Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରର ସଶକ୍ତିକରଣ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ

    Share on :
    ajab-Image
    Date: Nov 2, 2025    Views: 4037

    ଭୁବନେଶ୍ୱର:ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ତଥା ବୁଣାକାର ଓ ହସ୍ତଶିଳ୍ପୀଙ୍କ କଲ୍ୟାଣ ଆମର ପ୍ରାଥମିକତା । ସେମାନଙ୍କୁ ଉନ୍ନତ ଉପକରଣ ପ୍ରଦାନ ଦ୍ଵାରା ସେମାନଙ୍କ ସମୟ, ଶକ୍ତି ଓ ଶ୍ରମ ହ୍ରାସ ହେବା ସହ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ବୋଲି ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ସଚିବ ଶ୍ରୀମତୀ ନୀଲମ ଶମ୍ମି ରାଓ କହିଛନ୍ତି ।  ଭୁବନେଶ୍ୱର ତାଜ ଭିଭାନ୍ତା ହୋଟେଲଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀର ଉଦଯାପନୀ କାର୍ୟ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି । ଏହି କ୍ଷେତ୍ରର ବିକାଶ ପାଇଁ ମିଳିତ ପ୍ରୟାସ, କ୍ଲଷ୍ଟର-ଆଧାରିତ ଅଭିବୃଦ୍ଧି, ଉନ୍ନତ ଡିଜାଇନ୍, ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଡିଜିଟାଲ୍ ମାର୍କେଟିଂକୁ ସେ ଗୁରୁତ୍ଵାରୋପ କରିଥିଲେ । କାରିଗର ଏବଂ ସରକାରଙ୍କ ମଧ୍ୟରେ ଥିବା ବ୍ୟବଧାନକୁ କମ କରିବା ପାଇଁ ମାର୍ଗଦର୍ଶନ କରିଥିଲେ ।

    ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ଉଦଯାପନୀ କାର୍ୟ୍ୟକ୍ରମରେ ଯୋଗ ଦେଇ ପାରମ୍ପରିକ କୌଶଳ ସହ ନବସୃଜନର ମିଶ୍ରଣ କରି ସମୟ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କରିଥିଲେ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେବଳ ଗ୍ରାମୀଣ ଭାରତର ଆର୍ଥିକ ମେରୁଦଣ୍ଡ ନୁହେଁ ବରଂ ଦେଶର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ପରିଚୟ ।  କାରିଗର ଓ ବୁଣାକାରଙ୍କ ସମ୍ମାନ ଏବଂ କଲ୍ୟାଣର ଆହ୍ୱାନ ଦେଇ ସେ ଭିତ୍ତିଭୂମି ବିକାଶ, କଞ୍ଚାମାଲ ଯୋଗାଣ ଶୃଙ୍ଖଳର ସୁଦୃଢୀକରଣ, ନୂତନ ଗୋଦାମ ନିର୍ମାଣ, ପ୍ରଶିକ୍ଷଣ, ସଂରକ୍ଷଣ ଏବଂ ବଜାର ସଂଯୋଗ ଉପରେ ଆଲୋକପାତ କରିଥିଲେ ।

    ଶ୍ରୀମତୀ ଏମ୍. ବୀଣା, ଉନ୍ନୟନ ଆୟୁକ୍ତ (ହସ୍ତତନ୍ତ) ଏବଂ ଅମୃତା ରାଜ, ଉନ୍ନୟନ ଆୟୁକ୍ତ (ହସ୍ତଶିଳ୍ପ) ଭାରତୀୟ ସାମଗ୍ରୀର ବିଶ୍ୱସ୍ତରୀୟ ବ୍ରାଣ୍ଡିଂକୁ ଅଧିକ ଧ୍ୟାନ ଦେବାକୁ କହିଥିଲେ ।  ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରତି ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଡିଜାଇନ୍ ଉପରେ ଗୁରୁତ୍ଵାରୋପ କରିଥିଲେ । ବିକ୍ରୟ ବୃଦ୍ଧି ପାଇଁ ବାର୍ଷିକ ପ୍ରଦର୍ଶନୀ କ୍ୟାଲେଣ୍ଡର୍ ପ୍ରସ୍ତୁତି ଏବଂ ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦେଇଥିଲେ । 

    ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର କହିଥିଲେ, ବୁଣାକାର ଏବଂ କାରିଗରଙ୍କ ମଙ୍ଗଳ ପାଇଁ  ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ପ୍ରତିବଦ୍ଧତା ଅନ୍ୟମାନଙ୍କ ପାଇଁ ଉଦାହରଣଯୋଗ୍ୟ । ଏହାର ଅଧିକ ବିକାଶ ପାଇଁ ଦକ୍ଷତା ବିକାଶ, କ୍ଲଷ୍ଟର ସମର୍ଥନ, ନୂଆ ଡିଜାଇନ୍, ନବସୃଜନ, ଡିଜିଟାଲ୍ ସଶକ୍ତିକରଣ ଆଦି ବିଭିନ୍ନ ଦିଗ ଉପରେ ସେ  ଆଲୋଚନା କରିଥିଲେ । 

    ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ସମ୍ମିଳନୀ ଜ୍ଞାନର ଆଦାନପ୍ରଦାନ ଦିଗରେ ଏକ ପ୍ରଭାବଶାଳୀ ମଞ୍ଚ ଭାବରେ କାର୍ୟ୍ୟ କରିଥିଲା । ନୂତନ ଯୋଜନା ପ୍ରଣୟନ ଦିଗରେ ଏହା  ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷଣ କରିବାରେ ଓଡ଼ିଶାର ନେତୃତ୍ୱକୁ ସ୍ୱୀକାର କରି ଏହି ସମ୍ମିଳନୀର ସଫଳ ଆୟୋଜନକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook