟରେ ସ୍ୱତନ୍ତ୍ର ବିଚାରପତି ଶାହରୁଖ ଅରଜୁମନ୍ଦ ଏହି ରାୟ ଶୁଣାଇଛନ୍ତି ।
ଏହି ମାମଲା ୨୦୨୧ ମସିହା ମଇ ମାସରେ ସାଉଦି ଆରବ ଗସ୍ତ ସମୟରେ ଇମ୍ରାନ ଖାନଙ୍କୁ ଉପହାର ସ୍ୱରୂପ ମିଳିଥିବା ଏକ ଦାମୀ 'ବୁଲଗାରି' ଗହଣା ସେଟ୍ ସହ ଜଡିତ । ଅଭିଯୋଗ ଅନୁଯାୟୀ, ଇମ୍ରାନ ଏହି ଦାମୀ ଗହଣା ସେଟ୍ର ମୂଲ୍ୟକୁ ବହୁତ କମ୍ ଦର୍ଶାଇ ସରକାରୀ ତୋଷାଖାନାରୁ ଅତି ଶସ୍ତାରେ ନିଜ ପାଇଁ କିଣି ନେଇଥିଲେ । ପାକିସ୍ତାନ ନିୟମ ଅନୁଯାୟୀ, ବିଦେଶୀ ଗସ୍ତ ସମୟରେ ମିଳୁଥିବା ଉପହାରକୁ ରାଜକୋଷ ବା ତୋଷାଖାନାରେ ଜମା କରିବାକୁ ପଡିଥାଏ । ଯଦି କେହି ତାହା ରଖିବାକୁ ଚାହାନ୍ତି, ତେବେ ତାଙ୍କୁ ଏହାର ବଜାର ମୂଲ୍ୟର ଏକ ନିଶ୍ଚିତ ଅଂଶ ଦେବାକୁ ପଡେ ।
ଅଦାଲତ ଇମ୍ରାନ ଖାନଙ୍କୁ ଦୁର୍ନୀତି ନିବାରଣ ଅଧିନିୟମର ଧାରା ୪୦୯ ଅନୁଯାୟୀ ୧୦ ବର୍ଷର କଠୋର କାରାଦଣ୍ଡ ଏବଂ ସରକାରୀ କର୍ମଚାରୀ ଭାବେ ଅପରାଧିକ ଦୁରାଚାର ପାଇଁ ୭ ବର୍ଷର ଦଣ୍ଡାଦେଶ ଦେଇଛନ୍ତି । ବୁଶରା ବିବିଙ୍କୁ ମଧ୍ୟ ସମାନ ଅଭିଯୋଗରେ ୧୭ ବର୍ଷ ଜେଲ୍ରେ ରହିବାକୁ ପଡ଼ିବ । ଏହା ସହିତ ଉଭୟଙ୍କ ଉପରେ ୧ କୋଟି ୬୪ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲଗାଯାଇଛି । ଜୋରିମାନା ଅନାଦେୟ ହେଲେ ସେମାନଙ୍କୁ ଅତିରିକ୍ତ ସମୟ ଜେଲରେ କାଟିବାକୁ ପଡ଼ିବ ।
ଅନ୍ୟପଟେ ଇମ୍ରାନ ଖାନ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୮ ତୋଷାଖାନା ନୀତି ଅନୁଯାୟୀ ସମସ୍ତ ପ୍ରକ୍ରିୟା ପାଳନ କରାଯାଇଥିଲା । ଉପହାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ସୂଚନା ଦିଆଯାଇଥିଲା ଏବଂ ଏହାର ସଠିକ୍ ମୂଲ୍ୟାଙ୍କନ କରାଯାଇ ଅର୍ଥ ଜମା କରିବା ପରେ ହିଁ ସେ ତାହାକୁ ନିଜ ପାଖରେ ରଖିଥିଲେ ।
ପ୍ରକାଶ ଥାଉ କି, ଇମ୍ରାନ ଖାନ ଗତ ଅଢେଇ ବର୍ଷ ଧରି ଜେଲରେ ବନ୍ଦ ଅଛନ୍ତି । ପାକିସ୍ତାନ ସେନା ଏବଂ ବର୍ତ୍ତମାନର ସରକାରଙ୍କ ସହ ତାଙ୍କର ଚାଲିଥିବା ତିକ୍ତତା ମଧ୍ୟରେ ଏହି ଦଣ୍ଡାଦେଶ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।
Comments ସମସ୍ତ ମତାମତ