Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପଞ୍ଚାୟତିରାଜ ସଚିବଙ୍କୁ ହାଇକୋର୍ଟଙ୍କ ସମନ

    Share on :
    ajab-Image
    Date: Nov 17, 2026    Views: 3036

    ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଗୋଡ଼ିପଲ୍ଲୀ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତର ବିବାଦରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ। ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ନୋଟିସ୍ ଜାରି କରି ଆସନ୍ତା ୨୬ ତାରିଖରେ ବ୍ୟକ୍ତିଗତ ଭାବେ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ଏଥିସହ ପଞ୍ଚାୟତ ମୁଖ୍ୟାଳୟ ନିର୍ଦ୍ଧାରଣ ଓ ସ୍ଥାନାନ୍ତର ପାଇଁ ସରକାରଙ୍କର କି ନୀତି ଓ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି, ତାହା ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଏହି ମାମଲାରେ ଆବେଦନକାରୀ ହାଡ଼ିବନ୍ଧୁ ଦାସ ଓ ତାଙ୍କ ସହଯୋଗୀଙ୍କ ପକ୍ଷରୁ ପୁନର୍ବାର ଆବେଦନ ପରେ ଖଣ୍ଡପୀଠ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି।ଗ୍ରାମ ପଞ୍ଚାୟତର ମୁଖ୍ୟାଳୟ କେଉଁଠି ହେବ, ତାହା ସ୍ଥିର କରିବାର ମାନଦଣ୍ଡ କ'ଣ? ନୟାଗଡ଼ ଜିଲ୍ଲା ଗୋଡ଼ିପଲ୍ଲୀ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତର ବିବାଦରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ। କେବଳ ସ୍ଥାନାନ୍ତର ନିଷ୍ପତ୍ତି ନୁହେଁ, ଏହା ପଛରେ ଥିବା ସରକାରୀ ନୀତି ଓ ପ୍ରକ୍ରିୟାର ସ୍ପଷ୍ଟତା ଲୋଡ଼ିଛନ୍ତି ଖଣ୍ଡପୀଠ।
    ନୟାଗଡ଼ର ଗୋଡ଼ିପଲ୍ଲୀ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ନୂଆ ନୁହେଁ। ଏହି ପଞ୍ଚାୟତର ମୁଖ୍ୟାଳୟ ଗୋଡ଼ିପଲ୍ଲୀରୁ ଚଡ଼େୟାପଲ୍ଲୀକୁ ସ୍ଥାନାନ୍ତର ହେବା ପରଠାରୁ ଏହାକୁ ନେଇ ଆଇନଗତ ବିବାଦ ଚାଲିଆସିଛି। ୨୦୦୧ ମସିହାରେ ଗୋଡ଼ିପଲ୍ଲୀ ପଞ୍ଚାୟତ ଗଠନ ହୋଇଥିଲା। ଏଥିରେ ଚଡ଼େୟାପଲ୍ଲୀ, ଗୋଡ଼ିପଲ୍ଲୀ ଓ କୋଟରଙ୍ଗା ଗାଁ ସାମିଲ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୧ ମେ' ୯ ତାରିଖରେ ସରକାରୀ ବିଜ୍ଞପ୍ତି ଜରିଆରେ ମୁଖ୍ୟାଳୟକୁ ଗୋଡ଼ିପଲ୍ଲୀରୁ ଚଡ଼େୟାପଲ୍ଲୀକୁ ବଦଳା ଯାଇଥିଲା। ଏହି ନିଷ୍ପତ୍ତିକୁ ନେଇ ଗୋଡ଼ିପଲ୍ଲୀ ଗାଁର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

    ଏଠାରେ ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡ଼ିଶା ପଞ୍ଚାୟତ ଆଇନ, ୧୯୬୪ର ଧାରା ୪(୩)। ଏହି ଧାରା ଅନୁସାରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଓ ମୁଖ୍ୟାଳୟ ସମ୍ପୃକ୍ତ ଗ୍ରାମର ସୀମା ମଧ୍ୟରେ ରହିବ। ସାଧାରଣତଃ ଯେଉଁ ଗ୍ରାମର ନାମରେ ପଞ୍ଚାୟତ, ସେହି ଗ୍ରାମରେ ମୁଖ୍ୟାଳୟ ରହିବ। କିନ୍ତୁ ରାଜ୍ୟ ସରକାର ଅନ୍ୟଥା ନିର୍ଦ୍ଦେଶ ଦେଇପାରିବେ। ମୁଖ୍ୟାଳୟ ସ୍ଥାନାନ୍ତର କରିବାର କ୍ଷମତା ସରକାରଙ୍କର ରହିଛି। କିନ୍ତୁ ଏହି କ୍ଷମତାର ପ୍ରୟୋଗ ମନଇଚ୍ଛା ହୋଇପାରିବ ନାହିଁ। ଜନସ୍ୱାର୍ଥ ଓ ପ୍ରାସଙ୍ଗିକ ତଥ୍ୟକୁ ଆଧାର କରି ନିଷ୍ପତ୍ତି ନେବାକୁ ପଡ଼ିବ।

    ଏହି ମାମଲାରେ ହାଡ଼ିବନ୍ଧୁ ଦାସ ଓ ତାଙ୍କ ସହଯୋଗୀଙ୍କ ପକ୍ଷରୁ ପୁନର୍ବାର ଆବେଦନ ପରେ ହାଇକୋର୍ଟ ଗୁରୁତ୍ୱ ପ୍ରକାଶ କରିଛନ୍ତି। ପଞ୍ଚାୟତ ମୁଖ୍ୟାଳୟ ନିର୍ଦ୍ଧାରଣ ଓ ସ୍ଥାନାନ୍ତର ପାଇଁ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି ଅଛି କି ନାହିଁ, ଯଦି ନାହିଁ ତେବେ କାହିଁକି ନାହିଁ, ଏବଂ ବର୍ତ୍ତମାନ କେଉଁ ପ୍ରକ୍ରିୟାରେ ଏଭଳି ନିଷ୍ପତ୍ତି ନିଆଯାଉଛି, ସେନେଇ ସତ୍ୟପାଠରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମତ ହେଉଛି, ଆଇନରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ବା ଗାଇଡ୍‌ଲାଇନ୍ ନଥିବା ଅର୍ଥ ସରକାରଙ୍କୁ ଅସୀମିତ କ୍ଷମତା ମିଳିଯିବା ନୁହେଁ। ପ୍ରଶାସନିକ କ୍ଷମତାର ବ୍ୟବହାର ଯୁକ୍ତିଯୁକ୍ତ, ସ୍ୱଚ୍ଛ ଓ ଜନସ୍ୱାର୍ଥ ଆଧାରିତ ହେବା ଆବଶ୍ୟକ।

    ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ଆସନ୍ତା ୨୬ ତାରିଖରେ ବ୍ୟକ୍ତିଗତ ଭାବେ କିମ୍ବା ଭର୍ଚୁଆଲ୍ ମାଧ୍ୟମରେ ହାଜର ହେବା ସହ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ଏବେ ନଜର ରହିବ ସରକାର ନିଜ ସତ୍ୟପାଠରେ କ'ଣ ତଥ୍ୟ ରଖୁଛନ୍ତି ଏବଂ ପଞ୍ଚାୟତ ମୁଖ୍ୟାଳୟ ସ୍ଥାନାନ୍ତର ପାଇଁ କି ପ୍ରକାର ମାନଦଣ୍ଡ ସ୍ପଷ୍ଟ କରୁଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook