ମୁଖ୍ୟ ଖବର
: ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପ୍ରାୟ ୧ ହଜାର ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସମୟରେ ସେମାନଙ୍କ ମଧ୍ୟରୁ ୯୪ ଜଣଙ୍କର ହୃଦ୍ରୋଗ ଚିହ୍ନଟ ହୋଇଛି। ଏଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗର୍ଭବତୀଙ୍କର ହୃଦ୍ରୋଗଜନିତ ଅସ୍ତ୍ରୋପଚାର ହୋଇଛି ଏବଂ ଜଣେ ମହିଳାଙ୍କର ପେସ୍ ମେକର୍ ଲଗାଯାଇଛି। ୮ ଜଣ ମହିଳାଙ୍କ ହୃଦରୋଗ ଜଟିଳ ହୋଇପଡ଼ିଥିବାରୁ ଗର୍ଭପାତ କରାଯାଇଛି। ୨୦୨୪, ଜୁନ ମାସରୁ ଏହି ସର୍ଭେ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ ଏଭଳି ତଥ୍ୟ ଏବେ ଉଦ୍ବେଗର କାରଣ ହୋଇଛି। ଏଥିପାଇଁ ଆଇସିଏମଆର୍(ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ) ଏସସିବି ମେଡିକାଲ କଲେଜରେ ଏକ ଅନୁଧ୍ୟାନ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏହା ଚାରି ବର୍ଷ ଧରି ଚାଲିବ। ଗର୍ଭାବସ୍ଥାରେ ମହିଳାମାନଙ୍କୁ କିପରି ସୁରକ୍ଷିତ ଭାବେ ଚିକିତ୍ସିତ କରାଯାଇପାରିବ, ତାହା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।
ପ୍ରଥମେ ମାଡ୍ରାସ ମେଡିକାଲ୍ କଲେଜରେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ହୃଦରୋଗକୁ ନେଇ ଅନୁଧ୍ୟାନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସାରା ଭାରତରେ ୫୦ଟି ମେଡିକାଲ୍ କଲେଜରେ ଏହି ଅନୁଧ୍ୟାନ ଆରମ୍ଭ ହୋଇଥିଲା। ନ୍ୟାସନାଲ ପ୍ରେଗ୍ନେନ୍ସି ଏଣ୍ଡ କାର୍ଡିଆକ୍ ଡିଜିଜ୍ ଷ୍ଟଡି ନାଁରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏସସିବିର ହୃଦରୋଗ ବିଭାଗ ଓ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଉପରେ କାମ କରାଯାଉଛି। ଏହି ପ୍ରକଳ୍ପ ୨୦୨୮ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ମହିଳାଙ୍କର ପ୍ରଥମେ ସ୍କ୍ରିନିଂ କରାଯାଉଛି। ସାଧାରଣତଃ ଅନେକ ମହିଳାଙ୍କର ପୂର୍ବରୁ ହୃଦରୋଗ ଥାଏ। ଆଉ କିଛି ଜଣଙ୍କର ଗର୍ଭବତୀ ସମୟରେ ହୃଦରୋଗ ବାହାରିଥାଏ। ଗର୍ଭବତୀ ସମୟରେ ନିଶ୍ବାସ ନେବାର ସମସ୍ୟା ହେବା, ଧଇଁସଇଁ ଲାଗିବା, ଅଣନିଶ୍ବାସ ଲାଗିବା, ଗୋଡ଼ ହାତ ଫୁଲିବା, ଛାତିରେ ଯନ୍ତ୍ରଣା, ମୂର୍ଛା ହୋଇଯିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏସସିବିକୁ ଆସୁଥିବା ଗର୍ଭବତୀଙ୍କ ଏଭଳି ଲକ୍ଷଣ ଥିଲେ ପ୍ରଥମେ ସେମାନଙ୍କର ଆବଶ୍ୟକ ପରୀକ୍ଷା କରାଯାଉଛି। ହୃଦରୋଗ ଚିହ୍ନଟ ହେଲେ ସେମାନଙ୍କ ଚିକିତ୍ସା ଆରମ୍ଭ ସହିତ ସ୍ବାଭାବିକ ପ୍ରସବ ନକରି ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଉଛି। ଅସ୍ତ୍ରୋପଚାର ପରେ ଡିସଚାର୍ଜ ସମୟରେ ହୃଦରୋଗ ଜନିତ ସମସ୍ତ ଔଷଧ ମାଗଣାରେ ଦିଆଯାଉଛି।
Comments ସମସ୍ତ ମତାମତ