Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ଗୁଟକା ଓ ତମାଖୁ ପାନମସଲା ଉପରେ କଟକଣା, ଆଇନ ସମ୍ମତ କହିଲେ ହାଇକୋର୍ଟ

    Share on :
    ajab-Image
    Date: Aug 31, 2026    Views: 2884

    କଟକ: ଓଡ଼ିଶା ହାଇକୋର୍ଟ ତମାଖୁ କିମ୍ବା ନିକୋଟିନ୍ ଥିବା ଖାଦ୍ୟ ଉତ୍ପାଦ ଉପରେ ରୋକ ​​ଲଗାଇବା ପାଇଁ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଗୁଟକା ଓ ତମାଖୁ ପାନମସଲା କଟକଣା ସଂପର୍କିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡ଼ିକୁ ଖାରଜ କରିଛନ୍ତି ହାଇକୋର୍ଟ । ଜାନୁଆରୀ ୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିକୁ ସମର୍ଥନ କରିଛନ୍ତି ହାଇକୋର୍ଟ ।ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ, ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ଉତ୍ପାଦର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଏହା ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ।
    ୨୧ ଜାନୁଆରୀ ୨୦୨୬ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଆଇନ ସମ୍ମତ ବୋଲି ହାଇକୋର୍ଟ କହିଛନ୍ତି । ଜାନୁଆରୀ ୨୧ର ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିବା ସହିତ ଏହାକୁ ଚାଲେଞ୍ଜ କରି କିଛି ଘରୋଇ କମ୍ପାନୀ ତରଫରୁ ଦାୟର ୪ଟି ମାମଲାକୁ ଖାରଜ କରିଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।

    ସୂଚନା ଥାଉ କି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଜାନୁଆରୀ ୨୧ ତାରିଖରେ ଖାଦ୍ୟ ସୁରକ୍ଷା ଏବଂ ମାନକ (ବିକ୍ରୟ ଉପରେ ନିଷେଧ ଏବଂ ପ୍ରତିବନ୍ଧକ) ନିୟମାବଳୀ, ୨୦୧୧ର ନିୟମାବଳୀ ୨.୩.୪ ବ୍ୟବହାର କରି ଏହି ବିଜ୍ଞପ୍ତି ଜାରି କରିଥିଲା । ଏହି ନିୟମାବଳୀ ଯେକୌଣସି ଖାଦ୍ୟ ଉତ୍ପାଦରେ ତମାଖୁ ଏବଂ ନିକୋଟିନର ଉପାଦାନ ବ୍ୟବହାରକୁ ନିଷେଧ କରିଥିଲା ।

    ଏଥି ସହିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି । ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ସମ୍ବିଧାନର ଧାରା ୪୭ ଅନୁଯାୟୀ, ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ । ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣ । ଜାନୁଆରୀ ୨୧ର ବିଜ୍ଞପ୍ତି ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରିୟ ନିଷେଧ ଓ ପ୍ରତିବନ୍ଧକ) ନିୟମାବଳୀ, ୨୦୧୧ ଓ FSSA କାର୍ଯ୍ୟକାରିତା ପାଇଁ ଲାଗୁ ହେବ । ଏପରି ବିଜ୍ଞପ୍ତି ପରେ ଜିଏସଟି କର୍ତ୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଗୁଡ଼ିକ ଆଇନ ଅନୁଯାୟୀ ସ୍ୱତନ୍ତ୍ର ଭାବେ ବିଚାର କରାଯିବ । ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି FSSA ନିୟମାବଳୀର ଅନୁପାଳନ ପାଇଁ ଉଦ୍ଦିଷ୍ଟ ବୋଲି ହାଇକୋର୍ଟ କହିଛନ୍ତି ।

    ମାମଲାରରୁ ଜଣା ପଡିଛି ଯେ, ଚିୱିଂ ଗୁଟୁକା ଉପରେ ରାଜ୍ୟ ସରକାର କଟକଣା ଜାରି କରି ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ କରିିଥିଲେ । ରାଜ୍ୟରେ ଗୁଟକା, ତମାଖୁଯୁକ୍ତ ପାନମସଲା ଉପରେ ଏପରି ବିଜ୍ଞପ୍ତି ମାଧ୍ୟମରେ କଟକଣା ଜାରି କରାଯାଇଥିଲା । ଏହି ବିଜ୍ଞପ୍ତିକୁ ବିରୋଧ କରି କେତେକ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏପରି ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ହାଇକୋର୍ଟ ମାର୍ଚ୍ଚ ୯ରେ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ । ଏଥି ସହିତ ଜାନୁଆରୀ ୨୧ର ବିଜ୍ଞପ୍ତି କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook