Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅରଣ୍ୟ ଭବନରେ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର ଉଦ୍ଘାଟିତ

    Share on :
    ajab-Image
    Date: Jul 23, 2026    Views: 2949

    ଭୁବନେଶ୍ୱର:  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଜି ଅରଣ୍ୟ ଭବନଠାରେ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର (Integrated Forest Monitoring & Command Centre - IFMCC)ର ଉଦ୍ଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଯୁକ୍ତି-ନିର୍ଭର ବନ ପ୍ରଶାସନ ଏବଂ ନିରନ୍ତର ପ୍ରାକୃତିକ ସମ୍ପଦ ପରିଚାଳନା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।ଏହି ଅବସରରେ  ମନ୍ତ୍ରୀ  ଗଣେଶ ରାମ ସିଂଖୁଣ୍ଟିଆ କହିଥିଲେ ଯେ, ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ ବନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ଓଡ଼ିଶାର ବନ ସମ୍ପଦର ସଂରକ୍ଷଣ ଓ ନିରନ୍ତର ପରିଚାଳନା ପାଇଁ ସମୟୋପଯୋଗୀ ନିଷ୍ପତ୍ତି ଗ୍ରହଣରେ ସହାୟକ ହେବ।

    ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟରକୁ ଏକ କେନ୍ଦ୍ରୀଭୂତ ଡିଜିଟାଲ୍ ପ୍ଲାଟଫର୍ମ ଭାବେ ବିକଶିତ କରାଯାଇଛି, ଯାହା ରିଅଲ୍-ଟାଇମ୍ ନିରୀକ୍ଷଣ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣକୁ ସୁଗମ କରିବ। ଏଥିରେ ବିଭିନ୍ନ ଡିଜିଟାଲ୍ ବ୍ୟବସ୍ଥା ଓ ଜିଓସ୍ପେସିଆଲ୍ ପ୍ରଯୁକ୍ତିର ସମନ୍ୱୟ କରାଯାଇ ବନ ସୁରକ୍ଷା, କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଓ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରାଯିବ।

    ଏହି ଅବସରରେ ବିଭାଗର ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶା ଫରେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (OFMS) ଏବଂ ଅନ୍ୟାନ୍ୟ ସୂଚନା ପ୍ରଯୁକ୍ତି-ଆଧାରିତ ପଦକ୍ଷେପଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ବନ ସୁରକ୍ଷା, ବୃକ୍ଷରୋପଣ, ବନାଗ୍ନି ପରିଚାଳନା, ପାଟ୍ରୋଲିଂ,  ଆସେଟ୍ ମ୍ୟାନେଜମେଣ୍ଟ, ଜିଓସ୍ପେସିଆଲ୍ ମ୍ୟାପିଂ, କ୍ଷତିପୂରକ ବନୀକରଣ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଏବଂ ନାଗରିକ ସେବାଗୁଡ଼ିକର ଅନଲାଇନ୍ ନିରୀକ୍ଷଣ ଏକୀକୃତ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସମ୍ଭବ ହୋଇପାରୁଛି।

    ଏହି ପଦକ୍ଷେପ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଓଡ଼ିଶାର ନେତୃତ୍ୱକୁ ଆହୁରି ମଜବୁତ କରିବା ସହ ବନ ବିଭାଗର କାର୍ଯ୍ୟଦକ୍ଷତା, ସମନ୍ୱୟ ଓ ସେବା ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

    ଏହି ଅବସରରେ ମାନ୍ୟବର ମନ୍ତ୍ରୀ www.ofsds.odisha.gov.inର ନବୀକୃତ ୱେବସାଇଟ୍‌ର ଶୁଭ ଉନ୍ମୋଚନ କରିଥିଲେ। ଏହା ସହିତ ଭାରତରେ ଜାଇକା ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳାର ସ୍ମରଣିକା ଏବଂ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭେଲପମେଣ୍ଟ ପ୍ରୋଜେକ୍ଟ (ଦ୍ୱିତୀୟ ପର୍ଯ୍ୟାୟ)ର ବାର୍ଷିକ ରିପୋର୍ଟ (୨୦୨୫–୨୬)କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ପ୍ରକାଶନଗୁଡ଼ିକରେ ପ୍ରକଳ୍ପର ସଫଳତା, ଉତ୍ତମ କାର୍ଯ୍ୟପଦ୍ଧତି ଏବଂ ନିରନ୍ତର ବନୀକରଣ ଓ ସାମୁଦାୟିକ ବିକାଶ କ୍ଷେତ୍ରରେ ସହଯୋଗୀ ପ୍ରୟାସଗୁଡ଼ିକ ଉଲ୍ଲେଖ କରାଯାଇଛି।

    ଉଦ୍ଘାଟନୀ ସମାରୋହରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ, ଓଡ଼ିଶା ଡ଼ଃ କେ. ମୁରୁଗେଶନ, ପିସିସିଏଫ୍ (କେଏଲ୍) ଶ୍ରୀମତୀ ଉମା ନନ୍ଦୁରୀ, ଓଏଫ୍‌ଏସ୍‌ଡିପିର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜି. ରାଜେଶ, ସିଏଫ୍ (ଆଇଟି ଏବଂ ଜିଆଇଏସ୍) ଶ୍ରୀ ଭି. କାର୍ତ୍ତିକ, ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ସ୍ୱୟଂ ମଲ୍ଲିକ, ନିର୍ଦ୍ଦେଶକ, ପରିବେଶ-ତଥା-ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀ କେ.ଏସ୍. ପ୍ରଦୀପ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook