ମୁଖ୍ୟ ଖବର
ଭୁବନେଶ୍ବର: ସାମାନ୍ୟ ବଚସାରୁ ରାଜଧାନୀରେ ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି । ଗତକାଲି(ଶନିବାର) ଖାରବେଳନଗର ଥାନା ଅନ୍ତର୍ଗତ ପଞ୍ଜାବୀ କଲୋନୀ ଅଞ୍ଚଳରେ ଗୁଳିମାଡ ଘଟିଛି । ପାନ ଦୋକାନୀ ଓ ବିଲ୍ଡରଙ୍କ ମଧ୍ୟରେ ବଚସା ଓ ହାତାହାତିରୁ ଏପରି ଘଟଣା ଘଟିଥିଲା । ବିଲ୍ଡର ଜଣକ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରିଥିଲେ । ସୌଭାଗ୍ୟବଶଃତ ଏହି ଗୁଳି କାହା ଶରୀରରେ ବାଜି ନଥିଲା । ତେବେ ପାନ ଦୋକାନୀଙ୍କ ପକ୍ଷରୁ କିଛି ଲୋକେ ମାଡ ମାରି ବିଲଡରଙ୍କୁ ଲହୁଲୁହାଣ କରିଛନ୍ତି ।ଆହତ ବିଲଡର ହେଲେ ଏୟାରଫିଲ୍ଡ ଥାନା ଅଞ୍ଚଳର ବିଭୂତି କୁମାର ବଡ଼ଜେନା । ପାନ ଦୋକାନୀ ହେଲେ ପଞ୍ଜାବୀ କଲୋନୀର ଦିଲ୍ଲୀପ କୁମାର ରଥ । ଏନେଇ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି । ଖାରବେଳନଗର ଥାନା ପୋଲିସ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଜାରି ରଖିଛି ।
ମାତ୍ର ୫୦ଟଙ୍କା ଖୁଚରା ପାଇଁ ଏହି ଝଗଡା ହୋଇଥିଲା । ପାନ ଦୋକାନୀ ଦିଲୀପ କୁମାର ରଥ ଦୀର୍ଘଦିନ ହେବ ବ୍ୟବସାୟ କରୁଛନ୍ତି । ଗତକାଲି(ଶନିବାର) ଅପରାହ୍ନ ପ୍ରାୟ ୨ଟା ବେଳେ ବିଲ୍ଡର ତଥା ସ୍ଥାନୀୟ ଏକ ବିରିଆନି ଷ୍ଟଲର ଅନ୍ୟତମ ମାଲିକ ବିଭୂତି ସାମଗ୍ରୀ କିଣିବାକୁ ପାନ ଦୋକାନକୁ ଯାଇଥିଲେ । ସେଠାରୁ ସେ ୫୦ ଟଙ୍କାରେ ପାଣି ବୋତଲ ସହ ଅନ୍ୟ କିଛି ସାମଗ୍ରୀ କିଣିଥିଲେ । ପାନଦୋକାନୀଙ୍କୁ ଏକ ୫ ଶହ ଟଙ୍କିଆ ନୋଟ୍ ସେ ଦେଇଥିଲେ। ବଢାଇଥିଲେ । ଖୁଚୁରା ୫୦ ଟଙ୍କା ଦୋବାକୁ ଦୋକାନୀ ଦିଲ୍ଲୀପ ଅନୁରୋଧ କରିଥିଲେ । ନ ହେଲେ ୫୦ଟଙ୍କା ଫୋନପେ ଜରିଆରେ ଦେବାକୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ସାମାନ୍ୟ କଥାକୁ ନେଇ ବିଭୂତି ଉତ୍ୟକ୍ତ ହୋଇ ଉଠିଥିଲେ । ପାନ ଦୋକାନୀ ଓ ବିଭୂତିଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା । ଏହାପରେ ସ୍ଥିତି ବିଗିଡିବାରେ ଲାଗିଥିଲା । ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପାଖରେ ଥିବା ବନ୍ଧୁକ ବାହାର କରି ପାନ ଦୋକାନୀଙ୍କୁ ଡରାଇବା ଉଦ୍ଦେଶ୍ୟରେ ବିଭୂତି ଗୋଟିଏ ରାଉଣ୍ଡ୍ ଗୁଳି ଚାଳନା କରିଥିଲେ । ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ପାନଦୋକାନୀ ଓ ତାଙ୍କ ସମ୍ପର୍କୀୟମାନେ ବିଭୂତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଯୋଗୁ ସେ ଗଭୀର ଭାବେ ଆହତ ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତାଙ୍କର ୮ଟି ଷ୍ଟିଜ୍ ପଡିଛି ।ଏନେଇ ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ପ୍ରଧାନ କହିଛନ୍ତି, ‘ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଛୁ । ୨ଟି ମାମଲା ରୁଜୁ ହୋଇଛି । ବନ୍ଧୁକ ଜବତ ହୋଇଛି । କୌଣସି ବ୍ୟକ୍ତିଙ୍କୁ ଅଟକ ରଖାଯାଇନାହିଁ । ଏହି ଘଟଣାରେ କାହାର ଦୋଷ ଅଛି ତାହା ଜାଣିବାକୁ ସିସିଟିଭି ଫୁଟେଜ ଯାଞ୍ଚ କରୁଛୁ ।’
Comments ସମସ୍ତ ମତାମତ