Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ଏସିଆ କପ ହକି: ଆଜି ଭାରତ-ଚୀନ ଫାଇନାଲ

    Share on :
    ajab-Image
    Date: Sep 14, 2025    Views: 2702

    ହ୍ବାଙ୍ଗଝୋ : ଚୀନର ହ୍ବାଙ୍ଗଝୋରେ ଚାଲିଥିବା ମହିଳା ଏସିଆ କପ୍‌ ହକି -୨୦୨୫ ଚମ୍ପିଆନସିପର ଫାଇନାଲରେ ଭାରତ ପ୍ରବେଶ କରିଛି। ଆଜି ଭାରତ ଓ ଚୀନ ମଧ୍ୟରେ ଫାଇନାଲ ଖେଳାଯିବ। ଶନିବାର ସୁପର-୪ର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ ମ୍ୟ‌ାଚ ୧-୧ ଗୋଲ ବରାବରରେ ଶେଷ ହୋଇଛି। ମ୍ୟାଚ ବରାବର ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଭାରତ ଉକ୍ତ ମ୍ୟାଚକୁ ଡ୍ର ରଖି ଫାଇନାଲରେ ପହଞ୍ଚିଥିବାବେଳେ ଜାପାନ ଓ ଦକ୍ଷିଣ କୋରିଆ ବାଦ ପଡ଼ିଛନ୍ତି। ଭାରତ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ସୁପର-୪ର ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଅନ୍ୟପକ୍ଷରେ ଜାପାନ ୨ ଓ ଦକ୍ଷିଣ କୋରିଆ ୧ ପଏଣ୍ଟ ପାଇ ଫାଇନାଲରୁ ବାଦ୍‌ ପଡ଼ିଛନ୍ତି। ଫାଇନାଲ ଖେଳିବା ଲାଗି ଭାରତକୁ ଜାପାନ ବିପକ୍ଷ ମ୍ୟାଚ ବିଜୟ ଜରୁରୀ ଥିଲା। ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଜାପାନ ମଧ୍ୟ ଭାରତକୁ କଡ଼ା ଟକ୍କର ଦେଇଥିଲା। ୭ ମିନିଟ୍‌ରେ ଭାରତ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ବିୟୁଟି ଡୁଙ୍ଗଡୁଙ୍ଗ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଚତୁର୍ଥ କ୍ବାର୍ଟର ତଥା ଖେଳର ୫୭ ମିିନିଟ୍‌ରେ ଜାପାନ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲା। ଜାପାନ ପକ୍ଷରୁ ସିକୋ କୋବାୱା ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ଉକ୍ତ ମ୍ୟାଚରେ ଭାରତୀୟ ଫରୱାର୍ଡ ନବନୀତ କୌର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସୁପୀର-୪ର ଶେଷ ମ୍ୟାଚରେ ଚୀନ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଜାପାନ ୩ଟି ମ୍ୟାଚରୁ ଦୁଇଟି ଡ୍ର ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇ ତୃତୀୟ ଓ ଦକ୍ଷିଣ କୋରିଆ ୩ଟି ମ୍ୟାଚରୁ ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ରବିବାର ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ।

    Maximum 500 characters

    ଖେଳ ଖବର View all

    Find Us on Facebook