Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଞ୍ଚାମାଲ ଅଭାବ:ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

    Share on :
    ajab-Image
    Date: May 22, 2026    Views: 3369

    ପାରାଦୀପ:ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର ପ୍ରଭାବ ଏବେ ଦେଶର ଚାଷୀଙ୍କ ଉପରେ ପଡ଼ିିବ ବୋଲି ଆଲୋଚନା ହେଉଛି। ଅପରପକ୍ଷେ ଉକ୍ତ କାରଖାନା ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ପ୍ରାୟ ୧୦ ହଜାର ପରିବାର ନିର୍ଭରଶୀଳ। ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି। ସାର ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ସଲ୍‌ଫୁରିକ ଏସିଡ୍‌, ଫସ୍‌ଫୁରିକ ଏସିଡ୍‌, ଆମୋନିଆ ଆଦି ବିଦେଶରୁ ଆସି ପାରୁନାହିଁ। କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିବେଶ ଓ ଇରାନ ପାଖ ସମୁଦ୍ର ଜଳପଥ ହର୍ମୁଜ ବାଟ ଦେଇ ଜାହାଜ ଚଳାଚଳ ଠିକ ଭାବେ ହେଉନାହିଁ। ସାର ପାଇଁ ଆବଶ୍ୟକ ଉପରୋକ୍ତ କଞ୍ଚାମାଲ ଗଲ୍ଫ ଦେଶ ଯଥା ଜୋର୍ଡାନ, ଅଷ୍ଟ୍ରିଆ, ଓମାନ, କୁଏତ୍‌, ଇଜିପ୍ଟ, ମରକ୍କୋ ଆଦି ଦେଶରୁ ଆସିଥାଏ। ଫେବୃଆରୀ ୨୮ରୁ ଇରାନ, ଇସ୍ରାଏଲ, ଆମେରିକା ଯୁଦ୍ଧ ପରଠାରୁ ହର୍ମୁଜ ଜାହାଜ ଚଳାଚଳ ପ୍ରଣାଳୀ ଉପରେ କଟକଣା ଜାରି ରହିଛି। ଏହାଦ୍ୱାରା ଭାରତରେ ଅଶୋଧିତ ତୈଳ ଓ ସାର କଞ୍ଚାମାଲ ଯୋଗାଣ ପ୍ରଭାବିତ ହୋଇଛି। ଏହି ସମୟରେ ଦେଶରେ କେବଳ ତେଲ ସଙ୍କଟ ଉପରେ ଚର୍ଚ୍ଚା ହେଉଛି। କିନ୍ତୁ ସାର ପ୍ରସଙ୍ଗ ଅନାଲୋଚିତ ରହିଥିଲା। ସାର ଉତ୍ପାଦନ ବନ୍ଦ ହେବା ପରେ ଆଗକୁ ଆହୁରି ଜଟିଳ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।
    ସୂଚନାଯୋଗ୍ୟ, ଭାରତର ୧୩ ରାଜ୍ୟରେ ସମୁଦାୟ ୩୬ ସାର କାରଖାନା ରହିଛି। ସେଗୁଡିକ ମଧ୍ୟରେ କେତେକ ଘରୋଇ ସଂସ୍ଥା ଓ ପବ୍ଲିକ ସେକ୍ଟର ୟୁନିଟ(ପିଏସ୍‌ୟୁ)ଦ୍ୱାରା ପରିଚାଳିତ। ସେଥିମଧ୍ୟରୁ ଦେଶର ସର୍ବବୃହତ୍‌ ସାର କାରଖାନା ମଧ୍ୟରେ ରହିଛି ଓଡ଼ିଶାର ଜଗତ୍‌ସିଂହପୁର ଜିଲା ପାରାଦୀପ ଇଫ୍‌କୋ ଓ ପାରାଦୀପ ଫସ୍‌ଫେଟସ ଲିମିଟେଡ୍‌(ପିପିଏଲ୍‌)। ମାତ୍ର ଅଦ୍ୟାବଧି ପିପିଏଲ୍‌ରେ ଉତ୍ପାଦନ ବନ୍ଦ ହୋଇନାହିଁ। ତେବେ ଉତ୍ପାଦନ କ୍ଷମତା ହ୍ରାସ ପାଇଛି ବୋଲି ପିପିଏଲ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
    ପାରାଦୀପ ଇଫ୍‌କୋ ୟୁନିଟ୍‌ ଉତ୍ପାଦନ ଦେଶର ସାର ଯୋଗାଣ କ୍ଷେତ୍ରରେ ୨୦ ପ୍ରତିଶତ ରହିଛି। ଉକ୍ତ ୟୁନିଟ ଚଳିତ ବର୍ଷ ନାନୋ ତରଳ ସାର ଉତ୍ପାଦନ ଆରମ୍ଭ କରିଛି। ଯାହା ବିଶ୍ୱର ପ୍ରଥମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବାର୍ଷିକ ୨୨ ଲକ୍ଷ ମେଟ୍ରିକ ଟନ୍‌ ସାର ଉତ୍ପାଦନ କରୁଥିବା କାରଖାନା ସମ୍ପର୍କରେ ଗତ ଜାନୁଆରୀ ୨୬ରେ ଇଫ୍‌କୋ ମ୍ୟାନେଜିଂ ଡାଇରେକ୍ଟର କେ.ଜେ. ପଟେଲ ତାଙ୍କ ଅଭିଭାଷଣରେ ସୂଚିତ କରିଥିଲେ। ତାଙ୍କ ମତରେ ବୈଶ୍ୱିକ ଯୋଗାଣ ପ୍ରଭାବିତ ହେବା ଯୋଗୁ କଞ୍ଚାମାଲ ଆମଦାନୀ କରିବା ବ୍ୟୟବହୁଳ ହେଉଛି। ଫଳରେ କାରଖାନା ଚଳାଇବା କଷ୍ଟକର ହେଉଛି ବୋଲି ସେତେବେଳେ କହିଥିଲେ। ଏହାପରେ ଗତ ମାର୍ଚ୍ଚ ୬ରେ ମଧ୍ୟ କେନ୍ଦ୍ର ସମବାୟ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ ଅମିତ୍‌ ଶାହା ଇଫ୍‌କୋ ଗସ୍ତ ସମୟରେ ଏ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ଗସ୍ତ ପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସଚିବ, ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଇଫ୍‌କୋ ଗସ୍ତ କରି ଆଲୋଚନା କରିଛନ୍ତି। ତଥାପି କଞ୍ଚାମାଲ ଯୋଗାଣ ସୁଗମ ହୋଇପାରିନାହିଁ। ଏପରି ଅବସ୍ଥା ଦେଶର ଅନ୍ୟ ସାର କାରଖାନା ଉପରେ ପଡ଼ିଥିବା ଜଣାଯାଏ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook