Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ବଢ଼ିଲାଣି ଖରା ପ୍ରକୋପ

    Share on :
    ajab-Image
    Date: Oct 1, 2026    Views: 2883

    ଭୁବନେଶ୍ୱର: ସରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ  ଖେଳ । ଆସିଗଲା ମୌସୁମୀର  ଲେଉଟାଣି ବେଳ । ବିଭିନ୍ନ ରାଜ୍ୟରୁ  ବିଦାୟ ନେଇ ସାରିଲାଣି । ଆସନ୍ତା ୨-୩  ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ  କରିବା ସମ୍ଭାବନା ରହିଛି । ଏଥର ଓଡ଼ିଶାରେ ନିଧୁର୍ମ  ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ  ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ।  ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ  ଡିସେମ୍ବର ଯାଏ ରାଜ୍ୟରେ ବର୍ଷା  ପ୍ରାୟତଃ ନାହିଁ । ଏହି ଅବଧିରେ  ଯେତିକି ବର୍ଷା ହେବା କଥା,  ତା’ଠାରୁ ଢେର କମ୍‌ ରହିବ ।  ଏବେଠାରୁ ରାଜ୍ୟରେ ଖରା ପ୍ରକୋପ  ବଢ଼ିଲାଣି । ତାପମାତ୍ରା ୩୪-୩୫  ଡିଗ୍ରୀ ସେଲସିୟସ୍‌ ରହୁଛି ।  
    ଭାରତୀୟ ପାଣିପାଗ ବିଜ୍ଞାନ  ବିଭାଗ (ଆଇଏମ୍‌ଡି) ଜାରି କରିଥିବା  ସମ୍ଭାବ୍ୟ ଚିତ୍ର ଅନୁସାରେ  ରାଜ୍ୟର  ସବୁ ଅଞ୍ଚଳ ଶୁଖିଲା ରହିବା ସମ୍ଭାବନା  ଅଛି । ଖାଲି ସେତିକି ନୁହେଁ,  ଅକ୍ଟୋବର ମାସରେ ବି ବର୍ଷା ସମ୍ଭାବନା  ଦେଖାଯାଉନି । ଚିନ୍ତାର ବିଷୟ ହେଲା,  ତାପମାତ୍ରା । ଅକ୍ଟୋବର ମାସରେ ଦକ୍ଷିଣ  ଓ ପୂର୍ବ ଭାରତରେ ଅସ୍ୱାଭାବିକ ଗରମ  ଅନୁଭୂତ ହୋଇପାରେ । ଓଡ଼ିଶାରେ  ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ  ଯଥେଷ୍ଟ ଅଧିକ ରହିବା ସମ୍ଭାବନା  ଅଛି । ବିଶେଷ କରି ଉପକୂଳ, ଦକ୍ଷିଣ  ଏବଂ ଉତ୍ତରରେ  ଅଧିକ ତାପମାତ୍ରା  ରହିପାରେ । ଅନ୍ୟପଟେ ରାତି ବାତାବରଣ  ବି ଥଣ୍ଡା ପଡ଼ିବନି ।    ରାତିରେ ବି ସ୍ୱାଭାବିକ ତୁଳନାରେ ତାପମାତ୍ରା ଅଧିକ ରହିବ ।
    ବିଶେଷଜ୍ଞଙ୍କ ମତରେ ଚଳିତବର୍ଷ ସୁପର ଏଲ୍‌-ନିନୋ  ପ୍ରଭାବ ସେପ୍ଟେମ୍ବରରୁ ବଢ଼ିବାରେ ଲାଗିଛି । ଡିସେମ୍ବର ଯାଏ  ଏଲ୍‌-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଏହାର ଗୁରୁତର  ପ୍ରଭାବ ପଡ଼ିବ । ଏଥର ଶୀତ ପ୍ରାୟତଃ ହଜିଯିବ । ଦିନରେ  ଆକାଶ ମେଘମୁକ୍ତ ରହିବ । ଜଳୀୟବାଷ୍ପ ରହିବନି । ତେଣୁ  ଖରା ଟାଣ ହେବ । ଏମିତିକି ଅକ୍ଟୋବରରେ ଦିନ ତାପମାତ୍ରା  ୩୭ ଡିଗ୍ରୀ ଛୁଇଁପାରେ । ଏମିତି ହେଲେ ଅସ୍ୱାଭାବିକ ଗରମରେ  ଓଡ଼ିଶାବାସୀ ସନ୍ତୁଳି ହେବେ । ଏତେ ବର୍ଷା ପରେ ବି ରାଜ୍ୟରେ  ବାତାବରଣ ଉଷ୍ମ ରହୁଛି । ଆଗକୁ ବର୍ଷା ସମ୍ଭାବନା ବି କ୍ଷୀଣ ।  ରାତିରେ ବି ଥଣ୍ଡା ଲାଗିବନି । ଏମିତିକି କାକର କମିଯିବ ।  ସାଧାରଣତଃ ଅକ୍ଟୋବରରୁ ରାତି ତାପମାତ୍ରା ସାମାନ୍ୟ କମିବା  ସହ ହାଲୁକା ଥଣ୍ଡା ପଡ଼ିଥାଏ ବାତାବରଣ । ଏଥର ସେ ସ୍ଥିତି  ରହିବନି । ଶୀତ ଆଗମନ ବି ବିଳମ୍ବିତ ହେବ । ବର୍ତ୍ତମାନ  ରାଜ୍ୟରେ କୁହୁଡ଼ି ପ୍ରକୋପ ଧୀରେ ଧୀରେ ବଢ଼ିବ ।  ଚଳିତବର୍ଷ ଜୁନ୍‌ରୁ ସେପ୍ଟେମ୍ବର ୪ ମାସିଆ ଅବଧି  ଭିତରେ ଏଥର ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ  ରହିଛି । ଦେଶରେ ସ୍ୱାଭାବିକଠାରୁ ହାରାହାରି ୧୩% କମ୍‌  ବର୍ଷା ହୋଇଛି । ଓଡ଼ିଶା ଚିତ୍ର ପୂରା ଓଲଟା । ରାଜ୍ୟରେ ଏଥର  ରେକର୍ଡ ବର୍ଷା । ୪ ମାସରେ ହାରାହାରି ୧୪୮୪.୩ ମିଲିମିଟର  ବର୍ଷା ହୋଇଛି ।    

    ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)ର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ  ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକଠାରୁ ଢେର ଅଧିକ ବର୍ଷା କମ୍‌ ସମୟ ଭିତରେ ହୋଇଛି । ମୌସୁମୀ ଅବଧି ଭିତରେ  ରାଜ୍ୟରେ ୧୦ଟି ଲଘୁଚାପ ପ୍ରଭାବ ପକାଇଥିଲା । ଜୁଲାଇରେ  ୩ଟି, ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ୨ଟି ଲଘୁଚାପ  ଆସିଥିଲା। ଏଥିରୁ ଅବପାତ ୩ଟି, ଗଭୀର ଅବପାତ ୨ଟି,  ୱେଲ ମାର୍କଟ (ସ୍ପଷ୍ଟ ଚିହ୍ନଟ) ଲଘୁଚାପ ୨ଟି ଏବଂ ଲଘୁଚାପ  ୩ଟି । ଏସବୁ ସିଷ୍ଟମର ପ୍ରଭାବ ୪୨ ଦିନ ରହିଥିଲା । ଏହି  ୪୨ ଦିନରେ ଓଡ଼ିଶାରେ ୧୦୫୭.୮ ମିମି ବର୍ଷା ହୋଇଥିଲା ।  ବାକି ୭୮ ଦିନରେ ୪୨୬.୫ ମିମି ବର୍ଷା ହୋଇଥିଲା । ସେଥିରୁ  ଜୁନ୍‌ ମାସର ୩୦ ଦିନରେ ୧୧୦.୩ ମିମି ବର୍ଷା ପାଇଥିଲା ।    

    ଏଥିରୁ ଅନୁମାନ କରାଯାଇପାରେ, ଏଥର ଅଳ୍ପ  ଅବଧି ଭିତରେ ଢେର ଅଧିକ ପାଇଥିଲା ଓଡ଼ିଶା । କାରଣ  ଜୁନରେ ବର୍ଷା ସ୍ଥିତି ନିଅଣ୍ଟିଆ ଥିଲା । ୧୯୦୧ରୁ ୨୦୨୬  ପର୍ଯ୍ୟନ୍ତ ରେକର୍ଡ ତଥ୍ୟ ଅନୁସାରେ ୧୨୬ ବର୍ଷ ଭିତରେ  ମୌସୁମୀ ଅବଧିରେ ଓଡ଼ିଶାରେ ହୋଇଥିବା ସର୍ବାଧିକ ବର୍ଷା  ମଧ୍ୟରେ ୨୦୨୬ ଚତୁର୍ଥ ସର୍ବାଧିକ ଶ୍ରେଣୀଭୁକ୍ତ ହୋଇଛି । ଏହାପୂର୍ବରୁ ମୌସୁମୀ ଅବଧିରେ ୧୯୬୧ରେ ୧୫୪୨.୧ ମିମି,  ୨୦୦୬ରେ ୧୫୦୮.୮ ମିମି, ୧୯୫୬ରେ ୧୪୯୯.୫ ମିମି  ଏବଂ ଚଳିତବର୍ଷ ୧୪୮୪.୩ ମିମି ବର୍ଷା ରେକର୍ଡ ହୋଇଛି।  ଓଡ଼ିଶାରେ ମୌସୁମୀ ଅବଧିରେ ସ୍ୱାଭାବିକ ବର୍ଷା ପରିମାଣ  ୧୧୫୦.୨ ମିମି । ଜୁଲାଇ ମାସରେ ୧୨୬ ବର୍ଷ ଭିତରେ  ସର୍ବାଧିକ ବର୍ଷା ହୋଇଛି । ଏଥର ଜୁଲାଇରେ ୬୨୭.୩  ମିମି ବର୍ଷା ହୋଇଥିଲା । ପ୍ରଥମ ଥର ପାଇଁ ୧୯୦୧ରୁ ୨୦୨୬  ଭିତରେ ଜୁଲାଇ ବର୍ଷା ପରିମଣ ୬୦୦ ମିମି ଟପିଥିଲା ।    

    ରାଜ୍ୟରେ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ  ଅନେକ ସ୍ଥାନରେ ଆଜି ତାପମାତ୍ରା ୩୪-୩୫ ଡିଗ୍ରୀ ଥିଲା ।  ଉପକୂଳରେ ବି ୩୫ ଡିଗ୍ରୀ ପାର୍‌ କରିଥିଲା ତାପମାତ୍ରା । ରାଜ୍ୟରେ ଏବେ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ  ବର୍ଷା ହୋଇପାରେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook