ମୁଖ୍ୟ ଖବର
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ଶ୍ବେତପତ୍ର । ରାଜ୍ୟରେ ୨୦୨୫ରେ ଆପରାଧିକ ସ୍ଥିତିକୁ ନେଇ ଶ୍ବେତପତ୍ର ପ୍ରକାଶିତ । ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଜାରି ହୋଇଛି ଶ୍ବେତପତ୍ର । ବିଭିନ୍ନ ଅପରାଧିକ ଘଟଣାକୁ ମୋହନ ସରକାର ସ୍ୱୀକାର କରିଛନ୍ତି । ସାମଗ୍ରିକ ସାମ୍ପ୍ରଦାୟିକ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସରକାର ଦର୍ଶାଇଥିବାବେଳେ ବିଗତ ବର୍ଷ ତୁଳନାରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇଛି । ସେହିପରି ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ ।
୨୦୨୫ ଅପରାଧିକ କାର୍ୟ୍ୟକଳାପକୁ ନେଇ ବିଧାନସଭାରେ ଶ୍ଵେତପତ୍ର ଉପସ୍ଥାପନ କରିଛି ଗୃହ ବିଭାଗ । ୨୦୨୪ ତୁଳନାରେ ୨୦୨୫ରେ ୭.୩୬% ବଢିଛି ଧର୍ତ୍ତବ୍ୟ ଅପରାଧ । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିବାବେଳେ ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି । ସେହିପରି ଚିନ୍ତାଜନକ ସ୍ଥିତିରେ ପହଁଚିଛି ମହିଳା ଦୁଷ୍କର୍ମ ମାମଲା । ରାଜ୍ୟରେ ଚୋରି, ଡକାୟତି ସାଙ୍ଗକୁ ଦୁଷ୍କର୍ମ ମଧ୍ୟ ବଢିଛି । ଅପରାଧରେ ବାଲେଶ୍ଵର ଜିଲ୍ଲା ସବୁଠୁ ସମ୍ଵେଦନଶୀଳ ରହିଛି । ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ଜିଲ୍ଲା ରେକର୍ଡ ଭାଙ୍ଗିଛି ।
୨୦୨୫ ମସିହାରେ ରାଜ୍ୟରେ ହିନ୍ଦୁ-ମୁସଲିମ ଏବଂ ହିନ୍ଦୁ-ଖ୍ରୀଷ୍ଟିଆନ ଦଙ୍ଗା କଥା ସରକାର ସ୍ୱୀକାର କରିଛନ୍ତି । ୧୦୬ଟି ହିନ୍ଦୁ-ମୁସଲିମ ଓ ୧୬ଟି ହିନ୍ଦୁ-ଖ୍ରୀଷ୍ଟିଆନ ବିବାଦ ଘଟଣା ରିପୋର୍ଟ ହୋଇଛି । ୧୪୬ଟି ଓ ୧୯ଟି ଅପରାଧ ମାମଲା ଯଥାକ୍ରମେ ପଞ୍ଜିକୃତ ହୋଇଛି ।
ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ନିର୍ବାସନ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ବତନ୍ତ୍ର କାର୍ୟ୍ୟ ବାହିନୀ ଗଠନ କରାଯାଇଛି । ରାଜ୍ୟରେ ମୋଟ ୨୧ଟି ହୋଲ୍ଡିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ସେଥିରୁ ୨ଟି ରାଜ୍ୟସ୍ତରୀୟ ଏବଂ ୧୯ଟି ଜିଲ୍ଲାସ୍ତରୀୟ ହୋଲ୍ଡିଂ ସେଣ୍ଟର ଅଛି । ଏହି ପ୍ରକ୍ରିୟାରେ ସମୁଦାୟ ୨,୨୫୯ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରାଯାଇଛି । ସେଥିରୁ ୨,୧୮୪ ଜଣ ଭାରତୀୟ ନାଗରିକ ଭାବେ ଚିହ୍ନଟ ହୋଇଛନ୍ତି ।ଅବଶିଷ୍ଟ ୭୫ ଜଣଙ୍କୁ ବାଂଲାଦେଶୀ ନାଗରିକ ଭାବରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୩ ଜଣଙ୍କୁ ଦେଶାନ୍ତର କରାଯାଇଛି । ଅନ୍ୟ ୨ ଜଣ ଜାଲିଆତି କରି ଭାରତୀୟ ପାସପୋର୍ଟ ହାସଲ କରିଥିବାରୁ ଗିରଫ ହୋଇ ଜେଲ ଯାଇଛନ୍ତି । ଓଡ଼ିଶାରେ ମୋଟ ୩,୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ହୋଇଛନ୍ତି । ଭଦ୍ରକ ୧୯୯, କେନ୍ଦ୍ରାପଡ଼ା ୧,୬୪୯, ଭୁବନେଶ୍ବର ୧୭, ଜଗତସିଂହପୁର ୧,୧୧୨, ମାଲକାନଗିରି ୬୫୫ ଏବଂ ନବରଙ୍ଗପୁର ୧୦୬ ଜିଲ୍ଲାରେ ବସବାସ କରୁଛନ୍ତି । ଏହି ସମସ୍ତ ବାଂଲାଦେଶୀ ନାଗରିକ ହିନ୍ଦୁ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।
୨୦୨୫ ମସିହାରେ ରାଜ୍ୟରେ ସମୁଦାୟ ୨ ଲକ୍ଷ ୨୯ ହଜାର ୮୮୧ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକରଣ ହୋଇଛି । ୧୩୦୪ଟି ହତ୍ୟା, ୩୫୩ଟି ଡକାୟତି, ୧୮୦୨ଟି ଲୁଣ୍ଠନ, ୬୨୮୨ଟି ସିନ୍ଧିଚୋରୀ, ୨୧,୧୯୨ଟି ଚୋରୀ, ୬୦୫୩ଟି ପ୍ରତାରଣା, ୧୦୯୫ଟି ଦଙ୍ଗା, ୨୯୯୪ଟି ଦୁଷ୍କର୍ମ, ୧୨ ହଜାର ୭୮୨ଟି ଦୁର୍ଘଟଣା ଓ ୧ ଲକ୍ଷ ୭୬ ହଜାର ୦୨୪ଟି ଅନ୍ୟାନ୍ୟ ମାମଲା ରହିଛି । ଏହାରୁ ୧ ଲକ୍ଷ ୯୮ ହଜାର ୫୧୩ଟି ମାମଲା ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ପଞ୍ଜିକୃତ ହୋଇଛି ।
ମୋଟ ୨, ୨୯,୮୮୧ ଧର୍ତ୍ତବ୍ୟ ଅପରାଧରୁ ୨,୨୨,୩୦୮ଟ ମାମଲା ସତ୍ୟ ଘଟଣା ଉପରେ ଆଧାରିତ ଥିଲା । ବର୍ଷ ଶେଷ ସୁଦ୍ଧା ୧,୫୫,୨୨୩ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ଏହା ବ୍ୟତୀତ ୧୧,୩୯୮ଟି ମୋକଦ୍ଦମା ଚୂଡାନ୍ତ ରିପୋର୍ଟ, ୫୮୦୭ଟି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବ, ୫୭୭୦ଟି ଭ୍ରମାତ୍ମକ, ୧୭୬୬ଟି ମିଥ୍ୟା, ୨୫ଟି ଅଧର୍ତ୍ତବ୍ୟ ଓ ୧୪ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇଛି । ଅବଶିଷ୍ଟ ୪୯,୮୭୮ଟି ମାମଲାର ତଦନ୍ତାଧୀନ ରହିଛି । ସେଥିମଧ୍ୟରୁ ୩୧,୯୯୬ଟି ମାମଲାରେ ଚାର୍ଜସିଟ ଦାଖଲ ହେବ ।
୨୦୨୫ ମସିହାରେ ପଞ୍ଜିକୃତ ୧୩୦୪ଟି ହତ୍ୟା ମାମଲା ମଧ୍ୟରୁ ୧୨୧୮ଟି ସତ୍ୟ ଘଟଣା ଥିଲା । ବର୍ଷ ଶେଷ ସୁଦ୍ଧା ୬୦୧ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ତଦନ୍ତାଧୀନ ୬୧୨ଟି ମାମଲା ମଧ୍ୟରୁ ୪୮୨ଟି ମାମଲାରେ ଚାର୍ଜସିଟ ଦାଖଲ ହେବ ।
୨୦୨୫ ମସିହାରେ ମୋଟ ୩୫୩ଟି ଡକାୟତି ମାମଲା ମଧ୍ୟରୁ ୩୪୩ଟି ସତ୍ୟ ଥିଲା । ବର୍ଷ ଶେଷ ସୁଦ୍ଧା ୯୧ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୨୪୫ଟି ତଦନ୍ତାଧୀନ ମାମଲା ମଧ୍ୟରୁ ୧୩୩ଟି ମାମଲାରେ ଚାର୍ଜ ସିଟ ଦାଖଲ ହେବ । ପୋଲିସ ଦ୍ବାରା ୫୧ ଜଣ ଆନ୍ତଃରାଜ୍ୟ ଡକାୟତ ସମେତ ୭୬୮ ଜଣ ଡକାୟତ ଗିରଫ ହୋଇଛନ୍ତି । ୮ଟି ବନ୍ଧୁକ ଜବତ ହୋଇଛି । ୪୧ କୋଟି ୬ ଲକ୍ଷ ୧୧ ହଜାର ୧୦୧ ଟଙ୍କା ମୂଲ୍ୟର ଲୁଟ ସମ୍ପତ୍ତି ମଧ୍ୟରୁ ୧୪ କୋଟି ୩୬ ଲକ୍ଷ ୯୨ ହଜାର ୧୩୨ ଟଙ୍କା ସମ୍ପତ୍ତି ଉଦ୍ଧାର ହୋଇଛି ।
୨୦୨୫ ମସିହାରେ ସମୁଦାୟ ୧୮୦୨ଟି ଲୁଣ୍ଠନ ମାମଲା ରଜ୍ଜୁ ହୋଇଛି । ସେଥିରୁ ୧୭୭୧ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ୧୭୭୧ଟି ସତ୍ୟ ମାମଲା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୭୩୮ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୭୬୨ଟି ତଦନ୍ତାଧୀନ ମାମଲା ମଧ୍ୟରୁ ୩୧୧ଟି ମାମଲାରେ ଚାର୍ଜସିଟ ଦାଖଲ ହେବ । ଲୁଣ୍ଠନ ଘଟଣା ମଧ୍ୟରୁ ୧୭୩ଟି ବାସସ୍ଥାନ, ୨୭୧ଟି ରାସ୍ତାଘାଟ, ୧୧ଟି ଟ୍ରେନ, ୧୬୫ଟି ବାଣିଜ୍ୟ ପ୍ରତିଷ୍ଠାନ ଓ ୧୧୩୦ଟି ଅନ୍ୟାନ୍ୟ ସ୍ଥାନରେ ସଂଘଟିତ ହୋଇଛି । ଅବଶିଷ୍ଟ ୨୧ଟି ଘଟଣାରେ ଅପରାଧ ସଂଘଟିତ ପୂର୍ବରୁ ଆସାମୀ ଧରାପଡ଼ିଛନ୍ତି । ଏହି ମାମଲାରେ ୭୭ ଜଣ ଆନ୍ତଃରାଜ୍ୟ ଲୁଟେରା ସହ ୧୭୬୪ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ମୋଟ ୧୮ କୋଟି ୧୪ ଲକ୍ଷ ୫୧ ହଜାର ୫୨୫ ଟଙ୍କା ମୂଲ୍ୟର ଲୁଟ ସମ୍ପତ୍ତି ମଧ୍ୟରୁ ୪ କୋଟି ୧୨ ଲକ୍ଷ ୯୦ ହଜାର ୭୭୫ ଟଙ୍କା ସମ୍ପତ୍ତି ଉଦ୍ଧାର ହୋଇଛି ।
୨୦୨୫ ମସିହାରେ ୬୨୮୨ଟି ସିନ୍ଧି ଚୋରୀ ମାମଲା ଋଜ୍ଜୁ ହୋଇଛି । ସେଥିରୁ ୬୨୨୦ଟି ମାମଲା ସତ୍ୟ ଘଟଣା । ବର୍ଷ ଶେଷ ସୁଦ୍ଧା ୧୪୧୭ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୨୭୪୪ଟି ତଦନ୍ତାଧୀନ ରହିଛି । ସେଥିରୁ ୬୨୧ଟି ମାମଲାରେ ଚାର୍ଜସିଟ ଦାଖଲ ହେବ । ସିନ୍ଧି ଚୋରୀ ମାମଲାରେ ୨୬୬୭ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ୧୧୮ କୋଟି ୬୩ ଲକ୍ଷ ୧୨ ହଜାର ୩୯୮ ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତିରୁ ୧୦ କୋଟି ୬୫ ଲକ୍ଷ ୬୮ ହଜାର ୬୭୨ ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଛି ।
୨୦୨୫ ମସିହାରେ ୨୧,୧୯୨ଟି ଚୋରୀ ମାମଲା ପଞ୍ଜିକରଣ ହୋଇଛି । ସେଥିରୁ ୨୦,୭୭୦ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ବର୍ଷ ଶେଷ ସୁଦ୍ଧା ୮୨୦୭ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୬୪୨୭ଟି ତଦନ୍ତାଧୀନ ମାମଲା ମଧ୍ୟରୁ ୨୪୩୫ଟି ମାମଲାରେ ଚାର୍ଜସିଟ ଦାଖଲ ହେବ । ଏହି ଚୋରୀ ମାମଲାରେ ୭୮୦୭ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ୧୩୬ କୋଟି ୭ ଲକ୍ଷ ୬୦ ହଜାର ୯୮ ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତିରୁ ୪୪ କୋଟି ୯ ଲକ୍ଷ ୪୨ ହଜାର ୨୬୭ ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଛି ।
୨୦୨୫ ମସିହାରେ ୬୦୫୩ଟି ପ୍ରତାରଣା ମାମଲା ରୁଜୁ ହୋଇଥିଲା । ସେଥିରୁ ୫୮୭୪ଟି ମାମଲା ସତ୍ୟ । ବର୍ଷ ଶେଷ ସୁଦ୍ଧା ୧୩୫୫ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୪୦୦୭ଟି ତଦନ୍ତାଧୀନ ମାମଲାରୁ ୧୪୪୯ଟି ମାମଲାରେ ଚାର୍ଜସିଟ ଦାଖଲ ହେବ ।
୨୦୨୫ ମସିହାରେ ୧୦୯୫ଟି ଦଙ୍ଗା ମାମଲା ପଞ୍ଜିକରଣ ହୋଇଥିଲା । ସେଥିରୁ ୧୦୮୦ଟି ମାମଲା ସତ୍ୟ । ବର୍ଷ ଶେଷ ସୁଦ୍ଧା ୪୯୮ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୫୪୮ଟି ତଦନ୍ତାଧୀନ ମାମଲା ମଧ୍ୟରୁ ୪୨୬ଟି ମାମଲାରେ ଚାର୍ଜସିଟ ଦାଖଲ ହେବ ।
୨୦୨୫ ମସିହାରେ ସମୁଦାୟ ୨୯୯୪ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଛି । ସେଥିରୁ ୨୯୨୯ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ବର୍ଷ ଶେଷ ସୁଦ୍ଧା ୧୯୩୦ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୯୭୧ଟି ତଦନ୍ତାଧୀନ ମାମଲାରୁ ୮୩୯ଟି ମାମଲାରେ ଚାର୍ଜସିଟ ଦାଖଲ ହେବ ।
୨୦୨୫ ମସିହାରେ ୧୨,୭୮୨ଟି ମୋଟରଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଛି । ସେଥିରୁ ୧୨,୭୨୬ଟି ମାମଲା ସତ୍ୟ । ବର୍ଷ ଶେଷ ସୁଦ୍ଧା ୬୫୩୯ଟି ମାମଲାରେ ଚାର୍ଜ ସିଟ ହୋଇଛି । ୪୮୬୨ଟି ତଦନ୍ତାଧୀନ ମାମଲାରୁ ୩୩୯୮ଟି ମାମଲାରେ ଚାର୍ଜସିଟ ଦାଖଲ ହେବ ।
୨୦୨୫ ମସିହାରେ ରାଜ୍ୟରେ ୨,୫୩୮ଟି ମାଦକ ଦ୍ରବ୍ୟ ନିରୋଧ ମାମଲା ପଞ୍ଜିକୃତ ହୋଇଛି । ୩,୦୯୦ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ପୋଲିସ୍ ଦ୍ବାରା ୧,୯୮୦ କ୍ୱିଣ୍ଟାଲ ୧୪ କି.ଗ୍ରା ୮୭୧ ଗ୍ରାମ ୧୦୦ ମିଲିଗ୍ରାମ ଗଞ୍ଜେଇ, ୮୯୦ ଗ୍ରାମ ଗଞ୍ଜେଇ ସିଗାରେଟ, ୧୮ କି.ଗ୍ରା ୭୧୭ ଗ୍ରାମ ୯୦୮ ମିଲିଗ୍ରାମ ବ୍ରାଉନ ସୁଗର, ୭୭୦୫୭ ବୋତଲ କଫ ସିରପ, ୧,୧୦୭ଟି ମୋବାଇଲ ଫୋନ, ୯୮୫ଟି ଯାନବାହନ ଓ ୭୫ ଲକ୍ଷ ୩୬ ହଜାର ୬୯୭ ଟଙ୍କା ନଗଦ ଜବତ ହୋଇଛି ।
୨୦୨୫ ମସିହାରେ ୨,୮୦୩ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି । ୩୯୧ଟି ମାମଲାରେ ଚାର୍ଜ ସିଟ ଦାଖଲ ହୋଇଛି । ୧୨୩ଟି ମାମଲା ଚୂଡାନ୍ତ ରିପୋର୍ଟ ସତ୍ୟ । ୧୭ ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇଛି । ୨,୨୭୨ଟି ମାମଲା ତଦନ୍ତାଧୀନ ଅଛି । ତନ୍ମଧ୍ୟରୁ ଅର୍ଥନୈତିକ ସାଇବର ଅପରାଧରେ ୧,୫୬୯ଟି, ସୋସିଆଲ ମିଡିଆ ସମ୍ପର୍କିତ ଅପରାଧରେ ୧,୧୮୩ଟି, ହ୍ୟାକିଂ ମାମଲାରେ ୮ଟି ଏବଂ ଅନ୍ୟାନ୍ୟ ସାଇବର ଅପରାଧରେ ୪୩ଟି ମାମଲା ପଞ୍ଜିକୃତ ହୋଇଛି । ଏହି ମାମଲାରେ ୧,୨୧୦ଜଣ ଅପରାଧୀ ଚିହ୍ନଟ ହୋଇଛନ୍ତି । ୭୪୪ ଜଣଙ୍କୁ ଗିରଫ ହୋଇଛନ୍ତି ।
୨୦୨୫ ମସିହାରେ ୧୪୫ଟି ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ ୫୭ଟି ମାମଲାରେ ଚାର୍ଜ ସିଟ ଦାଖଲ ହୋଇଛି । ୧୦ଟି ମାମଲା ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇଛି । ୭୮ଟି ମାମଲା ତଦନ୍ତାଧୀନ ଅଛି ।
୨୦୨୫ ମସିହାରେ ୭୭ଟି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି । ସେଥିରୁ ୪୯ଟି ମାମଲାରେ ଚାର୍ଜ ସିଟ ଦାଖଲ ହୋଇଛି । ୪ଟି ମାମଲା ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇଛି । ଅବଶିଷ୍ଟ ୨୪ଟି ମାମଲା ତଦନ୍ତାଧୀନ ଅଛି ।
୨୦୨୫ ମସିହାରେ ୪୩୬୧ଟି ଯୌତୁକ ଜନିତ ନିର୍ୟ୍ୟାତନା ସମ୍ବନ୍ଧୀୟ ମାମଲା ରୁଜୁ ହୋଇଛି । ଏଥିରୁ ୨୬୮୬ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୧୦୫ଟି ମାମଲାରେ ଚୂଡାନ୍ତ ରିପୋର୍ଟ ‘ସତ୍ୟ’ । ୧୦୦ଟି ମାମଲା ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇଛି। ଅବଶିଷ୍ଟ ୧୪୭୦ଟି ମାମଲା ବର୍ତ୍ତମାନ ତଦନ୍ତାଧୀନ ଅଛି ।
୨୦୨୫ ମସିହାରେ ୫୪୧୯ଟି ଅଣ-ଯୌତୁକ ନିର୍ୟ୍ୟାତନା ସମ୍ବନ୍ଧୀୟ ମାମଲା ରୁଜୁ ହୋଇଛି । ଏହାମଧ୍ୟରୁ ୩୭୧୧ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି । ୧୮୦ଟି ମାମଲାରେ ଚୂଡାନ୍ତ ରିପୋର୍ଟ 'ସତ୍ୟ' । ୧୩୭ଟି ମାମଲା ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇଛି । ଅବଶିଷ୍ଟ ୧୩୯୧ଟି ମାମଲା ତଦନ୍ତାଧୀନ ।
୨୦୨୫ ମସିହାରେ ମହିଳା ଚାଲାଣ ଅପରାଧରେ ୧୬୪ଟି ଏବଂ ପୁରୁଷ ଚାଲାଣ ଅପରାଧରେ ୫୩ଟି ମାମଲା ରୁଜୁ ହୋଇଛି । ସେଥିରୁ ଯଥାକ୍ରମେ ୪୦ଟି ଓ ୧୫ଟି ମାମଲାରେ ଚାର୍ଜ ସିଟ ଦାଖଲ ହୋଇଛି ।
୨୦୨୫ ମସିହାରେ ଆଇନ ସହ ଦ୍ବନ୍ଦରେ ଶିଶୁମାନଙ୍କ ବାବଦରେ ୧,୬୨୪ ଟି ମାମଲା ରିପୋର୍ଟ ହୋଇଛି । ଯେଉଁଥରେ ମୋଟ ୧୭୬୨ ଜଣ ଶିଶୁ ଜଡିତ । ଯାହା ମଧ୍ୟରୁ ୧,୭୦୭ ଜଣ ବାଳକ ଏବଂ ୫୫ ଜଣ ବାଳିକା ଅଛନ୍ତି । ସେମାନଙ୍କୁ ଶିଶୁ ଆଶ୍ରୟ ଗୃହକୁ ଯାଇଛନ୍ତି । ସେହିପରି ଅପରେସନ ଅନ୍ୱେଷଣ ଅଭିଯାନରେ ୨୪୧୭ ଜଣ ନିଖୋଜ ଶିଶୁ ଓ ମହିଳା ଉଦ୍ଧାର ହୋଇଛନ୍ତି । ସେଥିରେ ୩୫୮ ଜଣ ନିଖୋଜ ଶିଶୁ ଓ ୨୦୫୯ ଜଣ ମହିଳା ଉଦ୍ଧାର ହୋଇଛନ୍ତି ।
ମହିଳା ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧର ତଦନ୍ତ ଓ ତଦାରଖ ପାଇଁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା କାର୍ୟ୍ୟ କରୁଛି । ୨୦୨୫ ବର୍ଷ ମଧ୍ୟରେ ଏହି ଶାଖା ୧୦ଟି ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାର ତଦନ୍ତ ହାତକୁ ନେଇଛି । ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ସମ୍ପର୍କିତ ୧୬୫ଟି ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର ପ୍ରକ୍ରିୟାକୁ ତଦାରଖ କରାଯାଇଛି । ଏହାମଧ୍ୟରୁ ୧୨ଟି ମାମଲାରେ ଦୋଷ ସାବ୍ୟସ୍ତ ଓ ୧୨ଟି ମାମଲା ନିର୍ଦୋଷରେ ସମାପ୍ତ ହୋଇଛି । ୧୪୧ଟି ମାମଲା ବିଚାରଧୀନ ଅଛି । ସମସ୍ତ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲାକୁ 'ରେଡ ଫ୍ଲାଗ' ଭାବେ ବିବେଚନା କରାଯାଉଛି । ୨୦୨୫ ବର୍ଷ ମଧ୍ୟରେ ୨୯୩ଟି ମାମଲାକୁ ରେଡ ଫ୍ଲାଗ ଶ୍ରେଣୀରେ ରଖାଯାଇଛି ।
Comments ସମସ୍ତ ମତାମତ