ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟର ସ୍ୱାସ୍ଥ୍ୟ ସୂଚକାଙ୍କରେ ଆହୁରି ଉନ୍ନତି ଆଣିବା ପାଇଁ ତୃଣମୂଳସ୍ତରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ବିଭିନ୍ନ ଯୋଜନାକୁ ଅଧିକ ଫଳପ୍ରଦ ଓ ଲକ୍ଷ୍ୟଭିତ୍ତିକ ଭାବେ କାର୍ଯ୍ୟକାରୀ କରିବା ଉପରେ ଜୋର ଦିଆଯାଇଛି । ୨୦୨୬-୨୭ ବର୍ଷର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ନେଇ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ପ୍ରସ୍ତୁତି କର୍ମଶାଳାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଏନେଇ ଦିଗଦର୍ଶନ ଦେଇଛନ୍ତି ।
ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନେଇ ହୋଇଥିବା ଏହି କର୍ମଶାଳାରେ ସ୍ୱାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ରାଜ୍ୟର ସ୍ୱାସ୍ଥ୍ୟ ନେତୃତ୍ୱର ମୁଖ୍ୟ ଅଂଶ । ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା କେତେ ଫଳପ୍ରଦ ହେବ, ତାହା ସେମାନଙ୍କ ନେତୃତ୍ୱ ଓ କାର୍ଯ୍ୟଦକ୍ଷତା ଉପରେ ବହୁମାତ୍ରାରେ ନିର୍ଭର କରେ । ତେଣୁ ଯୋଜନା ପ୍ରସ୍ତୁତି ସହ ଏହାର ସମୟୋପଯୋଗୀ ଓ ଗୁଣାତ୍ମକ କାର୍ଯ୍ୟାନ୍ୱୟନକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ।"
ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ଆନିମିଆ ନିରାକରଣ, ଯକ୍ଷ୍ମା ନିରାକରଣ ଭଳି ପ୍ରାଥମିକ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ ଆହୁରି କହିଛନ୍ତି," ଓଡ଼ିଶା ମାତୃ ମୃତ୍ୟୁ ଅନୁପାତ ଓ ଶିଶୁ ମୃତ୍ୟୁହାର ହ୍ରାସରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ବେଳେ ଏହି ସଫଳତାକୁ ଆହୁରି ଆଗକୁ ନେବା ପାଇଁ ଜିଲ୍ଲାସ୍ତରରେ ନିରନ୍ତର ମନିଟରିଂ ଓ ମୂଲ୍ୟାଙ୍କନ ଆବଶ୍ୟକ । ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାରୁ ସେଠାରେ ସ୍ୱାସ୍ଥ୍ୟସେବାର ପହଞ୍ଚ ଓ ଗୁଣବତ୍ତା ବୃଦ୍ଧି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ । ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ହେଉଛି ଏହି ଯୋଜନାର ଏକ ପ୍ରମୁଖ ଲକ୍ଷ୍ୟ ।"
‘ଟିବି ମୁକ୍ତ ଭାରତ’ ଅଭିଯାନକୁ ଆହୁରି ଗତିଶୀଳ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ନିକ୍ଷୟ ବ୍ୟବସ୍ଥାରେ ପଞ୍ଜୀକରଣ, ଶୀଘ୍ର ଚିକିତ୍ସା ଓ ନିୟମିତ ଫଲୋଅପ୍ ମାଧ୍ୟମରେ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ ହାସଲ ଉପରେ ଜୋର ଦିଆଯାଇଛି ।
ସେହିପରି ‘ଆନିମିଆ ମୁକ୍ତ ଭାରତ’ ଅଭିଯାନରେ ନିୟମିତ ସ୍କ୍ରିନିଂ, ରୋଗ ଚିହ୍ନଟ, ଚିକିତ୍ସା ଓ ଫଲୋଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି । ଯେଉଁ ଅଞ୍ଚଳରେ ଆନିମିଆର ପ୍ରବଣତା ଅଧିକ, ସେଠାରେ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ନିଶ୍ଚିତ କରିବା ସହ ସ୍କ୍ରିନିଂ, ମନିଟରିଂ ଓ ଯୋଜନାର ପ୍ରଗତିର ନିୟମିତ ସମୀକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମାନବ ସମ୍ବଳ, ଭିତ୍ତିଭୂମି, ଔଷଧ, ନିଦାନ ସେବା, ଡିଜିଟାଲ୍ ହେଲ୍ଥ୍ ଓ ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବାର ପହଞ୍ଚ ବୃଦ୍ଧି ନେଇ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଅଶ୍ୱତୀ ଏସ୍ କହିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶାର ସ୍ୱାସ୍ଥ୍ୟକ୍ଷେତ୍ରକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ କରିବାର ଭିଜନ୍ ନେଇ କାର୍ଯ୍ୟ କରିବା ଆବଶ୍ୟକ । ପ୍ରତ୍ୟେକ ନାଗରିକଙ୍କ ନିକଟରେ ସମାନ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
କର୍ମଶାଳାରେ ମିଶନ ଡାଇରେକ୍ଟର ଡଃ ବୃନ୍ଦା ଡି ୨୦୨୬-୨୭ର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ଉପରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ । ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ୀକରଣ ସହ ଆଗାମୀ ଦିନରେ ଲକ୍ଷ୍ୟଗୁଡ଼ିକୁ ସମୟବଦ୍ଧ ଭାବେ ହାସଲ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡଃ ମହେଶ ମୋହନ ପଣ୍ଡା, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର ନାଥ ମିଶ୍ର ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ