Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଐତିହାସିକ ବୌଦ୍ଧପୀଠ ଅବହେଳିତ

    Share on :
    ajab-Image
    Date: Mar 18, 2023    Views: 3603

    କୋଣାର୍କ: କୋଣାର୍କର ଅନତି ଦୂରରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏକ ଐତିହାସିକ ବୌଦ୍ଧପୀଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସୂଚନା ମୁତାବକ, କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ମାତ୍ର ୬ କିଲୋମିଟର ଦୂରରେ କୁରୁମ ଗ୍ରାମ ରହିଛି। ୭୦ ଦଶକରେ କୁରୁମ ଗ୍ରାମ ବିଦ୍ୟାଳୟର ଶିକ୍ଷକ ବ୍ରଜବନ୍ଧୁ ଦାଶ ବିଦ୍ୟାଳୟ ପରିସରରେ ଗଛ ଲଗାଇବାକୁ ଗାତ ଖୋଳିବା ସମୟରେ ଏହି ସ୍ଥାନରୁ ଖପରା, ପୁରୁଣା ଇଟା ଭଳି ସମାଗ୍ରୀ ପାଇଥିଲେ। କ୍ରମେ ଗ୍ରାମର ଲୋକମାନେ ମଧ୍ୟ ଘର ତିଆରି ପାଇଁ ନିଅଁ ଖୋଳିବା ସମୟରେ ବିଭିନ୍ନ ପ୍ରାଚୀନ ସାମଗ୍ରୀ ପାଇଥିଲେ। ଏ ସମ୍ପର୍କରେ ଐତିହାସିକ ବାମଦେବ ମହାପାତ୍ରଙ୍କୁ ଗ୍ରାମବାସୀମାନେ ଅବଗତ କରାଇବା ପରେ ଶ୍ରୀ ମହାପାତ୍ର ଓ ଶ୍ରୀ ଦାଶଙ୍କ ପ୍ରଚେଷ୍ଟାରେ ଏହି ସ୍ଥାନ ଖନନ କରାଯାଇଥିଲା।

    ୧୯୭୧ରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଖୋଳାଯିବାରେ ଏଠାରୁ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିର ଭଗ୍ନାବଶେଷ ମିଳିଥିଲା। ନିକଟରେ ଥିବା ଧରୁମୁ ପୋଖରୀର ତୁଠ ପଥରକୁ ଓଲଟାଯିବା ପରେ ତାହା ୫ ଫୁଟ ଉଚ୍ଚ ଓ ୩ ଫୁଟ୍ ଓସାରର ଏକ ବୁଦ୍ଧ ମୂର୍ତ୍ତି ବୋଲି ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଏଠାରୁ ବିଷ୍ଣୁଙ୍କ ବାମନ ଅବତାର ମୂର୍ତ୍ତି, ଏକ ଯମାନ୍ତକ ମୂର୍ତ୍ତି(ହେରକ) ଓ ଏକ ଅବଲୋକେତେଶ୍ବରଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଯାହାକି ଏବେ ଏହି ସ୍ଥାନରେ ପୂଜା ପାଉଛନ୍ତି। ଗ୍ରାମର ନବଘନ ପଣ୍ଡା (ସ୍ବାଧୀନତା ସଂଗ୍ରାମୀ) ଓ ଓଗେରଙ୍କ ମାର୍ଫତରେ ଥିବା ୨୯ ଡେସିମିଲ ସ୍ଥାନରୁ ବୌଦ୍ଧ କୀର୍ତ୍ତିରାଜିର ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା। ଯାହାକି ଏବେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଛି। ୨୯ ଡେସିମିଲ ସ୍ଥାନର କ୍ଷତିପୂରଣ ପାଇବା ପାଇଁ ବାରମ୍ବାର ସରକାରୀ ଅଫିସ୍‌କୁ ଦୌଡ଼ିଦୌଡ଼ି ନବଘନ ନିରାଶ ହୋଇଥିଲେ। ୨୦୧୬ରେ ସେ ପ୍ରାଣ ହରାଇଛନ୍ତି। କୌଣସି କ୍ଷତିପୂରଣ ନମିଳିବାରୁ ବର୍ତ୍ତମାନ ଏହି ସ୍ଥାନ ଉପରେ ସ୍ବର୍ଗତ ପଣ୍ଡାଙ୍କ ଉତ୍ତରାଧିକାରୀମାନେ ଖଜଣା ଦେଇ ପାଉତି କାଟୁଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook