Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପ ପାଇଁ ପୂର୍ବ ପ୍ରସ୍ତୁତି

    Share on :
    ajab-Image
    Date: Apr 20, 2022    Views: 5319

    ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ।ଦେଶ ବିଦେଶର ଅନେକ ଖେଳାଳି ଓ ଦର୍ଶକ ଏକାଠି ଭୁବନେଶ୍ୱରରେ, କଳିଙ୍ଗ ଷ୍ଟାଡିୟମ ପରିବେଶ ହୋଇ ଉଠିବ ଚଳଚଞ୍ଚଳ। ସେହି ଅନୁଭୂତିକୁ ପାଥେୟ କରି ଓଡ଼ିଶା ସରକାର ଦ୍ୱିତୀୟ ଥରପାଇଁ ଆୟୋଜନ କରିବାକୁ ଯାଉଛନ୍ତି ଏହି ହକି ମହାକୁମ୍ଭ। ୨୦୨୩ ହକି ବିଶ୍ୱକପ ଓଡ଼ିଶାରେ ଅନୁଷ୍ଠିତ ହେବ। ତେବେ ଏଥର ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ି ଏଥର ପ୍ରତିଯୋଗିତାକୁ କେବଳ ଭୁବନେଶ୍ୱର ମଧ୍ୟରେ ସୀମିତ ନ ରଖି ରାଉରକେଲାକୁ ସାମିଲ କରିଛନ୍ତି। ଏଥିପାଇଁ ରାଉରକେଲାରେ ନିର୍ମାଣାଧୀନ ଅଛି ଭାରତର ସର୍ବବୃହତ୍‌ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ। ଏହା ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ହେବ।

    ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ନିୟମ ଅନୁସାରେ ପ୍ରତି ବିଶ୍ୱକପ ପୂର୍ବରୁ ଆୟୋଜନ ଭେନ୍ୟୁର ନବୀକରଣ ହୋଇଥାଏ। ଏହାର ଅଂଶବିଶେଷଭାବେ କଳିଙ୍ଗ ଷ୍ଟାଡିୟମର ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସିନ୍ଥେଟିକ୍‌ ଟର୍ଫକୁ କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ସମ୍ପୂର୍ଣ୍ଣ କଢ଼ାଯିବା ପରେ ନୂଆ ଟର୍ଫ ବିଛାଯିବ। ଏଫ୍‌ଆଇଏଚ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ନୂଆ ଟର୍ଫ ବିଛାଇବା କାର୍ଯ୍ୟ କରିବ। ନୂଆ ଟର୍ଫ ସାଧାରଣତଃ ଜର୍ମାନୀରୁ ଆସିଥାଏ। ପୁରୁଣା ଟର୍ଫକୁ କଢ଼ାଯିବା ପରେ ମେ’ ମାସରେ ନୂଆ ଟର୍ଫ ବିଛାଯିବା କାର୍ଯ୍ୟ ଆରମ୍ଭ ହେବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗର ଉପ ସଚିବ ରଞ୍ଜିତ ପରିଡ଼ା ପ୍ରକାଶ କରିଛନ୍ତି। ସେହିପରି ରାଉରକେଲାରେ ନବନିର୍ମିତ ଷ୍ଟାଡିୟମ ଆସନ୍ତା ସେପ୍ଟେମ୍ବର ମାସସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

    ପ୍ରକାଶଯୋଗ୍ୟ ଯେ, ଆଗାମୀ ବିଶ୍ୱକପକୁ ପୂର୍ବାପେକ୍ଷା ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ କରିବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ନିକଟରେ ବିଶ୍ୱକପ ପାଇଁ ଲୋଗୋ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ ସାରିଛନ୍ତି। ”ହକି ବିଶ୍ୱକପର ଲୋଗୋ ଉନ୍ମୋଚନ କରି ମୁଁ ବହୁତ ଖୁସି। ଏଥର ଭୁବନେଶ୍ୱର ଓ ରାଉରକେଲା ଭାବେ ୨ଟି ଭେନ୍ୟୁ ହୋଇଥିବାରୁ ଆମେ ଖୁବ୍‌ ଆନନ୍ଦିତ। ୨୦୧୮ ହକି ବିଶ୍ୱକପର ଅନେକ ସ୍ମରଣୀୟ ସ୍ମୃତି ରହିଛି। ୨୦୨୩ ବିଶ୍ୱକପ ଅଧିକ ଉଦ୍ଦୀପକ ଏବଂ ଅବିସ୍ମରଣୀୟ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱର ହକି ପ୍ରଶଂସକ ଏବଂ ଭାଗ ନେବାକୁ ଯାଉଥିବା ଶ୍ରେଷ୍ଠ ଦଳଗୁଡ଼ିକୁ ସ୍ବାଗତ କରିବାକୁ ଓଡ଼ିଶା ପ୍ରସ୍ତୁତ“ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ୨୦୨୩ ହକି ବିଶ୍ୱକପରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ଭାରତ ସମେତ ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ୍‌, ଫ୍ରାନ୍ସ, ଓ୍ବେଲ୍ସ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ଚିଲି, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏଥିପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ୨୦୨୨ ମେ’ ୨୩ରୁ ଜୁନ୍‌୧ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁଥିବା ଏସିଆ କପ୍‌ରୁ ଅବଶିଷ୍ଟ ୩ଟି ଦଳ ଯୋଗ୍ୟତା ଭିତ୍ତିରେ ଏଥିରେ ସାମିଲ ହେବେ।

    Maximum 500 characters

    ଖେଳ ଖବର View all

    Find Us on Facebook