ମୁଖ୍ୟ ଖବର
ଭୁବନେଶ୍ୱର : ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିଛି। ବୁଧବାର ଦିନ ତାପମାତ୍ରା ବୃଦ୍ଧି ପାଇବାରୁ ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ବୁଧବାର ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଝାରସୁଗୁଡ଼ାରେ ତାପମାତ୍ରା ୪୪.୬ଡିଗ୍ରୀ ଛୁଇଁଛି। ସେହିପରି ୪୪.୨ ଡିଗ୍ରୀ ସହ ୱାର୍ଦ୍ଧା ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ବରରେ ବୁଧବାର ଦିନ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା। ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ଏବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ହେଲାଣି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୫ତାରିଖ ପର୍ୟ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ୨୬ତାରିଖରୁ ଅନେକ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ। ହେଲେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ଟିଟିଲାଗଡ଼ ଏବଂ ସମ୍ବଲପୁର ଆଦି କିଛି ଜିଲାରେ ପାରଦ ୪୨ରୁ ୪୩ ଡିଗ୍ରୀ ତଳକୁ ଖସି ନପାରେ। ୨୫ତାରିଖ ରୌଦ୍ରତାପ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଉପକୂଳ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବାୟୁମଣ୍ଡଳ ଉଷ୍ଣ ରହିପାେର। ବାୟୁମଣ୍ଡଳରେ ଉଷ୍ଣ ଆର୍ଦ୍ରତା ରହିବାର ସମ୍ଭାବନା ଥିବାରୁ ବଲାଙ୍ଗିର, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ଗରମ ସହିତ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିନିମନ୍ତେ ଏହି ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Comments ସମସ୍ତ ମତାମତ