Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଭିଯୁକ୍ତ ବୁଝୁଥିବା ଭାଷାରେ ଲିଖିତ ଭାବେ ଜଣାଇବେ ପୁଲିସ୍‌: ହାଇକୋର୍ଟ

    Share on :
    ajab-Image
    Date: Feb 19, 2026    Views: 2424

    କଟକ:  ଅଭିଯୁକ୍ତଙ୍କୁ ଗିରଫ ପୂର୍ବରୁ ତାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି ବୋଲି କହିଦେଲେ ହେବ ନାହିଁ । ଗିରଫ ବା ଅଟକ ପୂର୍ବରୁ ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇବା ସହ ଏନେଇ ତାଙ୍କର ଏକ ସମ୍ମତିପତ୍ର ଆଣିବାକୁ ପଡ଼ିବ । ଅଭିଯୁକ୍ତ ଯେଉଁ ଭାଷା ବୁଝୁଥିବେ ସେହି ଭାଷାରେ ପୁଲିସ୍‌ ତାଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଜଣାଇବାକୁ ବାଧ୍ୟ ବୋଲି ହାଇକୋର୍ଟ ଏକ ଜାମିନ ମାମଲାର ରାୟ ପ୍ରକାଶ କରି କହିଛନ୍ତି । ନୟାଗଡ଼ ଜିଲ୍ଲା ମାନ୍ଧାତାପୁର ଅଞ୍ଚଳରେ ହୋଇଥିବା ଏକ ବ୍ୟାଙ୍କ୍‌ ଲୁଟ୍‌ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ପ୍ରମୋଦ ନାୟକ ଏବଂ ଶିବ ଡାକୁଆଙ୍କୁ ଜାମିନ ପ୍ରଦାନ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଗିରଫଦାରୀ ସମୟରେ ପୁଲିସ୍‌ ଅଧିକାରୀମାନେ ଏହି ନିୟମକୁ ଅନୁସରଣ କରୁନଥିବାରୁ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ଜାମିନ୍‌ରେ ଖସି ଯାଉଥିବାରୁ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଅଦାଲତ ଏହିଭଳି ଅନେକ କେସ୍‌ ଦେଖୁଛନ୍ତି, ଯେଉଁଥିରେ ପୁଲିସ୍‌ ଅଧିକାରୀମାନେ ଗିରଫଦାରୀ ସମୟରେ ନିୟମକୁ ଉପଯୁକ୍ତ ଅନୁସରଣ କରୁନାହାନ୍ତି । ଏନେଇ ଗୃହ ବିଭାଗ ସଚିବ ଏବଂ ପୁଲିସ୍‌ ଡିଜି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପୁଲିସ୍‌ ଅଧିକାରୀଙ୍କୁ ଏହି ଆଇନ ସଂକ୍ରାନ୍ତରେ ଅବଗତ କରିବା ଲାଗି ସ୍ୱତନ୍ତ୍ର ତାଲିମ୍‌ ଦେବାକୁ ହାଇକୋର୍ଟ ଗୃହ ବିଭାଗ ସଚିବ ଏବଂ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ କପିକୁ ଉଭୟ ଅଧିକାରୀଙ୍କୁ ପ୍ରଦାନ ଲାଗି ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି ।
    ମାମଲାରୁ ଜଣାଯାଇଛି ଯେ, ଉଭୟ ଅଭିଯୁକ୍ତ ନୟାଗଡ଼ ଏକ ବ୍ୟାଙ୍କ୍‌ରୁ ୨୭ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ । ନୟାଗଡ଼ ସଦର ପୁଲିସ୍‌ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା । ନିମ୍ନ ଅଦାଲତରୁ ଜାମିନ ଖାରଜ ହେବା ପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଗିରଫଦାରୀ କାରଣ ସଂକ୍ରାନ୍ତରେ ଜଣାଇ ନାହିଁ । ତେଣୁ ପୁଲିସ୍‌ ଗିରଫଦାରୀ ଆଇନର ଉଲ୍ଲଂଘନ କରିଛି । ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ଆଦେଶରେ କହିଛନ୍ତି ଯେ, ବିଏନ୍‌ଏସ୍‌ଏସ୍‌ ଆଇନ ଅନୁଯାୟୀ ଯେତେବେଳେ କୌଣସି ପୁଲିସ୍‌ ଅଫିସର ଜଣେ ବ୍ୟକ୍ତିଙ୍କୁ ବିନା ୱାରେଣ୍ଟରେ ଗିରଫ କରନ୍ତି, ସେତେବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫଦାରୀ କାରଣ ଓ ଅଭିଯୋଗ ସଂକ୍ରାନ୍ତରେ ସବିଶେଷ ସୂଚନା ଦେବାକୁ ପଡ଼ିବ । କିନ୍ତୁ ଯେଉଁ ‘ଗିରଫଦାରୀ ମେମୋ’ ପୁଲିସ୍‌ ଉପସ୍ଥାପନ କରିଛି ସେଥିରେ ଗିରଫଦାରୀ ସଂକ୍ରାନ୍ତରେ କିଛି ସ୍ପଷ୍ଟ ଉଲ୍ଲେଖ ନାହିଁ । ତେଣୁ ପୁଲିସ୍‌ର ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ତେଣୁ ଗିରଫଦାରୀ ସମୟରେ ନିୟମ ପାଳନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook