ମୁଖ୍ୟ ଖବର
କଟକ : ଯଦି କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ବିଭାଗୀୟ ପ୍ରୋସିଡିଂର ନିଷ୍ପତ୍ତି ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟେ, ତେବେ ସେହି ପ୍ରୋସିଡିଂ ଆପଣାଛାଏଁ ବନ୍ଦ ହୋଇଯିବା ଉଚିତ୍ । ଜଣେ ମୃତ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଦୀର୍ଘ ଦିନର ବିଭାଗୀୟ ପ୍ରୋସିଡିଂ ଆଳରେ ତାଙ୍କ ପତ୍ନୀଙ୍କୁ ପେନ୍ସନ୍ ସହ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ଦିଆନଯିବା ପ୍ରସଙ୍ଗରେ ହାଇକୋର୍ଟ ଏଭଳି କହିବା ସହ ତୁରନ୍ତ ଆବେଦନକାରିଣୀଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରିଣୀ ମୀନା ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ଆଦେଶ ଦେଇଛନ୍ତି । ଏଥିସହ ଦୀର୍ଘ ୧୭ବର୍ଷ ଧରି କ’ଣ ପାଇଁ ପ୍ରୋସିଡିଂର ସମାଧାନ କରାଯାଉନଥିଲା ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀ ପିଟିସନ୍ରେ ଦର୍ଶାଇଥିଲେ ଯେ, ତାଙ୍କ ସ୍ୱାମୀଙ୍କ ବିରୋଧରେ ୨୦୦୩ ମାର୍ଚ୍ଚ ୩୧ରେ ଏକ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରାଯାଇଥିଲା । ଏହି ପ୍ରକ୍ରିୟା ଶେଷ ହେବା ପୂର୍ବରୁ ୨୦୨୦ ସେପ୍ଟେମ୍ବର ୭ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ସତ୍ତ୍ଵେ ବିଭାଗୀୟ ପ୍ରୋସିଡିଂକୁ ବନ୍ଦ କରାଯାଇ ନଥିଲା । ଏହି ଆଳରେ ପରିବାରକୁ ପେନ୍ସନ କିମ୍ବା ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପ୍ରଦାନ କରାଯାଇ ନଥିଲା ।
ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଭାଗୀୟ ପ୍ରୋସିଡିଂ ଶେଷ ହେବା ପୂର୍ବରୁ କର୍ମଚାରୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କର ଆଇନଗତ ଉତ୍ତରାଧିକାରୀମାନଙ୍କୁ ସେହି ସ୍ଥିତିରେ ଦାୟୀ କରାଯାଇପାରିବ । ତଦନ୍ତ ରିପୋର୍ଟରେ ମୃତ କର୍ମଚାରୀଙ୍କୁ ୪ ଲକ୍ଷ ୬ ହଜାର ୩୫୨ ଟଙ୍କା ହଡ଼ପ ପାଇଁ ଦାୟୀ କରାଯାଇଥିଲା । ଅଦାଲତ ଉଭୟପକ୍ଷଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ଯଦି ତାଙ୍କ ବିରୋଧରେ କୌଣସି ପ୍ରକାର ମାମଲା ଥାଏ ତାହା ଆପଣାଛାଏଁ ବନ୍ଦ ହୋଇଯାଏ । ତେଣୁ ଏହି ପରିପ୍ରେକ୍ଷୀରେ ଆବେଦନକାରୀଙ୍କ ସ୍ୱାମୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଚାଲି ପାରିବ ନାହିଁ ଏବଂ ଏହା ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ହୋଇଯିବ । ତେଣୁ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ୪ ମାସ ମଧ୍ୟରେ ସମସ୍ତ ଅବସରକାଳୀନ ସୁବିଧା ଏବଂ ପରିବାର ପେନ୍ସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments ସମସ୍ତ ମତାମତ