ମୁଖ୍ୟ ଖବର
କଟକ: ଜେଲରୁ କଏଦୀ ଫେରାର ଘଟଣାକୁ ନେଇ ହାଇକୋର୍ଟଙ୍କ ଜବାବ ତଲବ । ଜେଲ୍ ଡିଜିଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ । ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଖୋର୍ଦ୍ଧା ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ କାରଗାରରୁ ୧୭ଜଣ କଏଦୀ ଖସି ପଳାଇ ଥିଲେ । ଅଦାଲତ ଦ୍ବାରା ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରୁ ଫେରାର ଥିବା ଏହି କଏଦୀ ମାନଙ୍କୁ ଧରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠରେ ଉଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କର୍ତ୍ତବ୍ୟରେ ଅବହେଳା କରିଥିବା ଓ ଦାୟୀ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ସତ୍ୟପାଠରେ ଦର୍ଶାଇବାକୁ କହିଛନ୍ତି ଖଣ୍ଡପୀଠ ।
ଜଷ୍ଟିସ୍ ସଂଗମ କୁମାର ସାହୁ ଓ ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁନସୀ ଭୁଏଙ୍କ ଜେଲ କ୍ରିମିନାଲ ଅପିଲରେ ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି । ଡିସେମ୍ବର ୨୨ରେ ପରବର୍ତ୍ତି ଶୁଣାଣି ହେବ । ନଭେମ୍ବର ୨୬ରେ ଶୁଣାଣି ବେଳେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର କାରାମଂଗଳ ଅଧିକାରୀଙ୍କ ତରଫରୁ ଦାଖଲ ତଥ୍ୟରୁ ଜଣାପଡିଥିଲା ଯେ ଏହି ମୁକ୍ତାକାଶ କାରାଗାରରୁ ୧୭ଜଣ କଏଦୀ ଫେରାର ଥିବାବେଳେ ୧୫ଜଣ ପାରୋଲ ଅବଧି ଶେଷ ହେବା ପରେ ଆଉ ଫେରି ନାହାନ୍ତି ।
Comments ସମସ୍ତ ମତାମତ