Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

    Share on :
    ajab-Image
    Date: Jan 10, 2026    Views: 2641

    କଟକ: ବିନା ପ୍ରଦୂଷଣ ଯାଞ୍ଚରେ ଟୋଲ୍ ଗେଟ୍ ରେ ଚାଲାଣ କଟାଯିବା ପ୍ରସଙ୍ଗରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ପ୍ରଦୂଷଣ ସାର୍ଟିଫିକେଟର ବୈଧତା ଶେଷ ହୋଇଥିଲେ ମଧ୍ୟ ବିନା ନୋଟିସରେ ଚାଲାଣ କଟାଯିବା ପ୍ରସଙ୍ଗରେ ହାଇକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ପରିବହନ ସଚିବ ଏବଂ ପରିବହନ କମିଶନରଙ୍କୁ ୧୫ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଡକ୍ଟର କୀର୍ତିଧାରା ଦାସଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି ।
    ଆବେଦନକାରୀ ପିପିଲି ଟୋଲ୍ ଗେଟ୍ ଅତିକ୍ରମ କରିବା ସମୟରେ ତାଙ୍କ ପିୟୁସିସି ର ବୈଧତା ନଥିବା ଅଭିଯୋଗରେ ୧୦ ହଜାର ଟଙ୍କାର ଚାଲାଣ କଟିଥିଲା । ମୋଟର ଯାନ ଆଇନ ଅନୁଯାୟୀ ପିୟୁସିସି ର ବୈଧତା ନଥିଲେ ସମ୍ପୃକ୍ତ ଗାଡି ମାଲିକଙ୍କୁ ବିଭାଗ ପକ୍ଷରୁ ନୋଟିସ୍ ପଠାଇ ପ୍ରଦୂଷଣ ଯାଞ୍ଚ କରାଇବା ପାଇଁ କୁହାଯିବାର ବ୍ୟବସ୍ଥା ରହିଛି ।
    ଏପରିକି ଯାଞ୍ଚ ସମୟରେ ସମ୍ପୃକ୍ତ ଯାନଟି ପ୍ରଦୂଷଣ ଯୁକ୍ତ ହୋଇଥିଲେ ଚାଲାଣ କଟା ଯାଇପାରିବ ବୋଲି ଆବେଦନାକାରୀଙ୍କ ପକ୍ଷରୁ କୁହାଯାଇଛି । ତେବେ ବିନା ନୋଟିସ ଏବଂ ବିନା ଯାଞ୍ଚରେ ଚାଲାଣ କଟାଯିବା ମୋଟର ଯାନ ଆଇନର ଉଲ୍ଲଙ୍ଘନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ, ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

    ଏହା ପୂର୍ବରୁ ମଧ୍ୟ କାଠଗଡାରେ ପହଞ୍ଚିଥିଲା PUC ସାର୍ଟିଫିକେଟ୍ ନଥିଲେ ତେଲ ନମିଳିବା ପ୍ରସଙ୍ଗ । ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC) ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଏବଂ ଜଷ୍ଟିସ୍ ରମଣ ଗତ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ରାଜ୍ୟ ସରକାର ଏବଂ ପରିବହନ କମିଶନରଙ୍କୁ ନୋଟିସ୍ ଜାରି କରିଥିଲେ । ଗାଡି ନାଁରେ ଚାଲାଣ ଥିଲେ ପ୍ରଦୂଷଣ ସାର୍ଟିଫିକଟ ନ ମିଳିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ଏସଂକ୍ରାନ୍ତରେ ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତିନି ସପ୍ତାହ ମଧ୍ୟରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା PUC ସାର୍ଟିଫିକେଟ୍ ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଆବେଦନକାରୀ ସ୍ନିଗ୍ଧା ପାତ୍ରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ହାଇକୋର୍ଟରେ ଜନସ୍ୱାର୍ଥ ମମାଲା ରୁଜୁ କରାଯାଇଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook