ମୁଖ୍ୟ ଖବର
ବୋଲଗଡ: ଜୀବନ ରୂପକ ଦଉଡି କେତେ ଲମ୍ବା ତାହା କେହି ଜାଣି ନଥାନ୍ତି । ଏହି ଦଉଡି ଯେକୌଣସି ସମୟରେ ଛିଣ୍ଡିଯିବାର ସମ୍ଭାବନା ମଧ୍ୟ ରହିଛି । ଜଣେ ବ୍ୟକ୍ତି କୌଣସି କାମକୁ ନେଇ ବାହାରକୁ ଯାଇଥାଏ । ଏହି ଯିବା ରାସ୍ତାରେ କ’ଣ ଘଟଣା ବା ଦୁର୍ଘଟଣା ଘଟିବ, ତାହା ଦଇବ ହିଁ ସ୍ଥିର କରିଥାନ୍ତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡରେ ଗତ କିଛି ଦିନ ତଳେ ୭୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବସ ଡ୍ରାଇଭରଙ୍କ ହୃଦଘାତରେ ମୃତୁ୍ୟ ହେବା ଏହାର ଏକ ନିଚ୍ଛକ ଉଦାହରଣ । ତେବେ ସବୁଠାରୁ ବଡ଼ କଥା ହେଲା ସମ୍ପୃକ୍ତ ଡ୍ରାଇଭର ସିନା ୭୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇ ଆରପାରିକୁ ଚାଲିଗଲେ, ହେଲେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ବେସାହାରା କରିଦେଲେ । ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅଧୀନ ଗୋଡିଆଳି ଗାଁର ବାସିନ୍ଦା ଶରତ ମାର୍ଥା ଭୁବନେଶ୍ୱର ବରମୁଣ୍ଡାରୁ ଯାତ୍ରୀବାହୀ ବସ୍ ‘ବିଶାଖା’ ନେଇ ଗଂଜାମ ଜିଲ୍ଲା ଭଂଜନଗର ଅଭିମୁଖେ ବାହାରିଥିଲେ । ବୋଲଗଡ ପହଞ୍ଚିବା ପୂର୍ବରୁ ତାଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ପରେ ମଧ୍ୟ ସେ ଉପସ୍ଥିତ ବୁଦ୍ଧି ଲଗାଇ ବସ୍କୁ ବୋଲଗଡ ବସଷ୍ଟାଣ୍ଡରେ ପହଞ୍ଚାଇ ଥିଲେ । କିନ୍ତୁ ସେତେବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇସାରିଥିଲା । ଅଧିକ ଅସୁସ୍ଥ ହୋଇଯିବା ପରେ ବସର ହେଲପର ସ୍ଥାନୀୟ ଲୋକଙ୍କର ସହାୟତାରେ ଶରତଙ୍କୁ ଏକ ଅଟୋରେ ନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ଶରତଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ବେସାହାର ହୋଇଯାଇଛନ୍ତି । ସେଥିପାଇଁ ଶରତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦିଆଯିବାକୁ ସାଧାରଣରେ ମତପ୍ରକାଶ ପାଇଛି ।ଖୋର୍ଦ୍ଧା ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
Comments ସମସ୍ତ ମତାମତ