ମୁଖ୍ୟ ଖବର
କଟକ: ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଜନସ୍ବାର୍ଥ ଆବେଦନର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଥିଲା। ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ୟ୍ୟ ଦର୍ଶାଇଥିଲେ ଯେ ବିଧାନସଭାରେ ପାରିତ ହୋଇଥିବା ବିଲ୍କୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି। ବିଧାନସଭାରେ ପାରିତ ବିଲ୍ ରାଜ୍ୟପାଳଙ୍କ ସ୍ବୀକୃତି ପାଇବା ପରେ ଆଇନରେ ପରିଣତ ହୋଇଥାଏ।
ଏହି କ୍ଷେତ୍ରରେ ବିଧାନସଭାରେ ପାରିତ ବିଲ୍କୁ ବିରୋଧ କରି ମାମଲା ଦାୟର କରାଯାଇଥିବାରୁ ଏହା ଗ୍ରହଣୀୟ ନୁହେଁ। ଅପରିପକ୍ବ ସ୍ଥିତିରେ ଏ ସଂପର୍କିତ ଆବେଦନ ଦାୟର କରାଯାଇଥିବାରୁ ଏହାକୁ ଖାରଜ କରାଯାଉ ବୋଲି ଆଡଭୋକେଟ୍ ଜେନେରାଲ୍ ଦର୍ଶାଇଥିଲେ। ଏଥି ସହିତ ଏଭଳି ଯୁକ୍ତି ସପକ୍ଷରେ ସୁପ୍ରିମକୋର୍ଟ ଓ ଆହ୍ଲାବାଦ ହାଇକୋର୍ଟଙ୍କ ରାୟର ନଜିର ଆଡଭୋକେଟ୍ ଜେନେରାଲ୍ ଉପସ୍ଥାପନ କରିଥିଲେ। ଏହାପରେ ହାଇକୋର୍ଟ ଏ ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଏଥି ସହିତ ଆଇନଜୀବୀ କବିତା ପାତ୍ରଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ୟ୍ୟଙ୍କୁ ଏଜିଏ ଦେବାଶିଷ ତ୍ରିପାଠୀ, ଏଏସ୍ସି ଐଶ୍ବର୍ୟ୍ୟା ଦାଶ ସହାୟତା କରୁଥିବା ବେଳେ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ମାମଲା ପରିଚାଳନା କରୁଥିଲେ।
Comments ସମସ୍ତ ମତାମତ