Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଇନଜୀବୀଙ୍କୁ ସର୍ଭିସ ଟ୍ୟାକ୍ସ ଓ ଜିଏସଟି ନୋଟିସ ମନା

    Share on :
    ajab-Image
    Date: May 3, 2025    Views: 2970

    କଟକ: ଆଇନଜୀବୀଙ୍କୁ ସର୍ଭିସ ଟ୍ୟାକ୍ସ ପୈଠ ପାଇଁ ଅଯଥା ନୋଟିସ୍ ଜାରି କରାଯାଇ ପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏଥିସହ ଆଇନ ପେସାରୁ ଆଇନଜୀବୀ କରିଥିବା ଆୟ ଉପରେ ସେବା କର ଦାବି କରି ଜାରି ନୋଟିସ୍‌କୁ ହାଇକୋର୍ଟ ରଦ୍ଦ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଏସ.ଏନ.ରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
    ଆବେଦନକାରୀ ଆଇନଜୀବୀଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୧୪ ହଜାର ୬ଶହ ଟଙ୍କା ସେବା କର ପୈଠ କରିବାକୁ ୨୦୨୧, ଏପ୍ରିଲ ୧୫ରେ ନୋଟିସ୍ ଜାରି କରାଯାଇଥିଲା। ଏହାପରେ ୨୦୨୫, ଜାନୁଆରି ୨୮ରେ ଉପରୋକ୍ତ ସେବା କର ସହିତ ଓ ଏହା ଉପରେ ଜରିମାନା ବାବଦ ୨ ଲକ୍ଷ ୩୪ ହଜାର ୬ଶହ ଟଙ୍କା ଆଦାୟ ପାଇଁ ଭୁବନ‌େଶ୍ବର-୨ ଡିଭିଜନ ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜ ଅଧୀକ୍ଷକ ଙ୍କ ତରଫରୁ ନୋଟିସ୍ ଜାରି କରାଯାଇଥିଲା । ଉଭୟ ନୋଟିସକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ଶୁଣାଣି ସମୟରେ ପ୍ରତିପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା ଯେ କାରଣ ଦର୍ଶାଅ ‌ନୋଟିସ୍ ଜାରି ପରେ କର୍ତ୍ତୃପକ୍ଷଙ୍କୁ ଆବେଦନକାରୀ ସହଯୋଗ କରି ନଥିଲେ। ଏହାପରେ ଆବେଦନକାରୀଙ୍କ ଅନୁପସ୍ଥିତିରେ ଏହି ପ୍ରସଂଗରେ ବିଚାର ପ୍ରକ୍ରିୟା ଶେଷ ହୋଇଥିଲା । ୨୦୨୪, ଅଗଷ୍ଟ ୯ର ନିର୍ଦ୍ଦେଶ ଆଧାରରେ ଆବେଦନକାରୀଙ୍କ ନିକଟରୁ ସେବା କର ଓ ଜରିମାନା ବାବଦ ଅର୍ଥ ଆଦାୟ ପାଇଁ ୨୦୨୫, ଜାନୁଆରି ୨୮ରେ ନୋଟିସ୍ ଜାରି କରାଯାଇଥିଲା।ହାଇକୋର୍ଟଙ୍କ ୨୦୨୧, ମାର୍ଚ୍ଚ ୩୧ର ରାୟର ନଜିର ଉପସ୍ଥାପନ କରାଯାଇଥିଲା । ଆଇନ ପେସାରେ ଥିବା ଆଇନଜୀବୀଙ୍କୁ ସର୍ଭିସ୍ ‌ଟ୍ୟାକ୍ସ/ଜିଏସ୍‌ଟି ପୈଠ ପାଇଁ ନୋଟିସ୍ ଜାରି କରି ହଇରାଣ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଥିଲେ । ଆଇନଜୀବୀମାନଙ୍କୁ ସର୍ଭିସ୍ ଟ୍ୟାକ୍ସ/ଜିଏସଟିରୁ ଆଇନ ଅନୁସାରେ ମୁକ୍ତ କରାଯାଇଥିବା ବେଳେ ସେମାନଙ୍କୁ ବାରମ୍ବାର ଏ ନେଇ ନୋଟିସ୍ କରାଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ।
    ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପୈଠ ପାଇଁ ଆଇନଜୀବୀଙ୍କୁ ନୋଟିସ ଜାରି ନ କରିବାକୁ ଜିଏସଟି କମିସନର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବେ ବୋଲି ହାଇକୋର୍ଟ ୨୦୨୧, ମାର୍ଚ୍ଚ ୩୧ରେ ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ ସେବା କର ପୈଠ ପାଇଁ ଆଇନଜୀବୀଙ୍କୁ ନୋଟିସ୍ ଜାରି କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ କୋର୍ଟଙ୍କୁ ଦର୍ଶାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook